
Asian Games: ୨୦ତମ ଏସୀୟ କ୍ରୀଡ଼ାରେ ୧୬ରେ ପହଞ୍ଚିଲା KIIT ବିଶ୍ୱବିଦ୍ୟାଳୟ ପଦକ ସଂଖ୍ୟା
୨୦ତମ ଏସୀୟ କ୍ରୀଡ଼ାରେ ୧୬ରେ ପହଞ୍ଚିଲା KIIT ବିଶ୍ୱବିଦ୍ୟାଳୟ ପଦକ ସଂଖ୍ୟା । ୨୦ତମ ଏସୀୟ କ୍ରୀଡ଼ା, ଏଚି-ନାଗୋୟା ୨୦୨୬ରେ KIIT ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାରତ ପାଇଁ ଉଲ୍ଲେଖନୀୟ ସଫଳତା ଆଣିଛନ୍ତି । ଆଉ ୫ଟି ପଦକ- ୨ଟି ରୌପ୍ୟ ଓ ୩ଟିକାଂସ୍ୟ ପଦକ ଜିତିବା ସହ ଏସୀୟ କ୍ରୀଡ଼ାରେ KIITର ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିଛି । ବିଭିନ୍ନ କ୍ରୀଡ଼ା ବିଭାଗରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା KIITର ୫୪ ଜଣ ଛାତ୍ରଛାତ୍ରୀ ଏହି ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ନିଜ ପ୍ରତିଭାର ପରିଚୟ ଦେଉଛନ୍ତି ।
ନୂଆ ପଦକ ସଫଳତା ଭାରତର ପଦକ ଅଭିଯାନରେ KIITର ଅବଦାନକୁ ଆହୁରି ମଜବୁତ କରିଛି । ଦିନର ସବୁଠାରୁ ବଡ଼ ଉପଲବ୍ଧି ଆସିଛି ମହିଳା ୫ ହଜାର ମିଟର ଦୌଡ଼ରୁ । ପାରୁଲ ଚୌଧୁରୀ ଏସୀୟ କ୍ରୀଡ଼ାରେ ଦ୍ବିତୀୟ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ମହିଳା ୫ ହଜାର ମିଟର ଦୌଡ଼ରେ ୧୫.୧୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିବା ସହ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ।
ଏହା ପୂର୍ବରୁ ସେ ମହିଳା ୩ ହଜାର ମିଟର ଷ୍ଟିପଲଚେଜରେ ନୂତନ ଜାତୀୟ ରେକର୍ଡ ସହ ନିଜର ପ୍ରଥମ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ଭିଥ୍ୟା ରାମରାଜ ମହିଳା ୪ଶହ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ସଫଳତା ସହ ସେ ଏକ ନୂଆ ଇତିହାସ ରଚିଛନ୍ତି । ସେ ୫୪.୭୫ ସେକେଣ୍ଡ ସମୟ ନେଇ ଦୌଡ଼ ପୂରା କରିବା ସହ ଭାରତର କିମ୍ବଦନ୍ତୀ ଆଥଲେଟ ପ.ଟି. ଉଷାଙ୍କ ୪୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ଭିଥ୍ୟା ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଭାବେ ଏହି ଇଭେଣ୍ଟରେ ୫୫ ସେକେଣ୍ଡରୁ କମ ସମୟରେ ଦୌଡ଼ ଶେଷ କରିଛନ୍ତି ।
ସେହିପରି ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶ ପାଇଁ ଦୁଇଟି ପଦକ ହାସଲ କରିଛନ୍ତି କିଟ୍ ଖେଳାଳି । ୟଶବୀର ସିଂ ରୌପ୍ୟ ପଦକ ଜିତିଥିବା ବେଳେ ରୋହିତ ଯାଦବ କାଂସ୍ୟ ପଦକ ଜିତିଛନ୍ତି । ୟଶବୀର ସିଂ ନିଜର ଶେଷ ପ୍ରୟାସରେ ୮୫.୭୨ ମିଟର ଜାଭେଲିନ୍ ଫିଙ୍ଗି ଏହି ସଫଳତା ହାସଲ କରିବା ସହ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।
ସେହିପରି ରୋହିତ ଯାଦବ ଜାଭେଲିନରେ ଚମତ୍କାର ପ୍ରଦର୍ଶନ ସହବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ୮୪.୩୫ ମିଟର ଜାଭେଲିନ ଫିଙ୍ଗି କାଂସ୍ୟ ପଦକ ଜିତିଛନ୍ତି । ଏସୀୟ କ୍ରୀଡ଼ାରେ ନିଜର ଦକ୍ଷତା ସହ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପଦକ ବିଜୟୀ କିଟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ, କିସ ଓ କିମସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। କ୍ରୀଡ଼ାବିତଙ୍କ ଉଲ୍ଲେଖନୀୟ ସଫଳତା ହାସଲ ନେଇ ଖୁସି ବ୍ୟକ୍ତ କରିବା ସହ ଏହି ଧାରାକୁ ଜାରି ରଖି ଆଗକୁ ବି ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି ଡ. ସାମନ୍ତ । ନିରବଚ୍ଛିନ ସମର୍ଥନ, ପ୍ରୋତ୍ସାହନ ଓ ପ୍ରେରଣା ଯୋଗାଇ ଆସିଥିବାରୁ ପଦକ ବିଜୟୀ କ୍ରୀଡ଼ାବିତ ମାନେ ପ୍ରତିଷ୍ଠାତା ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସଫଳତା ପଛରେ କିଟର ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି, ପ୍ରୋଫେସନାଲ କୋଚିଂ, ଅତ୍ୟାଧୁନିକ ପ୍ରଶିକ୍ଷଣ ସୁବିଧାକୁ ସେମାନେ ଶ୍ରେୟ ଦେଇଛନ୍ତି ।