ଜ୍ୟୋତିଷ

Shani Gochar: ୨୦୭ ଦିନ ଯାଏଁ ୪ ରାଶି ଉପରେ ଶନିଙ୍କ ବିଶେଷ କୃପା, ଚାକିରିରୁ ବ୍ୟବସାୟ ସବୁଠି ମିଳିବ ସଫଳତା

ଗ୍ରହମାନଙ୍କ ଚଳନ ବଦଳିଲେ ବଦଳିପାରେ ଭାଗ୍ୟ! ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳ ଦାତା ବୋଲି କୁହାଯାଏ । ଆଉ ଏବେ ଶନିଦେବଙ୍କ ଚଳନକୁ ନେଇ ଆସିଛି ବଡ଼ ଜ୍ୟୋତିଷୀୟ ଆକଳନ । ମୀନ ରାଶିରେ ବିରାଜମାନ ଶନିଦେବଙ୍କ ସ୍ଥିତି କିଛି ରାଶିଙ୍କ ପାଇଁ ଶୁଭ ଫଳ ଆଣିପାରେ । ଆଗାମୀ ପ୍ରାୟ ୨୦୭ ଦିନ ମଧ୍ୟରେ ୪ଟି ରାଶିର ଜାତକଙ୍କ ଜୀବନରେ ଆସିପାରେ ସକାରାତ୍ମକ ପରିବର୍ତ୍ତନ । ଆର୍ଥିକ ସ୍ଥିତିରେ ସୁଧାରଠାରୁ ଆରମ୍ଭ କରି ଚାକିରି ଓ ବ୍ୟବସାୟରେ ମିଳିପାରେ ସଫଳତା । ତେବେ କେଉଁ ୪ଟି ରାଶି ଉପରେ ରହିବ ଶନିଦେବଙ୍କ ବିଶେଷ କୃପା ଆସନ୍ତୁ ଜାଣିବା ।

ବୈଦିକ ଜ୍ୟୋତିଷ ଅନୁସାରେ, ବର୍ତ୍ତମାନ ଶନିଦେବ ମୀନ ରାଶିରେ ଗୋଚର କରୁଛନ୍ତି । ୨୦୨୭ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ସେ ଏହି ରାଶିରେ ରହିବେ । ଏହି ସମୟ ମଧ୍ୟରେ ଶନିଙ୍କ ଚଳନରେ ଏକାଧିକ ପରିବର୍ତ୍ତନ ହେବ । ୨୦୨୬ ଡିସେମ୍ବରରେ ଶନି ମାର୍ଗୀ ହେବେ । ୨୦୨୭ ଫେବୃଆରୀରେ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାପରେ ମାର୍ଚ୍ଚରେ ଅସ୍ତ ହେବେ ଏବଂ ମେ’ ମାସରେ ପୁଣି ଉଦୟ ହେବେ । ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ଏହି ପରିବର୍ତ୍ତନର ପ୍ରଭାବ କିଛି ରାଶିଙ୍କ ଜୀବନରେ ଦେଖିବାକୁ ମିଳିପାରେ ।

ମିଥୁନ ରାଶି:

ମିଥୁନ ରାଶିର ଜାତକଙ୍କ ପାଇଁ ଆଗାମୀ ସମୟ ବେଶ୍ ଶୁଭ ରହିପାରେ। ଦୀର୍ଘଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟାରୁ ମିଳିପାରେ ମୁକ୍ତି । ଧନସମ୍ପତ୍ତି ବୃଦ୍ଧିର ନୂଆ ସୁଯୋଗ ମିଳିପାରେ । କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ଉଚିତ ସ୍ୱୀକୃତି ମିଳିବା ସହ ସମାଜରେ ମାନ-ସମ୍ମାନ ବଢ଼ିପାରେ । ଚାକିରି କରୁଥିବା ଲୋକଙ୍କୁ ମଧ୍ୟ ମିଳିପାରେ ଶୁଭ ଖବର ।

ତୁଳା ରାଶି:

ତୁଳା ରାଶିର ଜାତକଙ୍କ ପାଇଁ ମଧ୍ୟ ଶନିଦେବଙ୍କ ଚଳନ ଅନୁକୂଳ ରହିପାରେ । ପରିବାରରେ ଖୁସିର ମାହୋଲ୍ ରହିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବା ସହ ପୁରୁଣା ବିବାଦର ସମାଧାନ ହୋଇପାରେ । ଦୀର୍ଘଦିନରୁ ରହିଥିବା ସ୍ୱାସ୍ଥ୍ୟ ସମସ୍ୟାରେ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ନିଜ ଲୋକଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ ।

ମକର ରାଶି:

ମକର ରାଶିର ଜାତକଙ୍କ ପାଇଁ ଆଗାମୀ ସମୟ ବ୍ୟବସାୟ ଓ କ୍ୟାରିୟର ଦୃଷ୍ଟିରୁ ଭଲ ରହିପାରେ । ବ୍ୟବସାୟରେ ନୂଆ ସୁଯୋଗ ମିଳିବା ସହ ଅଟକି ରହିଥିବା କାମ ପୂରଣ ହୋଇପାରେ । କୌଣସି ବଡ଼ ବ୍ୟବସାୟିକ ଯୋଜନା ଆରମ୍ଭ କରିବାର ସୁଯୋଗ ମିଳିପାରେ । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ମିଳିପାରେ ।

କନ୍ୟା ରାଶି:

କନ୍ୟା ରାଶିର ଜାତକଙ୍କୁ ମିଳିପାରେ ପରିଶ୍ରମର ପୂରା ଫଳ । ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନେ ଲାଭବାନ ହେବାର ଯୋଗ ରହିଛି । ଦୀର୍ଘଦିନ ଧରି ଅଟକି ରହିଥିବା କାମରେ ଗତି ଆସିବ । ଆର୍ଥିକ ସ୍ଥିତି ଧୀରେ ଧୀରେ ମଜଭୁତ ହୋଇପାରେ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବା ସହ ଆପଣଙ୍କ ପ୍ରତିଭାର ମଧ୍ୟ ଉଚିତ ମୂଲ୍ୟ ମିଳିପାରେ ।

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ, କର୍ମ, ଅନୁଶାସନ ଓ ପରିଶ୍ରମର ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ବ୍ୟକ୍ତି ନିଜ କର୍ମ ଅନୁଯାୟୀ ଶନିଦେବଙ୍କଠାରୁ ଫଳ ପାଇଥାଏ । ତେଣୁ ଶନିଙ୍କ ମାର୍ଗୀ, ବକ୍ରୀ ଓ ନକ୍ଷତ୍ର ପରିବର୍ତ୍ତନକୁ ଜ୍ୟୋତିଷରେ ବେଶ୍ ଗୁରୁତ୍ୱ ଦିଆଯାଏ ।

ତେବେ ଏହି ଜ୍ୟୋତିଷୀୟ ଆକଳନ ସମସ୍ତଙ୍କ ପାଇଁ ସମାନ ହୋଇନପାରେ । ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଶନିଙ୍କ ସ୍ଥିତି ଓ ଦଶା ଅନୁସାରେ ଏହାର ପ୍ରଭାବ ଭିନ୍ନ ହୋଇପାରେ । ତେଣୁ ଏହାକୁ ଏକ ଜ୍ୟୋତିଷୀୟ ମାନ୍ୟତା ଭାବେ ଗ୍ରହଣ କରନ୍ତୁ ।

Leave a Reply

Your email address will not be published. Required fields are marked *

Back to top button