ଦେଶ ବିଦେଶ

Donald Trump: AI ନୁହେଁ, ଏଣିକି SI, ଟ୍ରମ୍ପଙ୍କ ବଡ଼ ଘୋଷଣା!

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଭୂତପୂର୍ବ ପଦକ୍ଷେପ । ପ୍ରଯୁକ୍ତି ଜଗତର ସବୁଠାରୁ ଚର୍ଚ୍ଚିତ ଶବ୍ଦ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ AI ବା କୃତ୍ରିମ ବୁଦ୍ଧିମତ୍ତାର ନାମ ବଦଳାଇ ଦେଇଛନ୍ତି । ଆମେରିକୀୟ କେନ୍ଦ୍ରୀୟ ପ୍ରଶାସନ ତଥା ଫେଡେରାଲ୍ ସରକାରରେ ଏଣିକି ଏହାକୁ କେବଳ ସୁପର ଇଣ୍ଟେଲିଜେନ୍ସ ବା ସଂକ୍ଷେପରେ SI ଭାବେ ବ୍ୟବହାର କରିବା ପାଇଁ ସେ ଏକ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ସ୍ୱାକ୍ଷର କରିଛନ୍ତି ।

ଏହି ନିର୍ଦ୍ଦେଶନାମାର ଶୀର୍ଷକ ରହିଛି ଇନଅଗ୍ୟୁରେଟିଂ ଦି ଏରା ଅଫ୍ ସୁପର ଇଣ୍ଟେଲିଜେନ୍ସ । ରାଷ୍ଟ୍ରପତିଙ୍କ ଏହି ନୂତନ ଆଦେଶ ଅନୁସାରେ, ସରକାରୀ ସ୍ତରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ AI ଶବ୍ଦର ବ୍ୟବହାରକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯିବ । ଆଦେଶପତ୍ରରେ ଉଲ୍ଲେଖ ରହିଛି ​ଫେଡେରାଲ୍ ସରକାର ବ୍ୟବହାର କରୁଥିବା ଶବ୍ଦାବଳୀରେ ଏହି ଅତ୍ୟାଧୁନିକ ପ୍ରଯୁକ୍ତିର ପରିବର୍ତ୍ତନଶୀଳ ସାମର୍ଥ୍ୟ ଏବଂ ଆମେରିକୀୟ ନାଗରିକଙ୍କ ପାଇଁ ଏହା ସୃଷ୍ଟି କରୁଥିବା ଅସୀମ ସୁଯୋଗ ପ୍ରତିଫଳିତ ହେବା ଉଚିତ ।

ନିର୍ଦ୍ଦେଶନାମା ଅନୁଯାୟୀ, ଆମେରିକାର ସମସ୍ତ ମନ୍ତ୍ରଣାଳୟ, ବିଭାଗ, ଏଜେନ୍ସି, ସରକାରୀ ଯୋଗାଯୋଗ, ନୀତିଗତ ଦସ୍ତାବିଜ ଏବଂ ରିପୋର୍ଟରେ ଏଣିକି AI ବଦଳରେ SI ଲେଖାଯିବା ବାଧ୍ୟତାମୂଳକ। ଏଥିସହିତ ଫେଡେରାଲ୍ ଆଇନରେ ସୁପର ଇଣ୍ଟେଲିଜେନ୍ସ (SI)ର ସଠିକ୍ ସଂଜ୍ଞା ନିରୂପଣ କରିବା ପାଇଁ ହ୍ୱାଇଟ୍ ହାଉସର ବୈଜ୍ଞାନିକ ଉପଦେଷ୍ଟାଙ୍କୁ ୬୦ ଦିନର ସମୟ ପ୍ରଦାନ କରାଯାଇଛି। ହ୍ୱାଇଟ୍ ହାଉସରେ ପ୍ରମୁଖ ବୈଷୟିକ କମ୍ପାନୀଗୁଡ଼ିକର ମୁଖ୍ୟ ତଥା ନେତୃବୃନ୍ଦଙ୍କ ସହ ଡାଟା ସେଣ୍ଟର ବିସ୍ତାର ଓ ପ୍ରଯୁକ୍ତି ଭିତ୍ତିଭୂମି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଟ୍ରମ୍ପ ଏହି ଘୋଷଣା କରିଥିଲେ ।

ଟ୍ରମ୍ପ କହିଛନ୍ତି ଯେ ଆର୍ଟିଫିସିଆଲ୍ ଶବ୍ଦ ନକଲି ବା କୃତ୍ରିମତାର ଆଭାସ ଦିଏ, ମାତ୍ର ଆମେରିକାର ପ୍ରଯୁକ୍ତି ନକଲି ନୁହେଁ; ଏହା ଅତ୍ୟନ୍ତ ଉନ୍ନତ, ଶ୍ରେଷ୍ଠ ଏବଂ ଚରମ ବୁଦ୍ଧିମତ୍ତା । ତେଣୁ ସୁପର ଶବ୍ଦଟି ସବୁଠାରୁ ସହଜ ଓ ପ୍ରଭାବଶାଳୀ । ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ପରେ ବିଶ୍ୱ ଟେକ୍ନୋଲୋଜି ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବୈଷୟିକ ବିଶେଷଜ୍ଞଙ୍କ ମତରେ, ବୈଜ୍ଞାନିକ ଭାଷାରେ AI ଏବଂ କଳ୍ପିତ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ‘ଆର୍ଟିଫିସିଆଲ୍ ସୁପର ଇଣ୍ଟେଲିଜେନ୍ସ (ASI)’ ମଧ୍ୟରେ ପାର୍ଥକ୍ୟ ରହିଛି । ତଥାପି, ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱସ୍ତରରେ ଆମେରିକାର ପ୍ରାଧାନ୍ୟ ବଜାୟ ରଖିବା ଏବଂ ଏକ ଶକ୍ତିଶାଳୀ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଟ୍ରମ୍ପ ପ୍ରଶାସନ ଏହି ବ୍ରାଣ୍ଡିଂ ପରିବର୍ତ୍ତନ କରିଥିବା ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button