
Yuzvendra Chahal : ଛାଡ଼ପତ୍ର ପରେ ମଦ୍ୟପାନ କରିବା ଅଭ୍ୟାସ ହୋଇଯାଇଥିଲା, ୨୬ ଦିନ ରିହାବ ସେଣ୍ଟରରେ ରହିଥିଲେ ଚହଲ
ଭାରତୀୟ କ୍ରିକେଟ ଟିମର ଲେଗ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲ ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲିଛନ୍ତି । ଯୁଜବେନ୍ଦ୍ର ଏକ ପଡକାଷ୍ଟରେ କହିଛନ୍ତି, ଛାଡ଼ପତ୍ର ପରେ ତାଙ୍କ ମଦ୍ୟପାନ ଅଭ୍ୟାସ ବଢ଼ିଯାଇଥିଲା ଏବଂ ମାନସିକ ସ୍ଥିତି ମଧ୍ୟ ଠିକ୍ ରହୁନଥିଲା । ସେ ମଦ୍ୟପାନ ଛାଡ଼ିବା ପାଇଁ ୨୬ ଦିନ ରିହାବ୍ ସେଣ୍ଟରରେ ରହିଥିଲେ । ଛାଡ଼ପତ୍ର ପରେ ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ନିଜ ଅଭ୍ୟାସ ଉପରେ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇପଡ଼ିଥିଲା । ତେବେ ଏହାର ପ୍ରଭାବ ନିଜ କ୍ରିକେଟ୍ କ୍ୟାରିୟର ଉପରେ ପଡ଼ିବାର ଆଶଙ୍କା କରି ସେ ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।
ପାନିକ୍ ଆଟାକ୍ ସମୟରେ ନିଜର ଅନୁଭୂତି ବିଷୟରେ ଚହଲ କହିଛନ୍ତି, ଭୟ ଓ ଚିନ୍ତା ବଢ଼ିଗଲେ ତାଙ୍କ ହୃଦ୍ ସ୍ପନ୍ଦନ ବଢିଯାଉଥିଲା । ମୁହଁ ବଙ୍କା ହେଇଯାଉଥିଲା । ଏପରି ସ୍ଥିତିରେ ତାଙ୍କ ପାଇଁ କଥା କହିବା ମଧ୍ୟ କଷ୍ଟକର ହେଉଥିଲା ।
୨୦୧୧ରେ ପ୍ରଥମ ଥର ଆଇପିଏଲ୍ ଖେଳିବା ପରେ ପାର୍ଟି କରିବା ସମୟରେ ମଦ୍ୟପାନ ଆରମ୍ଭ ହୋଇଥିଲା । କିନ୍ତୁ ଛାଡ଼ପତ୍ର ପରେ ତାଙ୍କ ମଦ୍ୟପାନ ଅଭ୍ୟାସ ଲିମିଟ୍ କ୍ରସ ହୋଇଥିଲା । କାଉଣ୍ଟି କ୍ରିକେଟ୍ ପରେ ଗତ ବର୍ଷ ସେ ମଦ୍ୟପାନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଅନୁଭବ କରି ସେ ରିହାବ୍ ସେଣ୍ଟରରେ ନାମ ଲେଖାଇଥିଲେ ଏବଂ ସେଠାରେ ୨୬ ଦିନ ରହିଥିଲେ । ଏହା ସହିତ ଜିମ୍, ଫିଲ୍ଡିଂ ଅଭ୍ୟାସ ଓ ନିୟମିତ ଟ୍ରେନିଂ ଉପରେ ଧ୍ୟାନ ଦେଇ ସେ ନିଜ ଫିଟ୍ନେସରେ ଗୁରୁତ୍ବ ଦେଇଥିଲେ ।
ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୮ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ଏତେ ଟଙ୍କା ଦେଇ ଦଳ ତାଙ୍କ ଉପରେ ଭରସା କରିଥିବାରୁ ସେ ନିଜ ପ୍ରଦର୍ଶନ ମାଧ୍ୟମରେ ସେହି ଭରସାର ମର୍ଯ୍ୟାଦା ରଖିବାକୁ ଚାହୁଁଥିଲେ । ଆଇପିଏଲ୍ ୨୦୨୫ରେ ଚହଲ ୧୬ଟି ୱିକେଟ୍ ନେଇଥିବାବେଳେ ୨୦୨୬ ସଂସ୍କରଣରେ ୧୨ଟି ୱିକେଟ୍ ନେଇଥିଲେ ।