
Delhi CJP Protest : ସିଜେପି ଆନ୍ଦୋଳନ ପୂର୍ବରୁ ୬୦୦ରୁ ଅଧିକ ଅଟକ, ଅଭିଜିତ ଦୀପକେକୁ ଉଠାଇନେଲା ପୋଲିସ
ସିଜେପି ଆନ୍ଦୋଳନ ପୂର୍ବରୁ ୬୦୦ରୁ ଅଧିକ ଅଟକ । ବିଭିନ୍ନ ସ୍ଥାନରେ ପ୍ରତିବାଦକାରୀଙ୍କୁ ଅଟକ ରଖିଛି ପୋଲିସ । ଜନ୍ତରମନ୍ତର ୨.୦ ପ୍ରତିବାଦ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୦ ହଜାର ସୁରକ୍ଷାକର୍ମୀ ମୁତୟନ, ଇଣ୍ଟରନେଟ୍ ଓ ମେଟ୍ରୋ ସେବା ଉପରେ କଟକଣା ଜାରି ରହିଛି । ଜନ୍ତରମନ୍ତର ୨.୦ ପ୍ରତିବାଦକୁ ନେଇ ଦେଶର ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ପ୍ରତିବାଦ ପାଇଁ ସିଜେପି ମୁଖ୍ୟ ଅଭିଜିତ ଦୀପକେ ଦିଲ୍ଲୀ ପହଞ୍ଚିଛନ୍ତି । ଯଦି ଆନ୍ଦୋଳନରୁ ନ ହଟନ୍ତି, ତାଙ୍କୁ ଗିରଫ କରାଯାଇପାରେ ।
ସମ୍ଭାବ୍ୟ ବଡ଼ଧରଣର ବିକ୍ଷୋଭ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀକୁ ଏକପ୍ରକାର ସୁରକ୍ଷା ବଳୟରେ ରଖାଯାଇଛି । ପ୍ରାୟ ୪୦ ହଜାର ସୁରକ୍ଷାକର୍ମୀ ମୁତୟନ, ଇଣ୍ଟରନେଟ୍ ସେବା ଉପରେ କଟକଣା ଏବଂ ମେଟ୍ରୋ ସେବା ବନ୍ଦ ଭଳି ପଦକ୍ଷେପ ନିଆଯାଇଛି । ପ୍ରତିବାଦକାରୀମାନେ ଯେପରି ବହୁ ସଂଖ୍ୟାରେ ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ, ସେଥିପାଇଁ ପ୍ରଶାସନ ବିଶେଷ ସତର୍କତା ଅବଲମ୍ବନ କରିଛି । ଗୁରୁତ୍ୱପୂର୍ଣ୍ଣ ରାସ୍ତା, ପ୍ରବେଶ ପଥ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇଥିଲା ।
ଦିଲ୍ଲୀ ପୋଲିସ ସହ ସମନ୍ୱୟ ରଖି ପ୍ରତିବାଦକାରୀଙ୍କ ଦିଲ୍ଲୀ ଅଭିମୁଖେ ଯାତ୍ରା ରୋକିବା ପାଇଁ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କୁହାଯାଇଥିଲା । କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶକମାନଙ୍କୁ ପଠାଇଥିବା ଯୋଗାଯୋଗରେ ପ୍ରସ୍ତାବିତ ପ୍ରତିବାଦ ଯୋଗୁଁ ଆଇନଶୃଙ୍ଖଳା ଓ ସାଧାରଣ ଶାନ୍ତି ବ୍ୟବସ୍ଥା ପ୍ରଭାବିତ ହେବାର ଗମ୍ଭୀର ଆଶଙ୍କା ଥିବା ଦର୍ଶାଇଥିଲେ । ପ୍ରତିବାଦକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ଯାତାୟାତ ଅଧିକାର ମଧ୍ୟରେ ସନ୍ତୁଳନ ରଖିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।
CEC ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ କରି ଦିଲ୍ଲୀ ପୋଲିସ ୬୦୦ ଲୋକଙ୍କୁ ଅଟକ ରଖିଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଦ୍ୱାରା କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାମ କାଟିଦିଆଯାଇଥିବା ଅଭିଯୋଗ କରି CJP ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରୁଛି ।