
Koraput Coffee: ବିଶ୍ୱ ଦରବାରରେ କୋରାପୁଟ କଫିର ସ୍ୱାଦ, ବଢୁଛି ଚାହିଦା
କୋରାପୁଟର ପାହାଡ଼ିଆ ମାଟିରେ ଉତ୍ପାଦିତ କଫି ଏବେ କେବଳ ଓଡ଼ିଶା ନୁହେଁ, ଦେଶର ସୀମା ଡେଇଁ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରୁଛି । ଆରବିକା ଫ୍ଲେଭରର ବିଶେଷ ସ୍ୱାଦ ଏବଂ ସୁଗନ୍ଧ ପାଇଁ କଫିପ୍ରେମୀଙ୍କ ମଧ୍ୟରେ କୋରାପୁଟ କଫିର ଚାହିଦା ବଢ଼ୁଥିବା କୁହାଯାଉଛି ।
କୋରାପୁଟର ଜଳବାୟୁ, ଉଚ୍ଚତା ଏବଂ ପାହାଡ଼ିଆ ପରିବେଶ କଫି ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠାକାର କଫିର ସ୍ୱାଦ ଓ ଗୁଣରେ ଏକ ଭିନ୍ନତା ଦେଖିବାକୁ ମିଳେ । ଏହି କଫି ଚାଷ ଏବେ ଅଞ୍ଚଳର ଚାଷୀଙ୍କ ଜୀବିକା ସହ ମଧ୍ୟ ଜଡ଼ିତ ହେଉଛି । ତେବେ କୋରାପୁଟ କଫିର କାହାଣୀ କେବଳ ଚାଷ କିମ୍ବା ବ୍ୟବସାୟରେ ସୀମିତ ନାହିଁ । କଫି ସହ କୋରାପୁଟର ପର୍ଯ୍ୟଟନକୁ ଯୋଡ଼ିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ପାହାଡ଼, ଝରଣା ଓ ସବୁଜ ପରିବେଶ ସହ କଫି ବଗିଚା ପର୍ଯ୍ୟଟକଙ୍କ ପାଇଁ ଏକ ନୂଆ ଆକର୍ଷଣ ହୋଇପାରେ ।
କୋରାପୁଟ କଫିକୁ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଭାବେ ପରିଚୟ ଦେବାକୁ ପ୍ରଶାସନ ପକ୍ଷରୁ ନୂଆ ଯୋଜନା ଉପରେ କାମ ଆରମ୍ଭ ହୋଇଛି । ‘Koraput Origin’ ନାମରେ ଏହାକୁ ବିଶ୍ୱ ବଜାରରେ ପରିଚିତ କରାଇବା ଦିଗରେ ପ୍ରୟାସ ଚାଲିଛି । ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ କୋରାପୁଟ କଫି ଓଡ଼ିଶାର ଏକ ନୂଆ ପରିଚୟ ଭାବେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବା ସହ ଚାଷୀଙ୍କ ଆୟ ଓ ସ୍ଥାନୀୟ ପର୍ଯ୍ୟଟନକୁ ମଧ୍ୟ ନୂଆ ଗତି ଦେଇପାରେ ।