
Kainsari Village History: କଇଁସାରୀ ଗାଁର ଅଜଣା ଇତିହାସ, କାଞ୍ଚି ଅଭିଯାନ ସହ ରହିଛି ସମ୍ପର୍କ
ଗାଁ ଅଛି ମାନେ ତାର ଏକ ପରିଚୟ ଅଛି । ଆଉ ସେହି ପରିଚୟର ପଛରେ ଲୁଚି ରହିଛି ଇତିହାସ, ପରମ୍ପରା ଓ କିମ୍ବଦନ୍ତୀର ରୋମାଞ୍ଚକର କାହାଣୀ। କଇଁସାରୀ ଗାଁ । ଯାହାକୁ ଏକଦା କୁମୁଦସାର ଗଡ଼ ବୋଲି ମଧ୍ୟ କୁହାଯାଉଥିଲା। କାଞ୍ଚି ଅଭିଯାନରୁ ଆରମ୍ଭ କରି ରାଜା-ରାଣୀଙ୍କ ପ୍ରେମ ଓ ପରମ୍ପରାର ଅନେକ ଅଜଣା କାହାଣୀ ବହନ କରୁଛି ଏହି ଐତିହାସିକ ଗ୍ରାମ। ଏହା କେବଳ ଏକ ଗାଁ ନୁହେଁ ଏହା ଇତିହାସର ଜୀବନ୍ତ ଅଧ୍ୟାୟ। ମୟୁରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅନ୍ତର୍ଗତ କଇଁସାରୀ ଗ୍ରାମ। ଆଜି ଯେଉଁ ଗାଁକୁ କଇଁସାରୀ ନାମରେ ଜଣାଯାଏ, ଏକଦା ତାହା କୁମୁଦସାର ଗଡ଼ ନାମରେ ପରିଚିତ ଥିଲା। କୁହାଯାଏ ମଧ୍ୟ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଐତିହାସିକ ସଂଯୋଗ ସହ କଇଁସାରୀ ଗଡ଼ର ଥିଲା ଗଭୀର ସମ୍ପର୍କ।
ଇତିହାସର ପୃଷ୍ଠା ଓଲଟାଇଲେ ମିଳେ ଆଉ ଏକ ରୋଚକ କାହାଣୀ। ତତ୍କାଳୀନ ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନରେ କଇଁସାରୀ ଗଡ଼ର ରାଜା ବସନ୍ତ ବିରାଟ ସାମିଲ ହୋଇଥିଲେ। ଅଭିଯାନରେ ବିଜୟ ପରେ ଗଜପତି ରାଜା ନିଜର ଦୁଇ ଭଉଣୀ ହଂସବତୀ ଓ କଲରାବତୀଙ୍କ ବିବାହ ବସନ୍ତ ବିରାଟଙ୍କ ସହ କରାଇଥିଲେ।ସ୍ଥାନୀୟ ଲୋକକଥା ଅନୁଯାୟୀ ରାଣୀ ହଂସବତୀଙ୍କର କଇଁ ଓ ସାରୀ ପ୍ରତି ଥିଲା ଅପାର ଭଲପାଇବା। ସେହି କଇଁ ଓ ସାରୀର ନାମରୁ ହିଁ କଇଁସାରୀ ନାମର ଉତ୍ପତ୍ତି ହୋଇଥିବା କୁହାଯାଏ। ଆଶ୍ଚର୍ଯ୍ୟର କଥା, ଆଜି ଗାଁରେ ସାରୀ ପକ୍ଷୀ ଦେଖିବାକୁ ନ ମିଳିଲେ ମଧ୍ୟ ଗ୍ରାମର ବିଭିନ୍ନ ପୋଖରୀରେ ଏବେ ବି ଫୁଟୁଛି କଇଁ ଫୁଲ। ଯାହା ଏହି କିମ୍ବଦନ୍ତୀକୁ ଆଜି ବି ଜୀବନ୍ତ ରଖିଛି।
ଗାଁର ପ୍ରତ୍ୟେକ କୋଣ, ପ୍ରତ୍ୟେକ ମାଟି କଣିକା ମନେ ପକାଏ ଏକ ଗୌରବମୟ ଅତୀତକୁ। ଇତିହାସ, ପରମ୍ପରା ଓ ଲୋକକଥାର ଅଦ୍ଭୁତ ସମନ୍ୱୟ ହେଉଛି କଇଁସାରୀ ଗ୍ରାମ। ରାଜା-ରାଣୀଙ୍କ ଗୌରବଗାଥା ଠାରୁ ଆରମ୍ଭ କରି ଗ୍ରାମ ନାମର ଉତ୍ପତ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ କାହାଣୀ ଏହି ମାଟିକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଇତିହାସକୁ ବଞ୍ଚାଇ ରଖିଥିବା ଏହି ଗ୍ରାମ ଆଜି ବି ଗବେଷକ ଓ ଇତିହାସପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି।