
President Murmu: ରାଷ୍ଟ୍ରପତିଙ୍କୁ ଭେଟିଲେ ୧୦ ବିରୋଧୀ ସାଂସଦ, ବାଲଟ୍ ପେପର ଫେରାଇବାକୁ ଦାବି ଜୋରଦାର
ରାଷ୍ଟ୍ରପତିଙ୍କୁ ଭେଟିଲେ ୧୦ ସାଂସଦ । ବାଲଟ୍ ପେପରରେ ନିର୍ବାଚନ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ବିରୋଧୀ । ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ୧୦ ବିରୋଧୀ ସାଂସଦ । ଏଥିରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ଅଛନ୍ତି । ବିଜୟ ଚୌକରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଇଥିଲେ । ବିରୋଧୀ ଦଳର ୧୦ ଜଣ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ନିଜର ଉଦବେଗ ଜଣାଇଛନ୍ତି ।
ବିରୋଧୀଙ୍କ ଅଭିଯୋଗ, ଦେଶରେ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ନିଶ୍ଚିତ କରିବା ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଦାୟିତ୍ୱ । କିନ୍ତୁ କମିଶନଙ୍କ କେତେକ ନିଷ୍ପତ୍ତି ଓ କାର୍ଯ୍ୟଶୈଳୀକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିରୋଧୀ ଦଳଗୁଡ଼ିକ ଏବେ EVM ବଦଳରେ ବାଲଟ୍ ପେପର ବ୍ୟବସ୍ଥା ଫେରାଇ ଆଣିବା ପ୍ରସଙ୍ଗକୁ ପୁଣି ଜୋରଦାର କରିଛନ୍ତି । ସେମାନଙ୍କ ମତରେ ନିର୍ବାଚନ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ବଜାୟ ରହିବା ଜରୁରୀ । ରାଷ୍ଟ୍ରପତିଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ବିରୋଧରେ ନିଜର ଅଭିଯୋଗକୁ ଆହୁରି ଜୋରଦାର କରିଛନ୍ତି । ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଲଢ଼େଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।