
Vastu Tips: କେଉଁ ଦିଗରେ ରଖିବେ ଜୋତା ଷ୍ଟାଣ୍ଡ, ଜାଣନ୍ତୁ କ’ଣ କହୁଛି ବାସ୍ତୁ ଶାସ୍ତ୍ର
ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟଦ୍ୱାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୋଲି ମନେ କରାଯାଏ । ବିଶ୍ୱାସ ରହିଛି ଯେ, ଏହି ଦ୍ୱାର ଦେଇ ମା’ ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି । ହେଲେ ଅନେକ ଲୋକ ଘରର ମୁଖ୍ୟଦ୍ୱାର ନିକଟରେ ଜୋତା ଷ୍ଟାଣ୍ଡ ରଖିଥାନ୍ତି। ବାସ୍ତୁ ଅନୁସାରେ, ଏହା ଅଶୁଭ ବୋଲି ବିବେଚନା କରାଯାଏ। ତେବେ ମୁଖ୍ୟଦ୍ୱାର ପାଖରେ ଜୋତା ଷ୍ଟାଣ୍ଡ ରଖିବା ଦ୍ୱାରା କ’ଣ ସମସ୍ୟା ହୋଇପାରେ ଏବଂ ଏହାକୁ କେଉଁ ଦିଗରେ ରଖିବା ଉଚିତ, ଆସନ୍ତୁ ଜାଣିବା।
ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟଦ୍ୱାରର ଠିକ୍ ସାମ୍ନାରେ କିମ୍ବା ଅତି ନିକଟରେ ଜୋତା ଷ୍ଟାଣ୍ଡ ରଖିବା ଅନୁଚିତ। ଏପରି କରିବା ଦ୍ୱାରା ଘରକୁ ଆସୁଥିବା ସକାରାତ୍ମକ ଶକ୍ତିର ପ୍ରବାହ ବାଧାପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। ଏହାଦ୍ୱାରା ମା’ ଲକ୍ଷ୍ମୀ ଘରକୁ ପ୍ରବେଶ ନକରି ଫେରିଯାଆନ୍ତି ଏବଂ ପରିବାରରେ ଆର୍ଥିକ ସମସ୍ୟା ଦେଖାଦିଏ ବୋଲି ମଧ୍ୟ ମାନ୍ୟତା ରହିଛି।
ଅନ୍ୟପକ୍ଷରେ, ଜୋତାରେ ଲାଗିଥିବା ଧୂଳି ଓ ମଇଳା ଘରର ପ୍ରବେଶପଥକୁ ଅପରିଷ୍କାର କରିଥାଏ। ମୁଖ୍ୟଦ୍ୱାର ନିକଟରେ ଅବ୍ୟବସ୍ଥିତ ଭାବେ ଜୋତା ରଖିବା ଦ୍ୱାରା ଘରର ପରିବେଶ ଅସୁନ୍ଦର ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଚିଡ଼ଚିଡ଼ାପଣ ଓ ମାନସିକ ଅଶାନ୍ତି ବଢ଼ିପାରେ।
କେଉଁ ଦିଗରେ ରଖିବେ ଜୋତା ଷ୍ଟାଣ୍ଡ:
ବାସ୍ତୁ ଶାସ୍ତ୍ର ଅନୁସାରେ, ଜୋତା ଷ୍ଟାଣ୍ଡ ରଖିବା ପାଇଁ ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗକୁ ଉପଯୁକ୍ତ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଉତ୍ତର-ପଶ୍ଚିମ ଦିଗରେ ମଧ୍ୟ ଜୋତା ରଖିପାରିବେ । ଏହି ଦିଗଗୁଡ଼ିକ ଭାରୀ ଜିନିଷ ରଖିବା ପାଇଁ ଉପଯୁକ୍ତ ବୋଲି ବାସ୍ତୁରେ ମାନ୍ୟତା ରହିଛି । ତେବେ ଘରର ଉତ୍ତର, ଉତ୍ତର-ପୂର୍ବ ବା ଈଶାନ କୋଣରେ ଜୋତା ଷ୍ଟାଣ୍ଡ ରଖିବାକୁ ବାସ୍ତୁ ଶାସ୍ତ୍ରରେ ବାରଣ କରାଯାଇଛି । ଏହି ଦିଗକୁ ପବିତ୍ର ସ୍ଥାନ ବୋଲି ମନେ କରାଯାଉଥିବାରୁ ଏଠାରେ ଜୋତା ରଖିବା ଦ୍ୱାରା ଘରର ସୁଖ ଓ ଶାନ୍ତି ପ୍ରଭାବିତ ହୁଏ ବୋଲି ବିଶ୍ୱାସ ରହିଛି ।
ଜୋତା ଷ୍ଟାଣ୍ଡ କିଣିବା ସମୟରେ ଧ୍ୟାନ ଦିଅନ୍ତୁ ଏହି କଥା
ଯଦି ଆପଣ ଘର ପାଇଁ ନୂଆ ଜୋତା ରାକ୍ କିଣିବାକୁ ଚାହୁଁଛନ୍ତି, ତେବେ ଦ୍ୱାର ଥିବା ଜୋତା ଆଲମାରି କିମ୍ବା ରାକ୍ ବାଛିପାରିବେ। ଏଥିରେ ଜୋତା ଲୁଚି ରହିବା ସହ ଘରର ପ୍ରବେଶପଥ ସୁନ୍ଦର ଓ ପରିଷ୍କାର ଦେଖାଯିବ। ଖୋଲା ରାକ୍ରେ ଜୋତା ରଖିଲେ ଦୁର୍ଗନ୍ଧ ବାହାରିବା ସହ ଧୂଳି ଜମିବାର ସମ୍ଭାବନା ରହିଥାଏ। ବାସ୍ତୁ ମାନ୍ୟତା ଅନୁସାରେ, ପ୍ଲାଷ୍ଟିକ୍ ରାକ୍ ବଦଳରେ କାଠ କିମ୍ବା ଧାତୁରେ ତିଆରି ଜୋତା ଷ୍ଟାଣ୍ଡ ବ୍ୟବହାର କରିବା ଭଲ ବୋଲି କୁହାଯାଏ। ତେବେ ରାକ୍ ବାଛିବା ସମୟରେ ଏହାର ମଜଭୁତପଣ, ସଫା କରିବାର ସୁବିଧା ଓ ଘରର ଜାଗାକୁ ଧ୍ୟାନ ଦିଅନ୍ତୁ।
ଜାଗାର ଅଭାବ ଥିଲେ କ’ଣ କରିବେ?
ଯଦି ଘରେ ଜୋତା ଷ୍ଟାଣ୍ଡ ରଖିବା ପାଇଁ ଅଲଗା ଜାଗା ନାହିଁ ଏବଂ ମୁଖ୍ୟଦ୍ୱାର ନିକଟରେ ରଖିବାକୁ ପଡ଼ୁଛି, ତେବେ ଏହାକୁ ଦ୍ୱାରର ଠିକ୍ ସାମ୍ନାରେ ନରଖି ପାର୍ଶ୍ୱ କାନ୍ଥ ପାଖରେ ରଖନ୍ତୁ । ମୁଖ୍ୟଦ୍ୱାର ଖୋଲିବା ଓ ବନ୍ଦ କରିବାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏହା ସହ ଜୋତା ଷ୍ଟାଣ୍ଡକୁ ନିୟମିତ ସଫା ରଖନ୍ତୁ ।
ଫଟା ଓ ପୁରୁଣା ଜୋତା ଘରେ ରଖୁଛନ୍ତି କି?
ଅନେକ ଲୋକ ବର୍ଷ ବର୍ଷ ଧରି ପୁରୁଣା, ଫଟା ଓ ଅବ୍ୟବହୃତ ଜୋତାକୁ ଘରେ ସାଇତି ରଖିଥାନ୍ତି। ବାସ୍ତୁ ଶାସ୍ତ୍ରରେ ଏପରି ଅଭ୍ୟାସକୁ ଅଶୁଭ ବୋଲି ମନେ କରାଯାଏ ଏବଂ ଏହାକୁ ରାହୁ ଓ ଶନିଙ୍କ ଦୋଷ ସହ ଯୋଡ଼ାଯାଏ । ତେଣୁ ଅନାବଶ୍ୟକ ଓ ଅବ୍ୟବହୃତ ଜୋତାକୁ ହଟାଇ ଘରକୁ ସଫାସୁତୁରା ରଖିବା ଉଚିତ । ଏହା ସହ ଜୋତାରୁ ଦୁର୍ଗନ୍ଧ ବାହାରୁଥିଲେ ଏହାକୁ ଭଲ ଭାବେ ସଫା କରି ଶୁଖାନ୍ତୁ । ଆବଶ୍ୟକ ହେଲେ ଜୋତାର ଦୁର୍ଗନ୍ଧ ଦୂର କରିବା ପାଇଁ ଉପଯୁକ୍ତ ଡିଓଡୋରାଇଜର୍ କିମ୍ବା ଗନ୍ଧ ଶୋଷଣକାରୀ ଉପାଦାନ ବ୍ୟବହାର କରିପାରିବେ ।