ଦେଶ ବିଦେଶ

Meerut Blue Drum Murder Case: ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା, ଆଜି ଆସିବ କୋର୍ଟଙ୍କ ରାୟ

ମେରଟର ବ୍ରହ୍ମପୁର ଅଞ୍ଚଳରେ ଘଟିଥିବା କୁଖ୍ୟାତ ନୀଳ ଡ୍ରମ୍ ହତ୍ୟା ମାମଲାରେ ଜିଲ୍ଲା ଜଜ୍ କୋର୍ଟ ସେପ୍ଟେମ୍ବର ୩୦ ବୁଧବାର ଦିନ ଅର୍ଥାତ ଆଜି ତାଙ୍କ ରାୟ ଶୁଣାଇବେ । ମର୍ଜାଣ୍ଟ ନେଭି ଅଧ୍କାରୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମୁସ୍କାନ ଏବଂ ସାହିଲ ଦୋଷୀ କି ନାହିଁ ତାହା କୋର୍ଟ ପ୍ରଥମେ ନିର୍ଣ୍ଣୟ କରିବେ। ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଦଣ୍ଡ ଶୁଣାଣି ହେବ ।

ଏହି ମାମଲାର ଶେଷ ଯୁକ୍ତି ସେପ୍ଟେମ୍ବର ୧୭ ତାରିଖରେ ଶେଷ ହୋଇଥିଲା । ପରିସ୍ଥିତିଗତ ପ୍ରମାଣ ଏବଂ ମାମଲା ସହ ଜଡିତ ବିଭିନ୍ନ ତଥ୍ୟକୁ ଆଧାର କରି ସରକାରୀ ଓକିଲ ଉଭୟ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ । ହତ୍ୟା ପୂର୍ବରୁ ଏବଂ ପରେ କରାଯାଇଥିବା ପ୍ରସ୍ତୁତି ସମ୍ପର୍କିତ ପ୍ରମାଣ ମଧ୍ଯ କୋର୍ଟରେ ସରକାରୀ ଓକିଲ ଉପସ୍ଥାପନ କରିଥିଲେ । ଯେଉଁଥିରେ ମାରଣାସ୍ତ୍ର,ନୀଳ ଡ୍ରମ୍, ସିମେଣ୍ଟ ଓ ବାଲି ସାମିଲ ଥିଲା । ଏଥିସହ ସୌରଭଙ୍କ ପରିବାର ପକ୍ଷରୁ ମାମଲା ଲଢୁଥିବା ଓକିଲ ବିଜୟ ବାହାଦୁରଙ୍କ ଅନୁସାରେ, ବାଦୀ ପକ୍ଷରୁ ମୋଟ ୨୨ ଜଣ ସାକ୍ଷୀଙ୍କୁ କୋର୍ଟରେ ଉପସ୍ଥାପନ କରାଯାଇଛି । ଏଥିରେ ସୌରଭଙ୍କ ଭାଇ ବବଲୁ, ତାଙ୍କ ମାଆ ଏବଂ ସୌରଭଙ୍କ ଜଣେ ବନ୍ଧୁ ମଧ୍ୟ ରହିଛନ୍ତି । ଏହା ବ୍ୟତୀତ, ଡ୍ରମ୍, ଔଷଧ, ଛୁରୀ, ସିମେଣ୍ଟ ଇତ୍ୟାଦି କ୍ରୟରେ ସମ୍ପୃକ୍ତ ଦୋକାନୀମାନେ ମଧ୍ୟ ସାକ୍ଷ୍ୟ ଦେଇଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ଯେଉଁ ସ୍ଥାନକୁ ଯାଇଥିଲେ, ସେସବୁ ସହ ଜଡିତ ପ୍ରମାଣ ମଧ୍ୟ ଅଦାଲତରେ ରଖାଯାଇଛି । ଅଭିଯୋଗ ପକ୍ଷର ଯୁକ୍ତି ହେଉଛି, ମୃତଦେହକୁ ଡ୍ରମ୍ ଭିତରେ ରଖି ସିମେଣ୍ଟରେ ସିଲ୍ କରି ଅନ୍ୟତ୍ର ନେଇ ଯାଇ ଲୁଚାଇବାର ଯୋଜନା ଥିଲା । କିନ୍ତୁ ସେହି ଯୋଜନା ପୂରା ହେବା ପୂର୍ବରୁ ମାମଲା ସାମ୍ନାକୁ ଆସିଥିବା ଅଭିଯୋଗ ପକ୍ଷ କହିଛି ।

ମୁସ୍କାନଙ୍କ ପକ୍ଷରୁ ଓକିଲ ରେଖା ଜୈନ ପକ୍ଷ ଉପସ୍ଥାପନ କରିଥିଲେ । ବିଜୟ ବାହାଦୁରଙ୍କ ଅନୁଯାୟୀ, ପ୍ରତିରକ୍ଷା ଅଭିଯୁକ୍ତଙ୍କ ଦ୍ବାରା ହତ୍ୟାକୁ ଅସ୍ବୀକାର କରିଛନ୍ତି । ବାଦୀମାନେ ସେମାନଙ୍କର ସମସ୍ତ ପ୍ରମାଣ ଏବଂ ସାକ୍ଷୀଙ୍କୁ କୋର୍ଟ ସମ୍‌ମୁଖରେ ଉପସ୍ଥାପନ କରିଛନ୍ତି । ଓକିଲ କହିଛନ୍ତି ଯେ ସର୍ବନିମ୍ନ ଦଣ୍ଡ ଆଜୀବନ କାରାଦଣ୍ଡ ଏବଂ ସର୍ବାଧିକ ଦଣ୍ଡ ମୃତ୍ୟୁ । ତେଣୁ ସର୍ବାଧିକ ଦଣ୍ଡ ପାଇଁ ଆବେଦନ କରାଯାଇଛି । ମୁସ୍କାନଙ୍କ ଝିଅର ଡିଏନଏ ପରୀକ୍ଷା ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଛି। ଏନେଇ ଓକିଲ ବିଜୟ ବାହାଦୁର କହିଛନ୍ତି ଯେ ବର୍ତ୍ତମାନ ହତ୍ୟା ମାମଲାର ବିଚାର ଚାଲିଥିବାରୁ ଏପରି ଦାବିର ପ୍ରଭାବ ମାମଲା ଉପରେ ପଡ଼ିପାରେ । ଶିଶୁଟି ସମ୍ପର୍କରେ ଅଦାଲତ ହିଁ ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମେରଟ ଜେଲର ବରିଷ୍ଠ ଜେଲ୍ ଅଧୀକ୍ଷକ ବୀରେଶ ରାଜ ଶର୍ମାଙ୍କ ଅନୁସାରେ, ଜେଲରେ ମୁସ୍କାନ ପୂର୍ବ ଅପେକ୍ଷା ଏବେ ଅଧିକ ସମୟ ଧାର୍ମିକ କାର୍ଯ୍ୟକଳାପରେ ବିତାଉଛନ୍ତି । ସେ ନିୟମିତ ସନ୍ଧ୍ୟା ପ୍ରାର୍ଥନା, ସୁନ୍ଦରକାଣ୍ଡ ପାଠ ଏବଂ ଶିବ ପୂଜା କରୁଥିବା କୁହାଯାଇଛି । ସେହିପରି ସାହିଲ ଅନ୍ୟ ବନ୍ଦୀମାନଙ୍କ ସହ ବେଶି କଥାବାର୍ତ୍ତା ନକରି ନିଜ କାମରେ ବ୍ୟସ୍ତ ରହୁଥିବା ଜଣାପଡ଼ିଛି ।

ଏବେ ସମସ୍ତଙ୍କ ନଜର ଆଜିର କୋର୍ଟ ରାୟ ଉପରେ । ପ୍ରଥମେ ଅଦାଲତ ଅଭିଯୁକ୍ତ ମୁସ୍କାନ ଏବଂ ସାହିଲ ଦୋଷୀ କି ନିର୍ଦ୍ଦୋଷ, ସେନେଇ ରାୟ ଦେବେ । ଦୋଷୀ ସାବ୍ୟସ୍ତ ହେଲେ, ଦଣ୍ଡାଦେଶ ପ୍ରସଙ୍ଗରେ ଆହୁରି ଶୁଣାଣି କରାଯିବ ।

Leave a Reply

Your email address will not be published. Required fields are marked *

Back to top button