ଦେଶ ବିଦେଶ

Most Wanted: FBIର ୧୦ ମୋଷ୍ଟ ୱାଣ୍ଟେଡ ତାଲିକାରେ ଗୋଲ୍ଡି ବ୍ରାର, ଧରାଇଦେଲେ ୧ ମିଲିୟନ ଡଲାର ପୁରସ୍କାର

FBIର ‘Ten Most Wanted’ ତାଲିକାରେ ଗୋଲ୍ଡି ବ୍ରାର । ଧରାଇଦେଲେ ୧ ମିଲିୟନ ଡଲାର ପୁରସ୍କାର । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଧରିବା ପାଇଁ ବଡ଼ ପଦକ୍ଷେପ ନେଇଛି ଆମେରିକାର FBI । ସତିନ୍ଦରଜିତ ସିଂହ ଓରଫ ଗୋଲ୍ଡି ବ୍ରାରକୁ FBI ନିଜର ‘Ten Most Wanted Fugitives’ ତାଲିକାରେ ସାମିଲ କରିଛି ।

ତାଙ୍କ ଗିରଫଦାରୀରେ ସହାୟକ ହେବା ଭଳି ସୂଚନା ପାଇଁ ୧ ମିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଛି । FBI ଗୋଲ୍ଡି ବ୍ରାରକୁ ସଶସ୍ତ୍ର ଓ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛି । ତାଙ୍କ ନିକଟକୁ ନଯାଇ ସୂଚନା ଥିଲେ FBI କିମ୍ବା ସ୍ଥାନୀୟ ପୋଲିସକୁ ଜଣାଇବାକୁ କୁହାଯାଇଛି । FBI ଅନୁସାରେ ସେ ଆମେରିକାରେ ରହୁଛନ୍ତି ଏବଂ ଲରେନ୍ସ ବିଷ୍ଣୋଇ ସଂଗଠିତ ଅପରାଧ ଗୋଷ୍ଠୀର ଉତ୍ତର ଆମେରିକା ନେଟୱର୍କର ଜଣେ ପ୍ରମୁଖ ଅଭିଯୁକ୍ତ ।

୧୯୯୪ ମାର୍ଚ୍ଚ ୧୧ରେ ପଞ୍ଜାବର ଶ୍ରୀ ମୁକ୍ତସର ସାହିବରେ ଜନ୍ମ ହୋଇଥିବା ସତିନ୍ଦରଜିତ ସିଂହ ଗୋଲ୍ଡି ବ୍ରାର ନାମରେ ଅଧିକ ପରିଚିତ । ହତ୍ୟା, ହତ୍ୟା ଉଦ୍ୟମ ଓ ଡ୍ରଗ୍ସ ଚାଲାଣ ସହ ଜଡ଼ିତ ବିଭିନ୍ନ ମାମଲାରେ ଭାରତୀୟ ଏଜେନ୍ସି ମଧ୍ୟ ତାଙ୍କୁ ଖୋଜୁଛନ୍ତି । ପୂର୍ବରୁ କାନାଡାର BOLO କାର୍ଯ୍ୟକ୍ରମର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ମଧ୍ୟ ତାଙ୍କ ନାମ ରହିଥିଲା । ଆମେରିକାରେ ମଧ୍ୟ ବ୍ରାର ବିରୋଧରେ ଗୁରୁତର ଅଭିଯୋଗ ରହିଛି। ୨୦୨୬ ଜୁଲାଇ ୧ରେ ଲସ୍ ଆଞ୍ଜେଲସ୍ ସ୍ଥିତ US District Courtରୁ ତାଙ୍କ ବିରୋଧରେ ଫେଡେରାଲ୍ ଗିରଫ ପରୱାନା ଜାରି ହୋଇଥିଲା ।

RICO ଷଡ଼ଯନ୍ତ୍ର, ଜବରଦସ୍ତ ଟଙ୍କା ଆଦାୟ ପାଇଁ ଷଡ଼ଯନ୍ତ୍ର ଏବଂ ନିଶାଦ୍ରବ୍ୟ ବଣ୍ଟନ ସହ ଜଡ଼ିତ ଷଡ଼ଯନ୍ତ୍ର ଭଳି ଅଭିଯୋଗ ତାଙ୍କ ବିରୋଧରେ ରହିଛି । FBI, କାନାଡାର RCMP ଓ Los Angeles Police Departmentର ବହୁବର୍ଷର ‘Operation Hardball’ ତଦନ୍ତ ପରେ ଏହି ମାମଲାରେ ୩୭ ଜଣଙ୍କ ବିରୋଧରେ ଅଭିଯୋଗ ସାମ୍ନାକୁ ଆସିଥିଲା ।

ପୂର୍ବରୁ ଗୋଲ୍ଡି ବ୍ରାର ସମ୍ପର୍କରେ ସୂଚନା ପାଇଁ FBI ୫୦ ହଜାର ଡଲାର ପୁରସ୍କାର ରଖିଥିଲା । ଏବେ ତାହାକୁ ବଢ଼ାଇ ୧ ମିଲିୟନ ଡଲାର ପର୍ଯ୍ୟନ୍ତ କରାଯାଇଛି । ଆମେରିକୀୟ ତଦନ୍ତକାରୀଙ୍କ ଅଭିଯୋଗ ଅନୁସାରେ, ଲରେନ୍ସ ବିଷ୍ଣୋଇ ଭାରତରେ ଜେଲରେ ଥିବାବେଳେ ତାଙ୍କ ସହଯୋଗୀଙ୍କ ଜରିଆରେ ଅପରାଧିକ ନେଟୱର୍କ ପରିଚାଳନା କରୁଥିଲେ । ଗୋଲ୍ଡି ବ୍ରାର ଏହି ନେଟୱର୍କର ବିଦେଶୀ କାର୍ଯ୍ୟକଳାପରେ ପ୍ରମୁଖ ଭୂମିକା ନେଉଥିବା ଆମେରିକୀୟ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।

FBIର ଅଭିଯୋଗ ଅନୁସାରେ ଏହି ଗୋଷ୍ଠୀ ହତ୍ୟା, ଗୁଳିକାଣ୍ଡ, ଅପହରଣ, ଦାଦାବଟି ଆଦାୟ ଏବଂ ଡ୍ରଗ୍ସ ଓ ଅସ୍ତ୍ର ଚାଲାଣ ଭଳି ଅପରାଧରେ ସମ୍ପୃକ୍ତ । ୨୦୨୩ ଜୁନ୍ ୧୮ରେ କାନାଡାର ସରେରେ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାକୁ ମଧ୍ୟ ଆମେରିକୀୟ ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି । FBI ଅନୁସାରେ ଗୋଲ୍ଡି ବ୍ରାରଙ୍କ ନେଟୱର୍କ କାଲିଫର୍ଣ୍ଣିଆର Sacramento ଓ Fresno ସହ କାନାଡା, ଭାରତ ଏବଂ ମେକ୍ସିକୋ ପର୍ଯ୍ୟନ୍ତ ବ୍ୟାପିଛି । ସେ କାଲିଫର୍ଣ୍ଣିଆ କିମ୍ବା କାନାଡାର ବିଭିନ୍ନ ସ୍ଥାନରେ ରହୁଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Back to top button