
Salandi River: ସାଳନ୍ଦୀର ଷଷ୍ଠ ବନ୍ୟାରେ ବେହାଲ ଭଦ୍ରକ, ୫ ଦିନ ହେଲା ଜଳବନ୍ଦୀ ଜୀବନ
ସାଳନ୍ଦୀ ନଦୀରେ ଆସିଥିବା ଷଷ୍ଠ ବନ୍ୟା ଯୋଗୁଁ ବେହାଲ ହୋଇପଡ଼ିଛି ଭଦ୍ରକ ଜିଲ୍ଲା । ତିହିଡି ବ୍ଲକ ବାରସର ପଞ୍ଚାୟତର ୪ଟି ଗାଁର ଲୋକେ ଗତ ୫ ଦିନ ହେବ ଜଳବନ୍ଦୀ ଜୀବନ ବିତାଉଛନ୍ତି । ବନ୍ୟା ପାଣି ଘେରରେ ରହିଛନ୍ତି ୪୦ରୁ ଅଧିକ ପରିବାର ।
ଗାଁକୁ ଯାତାୟାତ କରୁଥିବା ରାସ୍ତା ଉପରେ ପ୍ରାୟ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଲୋକଙ୍କ ଯାତାୟାତ ପ୍ରାୟ ଠପ୍ ହୋଇଯାଇଛି । ଜରୁରୀ କାମ ପାଇଁ ବାହାରକୁ ଯିବା ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । କେବଳ ଘରଦ୍ୱାର ନୁହେଁ, ବନ୍ୟାର ପ୍ରଭାବ ପଡ଼ିଛି ଚାଷଜମି ଉପରେ ମଧ୍ୟ। ଶହ ଶହ ହେକ୍ଟର ଚାଷଜମିରେ ବନ୍ୟା ପାଣି ଜମି ରହିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ବିପନ୍ନ ପରିବାରଙ୍କ ପାଖରେ ଏପର୍ଯ୍ୟନ୍ତ ଶୁଖିଲା ଖାଦ୍ୟ ପହଞ୍ଚିନଥିବା ଅଭିଯୋଗ । ଦୀର୍ଘ ସମୟ ଧରି ପାଣି ଘେରରେ ରହିଥିବା ଲୋକେ ଖାଦ୍ୟ, ପାନୀୟ ଜଳ ଓ ଯାତାୟାତକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ବନ୍ୟାବିପନ୍ନଙ୍କ ପାଖରେ ଶୀଘ୍ର ରିଲିଫ୍ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ଦାବି ଜୋର ଧରିଛି ।