ମନୋରଞ୍ଜନ

Sai Dharam Tej Engagement: ପିଲାଦିନର ବାନ୍ଧବୀଙ୍କୁ ଜୀବନସାଥୀ କରିବେ ସାଇ ଧର୍ମ ତେଜ, ସାମ୍ନାକୁ ଆସିଲା ନିର୍ବନ୍ଧ ଫଟୋ

ସାଉଥ୍ ସିନେମା ଜଗତରୁ ଏକ ଖୁସି ଖବର ଆସିଛି । ଅଭିନେତା ସାଇ ଧର୍ମ ତେଜ ନିଜ ଶୈଶବର ବାନ୍ଧବୀ କିରଣଙ୍କ ସହ ନିର୍ବନ୍ଧ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଏହି ବିଶେଷ ସମାରୋହରେ କୋନିଡେଲା ଓ ଆଲ୍ଲୁ ପରିବାରର ଅନେକ ସଦସ୍ୟଙ୍କ ସହ ଫିଲ୍ମ ଇଣ୍ଡଷ୍ଟ୍ରିର ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ନିର୍ବନ୍ଧର ଫଟୋ ସବୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବିଶେଷ କରି ତେଲୁଗୁ ସିନେମାର ଅନେକ ବଡ଼ ବଡ଼ ଷ୍ଟାରଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖି ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇଛନ୍ତି।

ନଭେମ୍ବର ୫ ଗୁରୁବାର ଦିନ ହାଇଦ୍ରାବାଦର ହିଲଟନ୍ ହାଇଦ୍ରାବାଦ ଜିନୋମ୍ ଭ୍ୟାଲି ରିସର୍ଟରେ ସାଇ ଧର୍ମ ତେଜ ଓ କିରଣ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ଏହି ଘରୋଇ ସମାରୋହରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ସାମିଲ ହୋଇଥିଲେ । ନିର୍ବନ୍ଧ ଉତ୍ସବରେ ମେଗାଷ୍ଟାର ଚିରଞ୍ଜୀବୀ ନିଜ ପତ୍ନୀ ସୁରେଖାଙ୍କ ସହ ପହଞ୍ଚିଥିଲେ। ସେହିପରି ରାମ ଚରଣ, ଆଲ୍ଲୁ ଅର୍ଜୁନ ନିଜ ପତ୍ନୀ ସ୍ନେହା ରେଡ୍ଡୀଙ୍କ ସହ, ବରୁଣ ତେଜ ନିଜ ପତ୍ନୀ ଲାବଣ୍ୟା ତ୍ରିପାଠୀଙ୍କ ସହ ଏବଂ ଆଲ୍ଲୁ ଶିରିଷ ନିଜ ଭାବୀ ପତ୍ନୀ ନୟନିକା ରେଡ୍ଡୀଙ୍କ ସହ ନଜର ଆସିଥିଲେ। ଏହାବ୍ୟତୀତ ନାଗା ବାବୁ, ପଦ୍ମଜା, ନିହାରିକା କୋନିଡେଲା, ବୈଷ୍ଣବ ତେଜ, ଆଲ୍ଲୁ ବବି ଏବଂ ନୀଲା ଶାହ ମଧ୍ୟ ଏହି ଖୁସିର ମୁହୂର୍ତ୍ତରେ ସାମିଲ ହୋଇଥିଲେ । ପବନ କଲ୍ୟାଣଙ୍କ ପିଲା ଅକିରା ନନ୍ଦନ ଓ ଆଧ୍ୟା ମଧ୍ୟ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇଥିଲେ। ମେଗା ଓ ଆଲ୍ଲୁ ପରିବାରର ଏତେ ସଂଖ୍ୟକ ସଦସ୍ୟଙ୍କ ଉପସ୍ଥିତି ଏହି ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିଥିଲା ।

ଅନ୍ୟପଟେ ରାମ ଚରଣ ମଧ୍ୟ ନିର୍ବନ୍ଧର ଏକ ବିଶେଷ ଫଟୋ ସୋସିଆଲ ମିଡିଆରେ ସେୟାର କରି ସାଇ ଧର୍ମ ତେଜ ଓ କିରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ନବଦମ୍ପତିଙ୍କ ଜୀବନ ପ୍ରେମ ଓ ଖୁସିରେ ଭରିଯାଉ ବୋଲି ସେ କାମନା କରିଛନ୍ତି। ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ସାଇ ଧର୍ମ ତେଜ ଓ କିରଣଙ୍କ ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଛି। ଆସନ୍ତା ୧୦ ଡିସେମ୍ବର ୨୦୨୬ରେ ହାଇଦ୍ରାବାଦରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । କିରଣଙ୍କ ବିଷୟରେ ଅଧିକ ସୂଚନା ସାମ୍ନାକୁ ଆସିନାହିଁ । ତେବେ ସେ ସାଇ ଧର୍ମ ତେଜଙ୍କ ଶୈଶବର ବାନ୍ଧବୀ ବୋଲି ଜଣାପଡ଼ିଛି ।

ସାଇ ଧର୍ମ ତେଜ ତେଲୁଗୁ ଫିଲ୍ମ ‘ପିଲ୍ଲା ନୁଭୁ ଲେନି ଜୀବିତମ୍’ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଏହାପରେ ସେ ‘ସୁବ୍ରମଣ୍ୟମ୍ ଫର୍ ସେଲ୍’, ‘ସୁପ୍ରିମ୍’, ‘ଚିତ୍ରଲହରୀ’, ‘ପ୍ରତି ରୋଜୁ ପଣ୍ଡାଗେ’ ଏବଂ ‘ବିରୁପାକ୍ଷ’ ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ନିଜର ଆଗାମୀ ଆକ୍ସନ୍ ଫିଲ୍ମ ‘ସମ୍ବରାଲା ୟେତି ଗଟ୍ଟୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ୨୦୨୭ରେ ରିଲିଜ୍ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *

Back to top button