ମନୋରଞ୍ଜନ

Gangster Harry Boxer: ରୋହିତ ସେଟ୍ଟୀଙ୍କ ଘରେ ଗୁଳିଚାଳନା ମାମଲାରେ ହ୍ୟାରି ବକ୍ସର ଗିରଫ

ଆମେରିକାରେ ଧରାପଡ଼ିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଆଉ ଜଣେ ସଦସ୍ୟ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସରକୁ ଆମେରିକାରେ ଅଟକ ରଖାଯାଇଛି । କାଲିଫର୍ଣ୍ଣିଆରୁ ତାକୁ ଅଟକ ରଖିଛି ଆମେରିକାର ଇମିଗ୍ରେସନ୍ ଏବଂ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ ବା ଆଇସିଇ । ହତ୍ୟା, ଧମକ ଏବଂ ଦାଦାବଟି ଆଦାୟ ଭଳି ଏକାଧିକ ସଙ୍ଗୀନ ଅଭିଯୋଗ ରହିଛି ତା’ ନାଁରେ । ଏପରିକି ବଲିଉଡ୍ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାରେ ମଧ୍ୟ ତା’ର ଲିଙ୍କ୍ ଥିବା ଅଭିଯୋଗ ରହିଛି ।

ବିଦେଶରେ ଲୁଚି ରହିଥିବା ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଜାରି ରହିଛି ଆକ୍ସନ୍ । ଏବେ ଆମେରିକାରେ ଅଟକ ହୋଇଛି ଲରେନ୍ସ ଗ୍ୟାଙ୍ଗ୍ ସହ ଜଡ଼ିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସର । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ର ସୂଚନା ଆଧାରରେ ଆମେରିକାର କାଲିଫର୍ଣ୍ଣିଆରେ ତାକୁ ଅଟକ ରଖାଯାଇଛି । ଆମେରିକାର ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ ବା ଆଇସିଇର ଏଜେଣ୍ଟମାନେ ଏହି କାର୍ଯ୍ୟାନୁଷ୍ଠାନ କରିଛନ୍ତି । ହ୍ୟାରି ବକ୍ସର ବିରୋଧରେ ହତ୍ୟା, ଧମକ ଏବଂ ଦାଦାବଟି ଆଦାୟ ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି । ରୋହିତ ଶେଟ୍ଟୀଙ୍କ ମୁମ୍ବାଇସ୍ଥିତ ଜୁହୁ ବାସଭବନ ବାହାରେ ଗୁଳିକାଣ୍ଡ ପରେ ସେ ସୋସିଆଲ ମିଡିଆ ପୋଷ୍ଟ ଏବଂ ଅଡିଓ ରେକର୍ଡିଂ ଜରିଆରେ ବଲିଉଡ୍‌ର କିଛି ବ୍ୟକ୍ତିବିଶେଷଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଆମେରିକାରେ ରହି ସେ ନିଜ ଗ୍ୟାଙ୍ଗ୍‌ର କାର୍ଯ୍ୟକଳାପ ପରିଚାଳନା କରୁଥିବା ମଧ୍ୟ କୁହାଯାଉଛି ।

ସୂଚନା ଅନୁସାରେ, ୨୦୨୬ ଫେବୃଆରୀ ୧ ତାରିଖ ବିଳମ୍ବିତ ରାତିରେ ରୋହିତ ଶେଟ୍ଟୀଙ୍କ ଜୁହୁସ୍ଥିତ ଘର ବାହାରେ ହୋଇଥିଲା ଗୁଳିମାଡ଼ । ଆକ୍ରମଣକାରୀମାନେ ଶେଟ୍ଟୀ ଟାୱାର ବାହାରେ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣା ସମୟରେ ରୋହିତ ଶେଟ୍ଟୀ ଘର ଭିତରେ ଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇନଥିଲେ । ଗୁଳିକାଣ୍ଡ ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଆକ୍ରମଣର ଦାୟିତ୍ୱ ନେଇଥିବା ଦାବି କରାଯାଇଥିଲା । ଏଥିରେ ଶୁଭମ ଲୋଙ୍କାର, ଆରଜୁ ବିଷ୍ଣୋଇ, ହ୍ୟାରି ବକ୍ସର ଏବଂ ହରମନ ସାନ୍ଧୁଙ୍କ ନାଁ ଉଲ୍ଲେଖ ଥିଲା । ପୂର୍ବରୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଇନଥିବା ପୋଷ୍ଟରେ ଦାବି କରାଯାଇଥିଲା । ତେବେ ହ୍ୟାରି ବକ୍ସର ପୂର୍ବରୁ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଏବଂ ନୀରଜ ଫରିଦପୁରିଆ ମଧ୍ୟ ଆମେରିକାରେ ଅଟକ ହୋଇଥିଲେ । ଏମାନଙ୍କ ବିରୋଧରେ ଭାରତରେ ଏକାଧିକ ଅପରାଧିକ ମାମଲା ରହିଛି । ଆମେରିକା ଓ ୟୁରୋପ ସମେତ ବିଭିନ୍ନ ଦେଶରେ ଲୁଚି ରହିଥିବା ଅପରାଧୀଙ୍କ ବିରୋଧରେ ଭାରତୀୟ ଏଜେନ୍ସିଙ୍କ ଅଭିଯାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Back to top button