
Karela: ଔଷଧୀୟ ଗୁଣରେ ଭରପୂର କଲରା, ଜାଣନ୍ତୁ ଏହାର ୫ଟି ଚମତ୍କାରୀ ଫାଇଦା
କଲରା ଏକ ଅନନ୍ୟ ପରିବା, ଯାହାକୁ ଏହାର ଔଷଧୀୟ ଗୁଣ ପାଇଁ ଗୁରୁତ୍ୱ ଦିଆଯାଇଥାଏ । ଏହାର ପିତା ସ୍ୱାଦ ସତ୍ତ୍ୱେ ଅନେକ ସ୍ୱାସ୍ଥ୍ୟ ଉପକାରିତା ପାଇଁ କଲରାକୁ ଏକ ସୁପରଫୁଡ୍ ଭାବେ ବିବେଚନା କରାଯାଏ । ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣ କରିବାଠାରୁ ଆରମ୍ଭ କରି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପର୍ଯ୍ୟନ୍ତ, କଲରା ଆମକୁ ଅନେକ ଉପକାର ଯୋଗାଇଥାଏ । ଏହା ଏକ ସୁସ୍ଥ ଜୀବନଶୈଳୀ ଗଢ଼ିବାରେ ସହାୟକ କରିପାରେ। ତେବେ ଆସନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ।
ଓଜନ ହ୍ରାସ କରିବାରେ ସହାୟକ:
କଲରାରେ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ର ମାତ୍ରା କମ୍ ଥିବାରୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କ ଖାଦ୍ୟ ତାଲିକାରେ ଏହା ଏକ ଭଲ ବିକଳ୍ପ ହୋଇପାରେ। ଏହା ସହିତ ଏଥିରେ ଥିବା କିଛି ପ୍ରାକୃତିକ ଉପାଦାନ ଶରୀରରେ ଚର୍ବିର ମେଟାବୋଲିଜିମ୍ ଏବଂ ହଜମ ପ୍ରକ୍ରିୟାରେ ସହାୟତା କରିଥାଏ। ଖାଦ୍ୟରେ କଲରା ସାମିଲ କରିବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ପେଟ ପୂରି ରହିବାର ଅନୁଭବ ହୋଇଥାଏ। ଫଳରେ ବାରମ୍ବାର ଖାଇବାର ଇଚ୍ଛା କମିବା ସହ ଓଜନ ନିୟନ୍ତ୍ରଣ କରିବାରେ ସହାୟତା ମିଳିପାରେ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ:
ବର୍ଷା ଦିନେ ସଂକ୍ରମଣର ଆଶଙ୍କା ସବୁଠାରୁ ଅଧିକ ଥାଏ । କଲରାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରେ । ଏହା ଆମ ଶରୀରକୁ ବିଭିନ୍ନ ପ୍ରକାରର ଭାଇରାଲ୍ ଏବଂ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରେ । ନିୟମିତ କଲରା ସେବନ କଲେ ଥଣ୍ଡା, କାଶ ଭଳି ସାଧାରଣ ସମସ୍ୟା ଦୂର ହୋଇଥାଏ ।
ପାଚନ ତନ୍ତ୍ରକୁ ସୁସ୍ଥ ରଖେ:
ବର୍ଷା ଦିନେ ଅଧିକାଂଶ ଲୋକଙ୍କର ପେଟ ସମସ୍ୟା ଯେପରିକି ଗ୍ୟାସ୍, ଅପଚ, କୋଷ୍ଠକାଠିନ୍ୟ ଏବଂ ପେଟ କାମୁଡ଼ିବା ଭଳି ସମସ୍ୟା ଦେଖାଯାଏ । କଲରାରେ ଥିବା ଫାଇବର ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ପାଚନ ପ୍ରକ୍ରିୟାକୁ ସୁଧାରିବାରେ ସାହାଯ୍ୟ କରେ । ଏହା ପେଟକୁ ସଫା ରଖେ ଏବଂ ଖାଦ୍ୟକୁ ସହଜରେ ହଜମ କରାଏ, ଯାହା ଦ୍ୱାରା ପେଟ ଜନିତ ସମସ୍ୟା କମ୍ ହୁଏ ।
ଚର୍ମ ରୋଗ ପାଇଁ ଲାଭଦାୟକ:
ବର୍ଷା ଦିନର ଆର୍ଦ୍ରତା ଯୋଗୁଁ ଚର୍ମରେ କୁଣ୍ଡେଇ ହେବା, ଘିମିରି, ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମ ସଂକ୍ରମଣର ଆଶଙ୍କା ବଢ଼ିଯାଏ । କଲରାରେ ଥିବା ଆଣ୍ଟି-ମାଇକ୍ରୋବିଆଲ୍ ଏବଂ ଆଣ୍ଟି-ଫଙ୍ଗାଲ୍ ଗୁଣ ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ । ଏହାର ସେବନ ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ, ଯାହା ଚର୍ମକୁ ସୁସ୍ଥ ଓ ଚମକଦାର ରଖେ ।
ମଧୁମେହ ନିୟନ୍ତ୍ରଣ କରେ:
ମଧୁମେହ ରୋଗୀଙ୍କ ପାଇଁ କଲରା ଏକ ବରଦାନ ସଦୃଶ । ଏଥିରେ ପଲିପେପ୍ଟାଇଡ୍-ପି ନାମକ ଏକ ତତ୍ତ୍ୱ ରହିଛି, ଯାହା ଇନସୁଲିନ୍ ଭଳି କାର୍ଯ୍ୟ କରେ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ବର୍ଷା ଦିନେ ମଧୁମେହ ରୋଗୀମାନେ ଏହାକୁ ନିଜ ଖାଦ୍ୟରେ ନିଶ୍ଚିତ ଭାବେ ସାମିଲ କରିବା ଉଚିତ୍ ।