
Vigilance Raid: ବଡ଼ଚଣାରେ ଭିଜିଲାନ୍ସର ବଡ଼ ଟ୍ରାପ୍, ଗିରଫ ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ଜବତ
ଗିରଫ ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ଜବତ । ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରୁ ନଗଦ ୫ ଲକ୍ଷ ୧୫ ହଜାର ଜବତ କରିଛି ଭିଜିଲାନ୍ସ । ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ । ଜଗତପୁର ସ୍ଥିତ ଜେନାମଣି ମଣ୍ଡପ ନିକଟ ବାସଭବନରୁ ଟଙ୍କା ଜବତ ହୋଇଛି ।
ଲାଞ୍ଚ ମାମଲାରେ ବନ୍ଦିତା ଓ ସହଯୋଗୀଙ୍କ ବିରୋଧରେ ହୋଇଛି ମାମଲା । ବକେୟା ବିଲ୍ ପାସ୍ ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ବଡ଼ଚଣା ବ୍ଲକ ଅଞ୍ଚଳରେ ଏକ ସ୍କୁଲର ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିବା ଜଣେ ଠିକା କାର୍ଯ୍ୟ ନିର୍ବାହକ ତାଙ୍କ ବକେୟା ବିଲ୍ ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ଆବେଦନ କରିଥିଲେ ।
ଏହି ଟଙ୍କା ଛାଡ଼ କରିବା ପାଇଁ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ହଇରାଣ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍ । ଉଭୟଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।