
Kedarnath Snowfall : କେଦାରନାଥରେ ଆଗାମୀ ୩ ଦିନ ତୁଷାରପାତ ଆଲର୍ଟ, ନଭେମ୍ବର ୧୧ରେ ବନ୍ଦ ହେବ କପାଟ
କେଦାରନାଥ ଧାମରେ ଜାରି ରହିଛି ତୁଷାରପାତ । ବୁଧବାର ଅପରାହ୍ନରୁ ହୋଇଥିବା ବରଫପାତ ଯୋଗୁଁ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଏଠାରେ ତାପମାତ୍ରା ମାଇନସ୍ ୮ ଡିଗ୍ରୀ ସେଲସିୟସ୍କୁ ହ୍ରାସ ପାଇଛି । ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା ଯୋଗୁଁ ପାଣି ପାଇପଲାଇନ୍ ମଧ୍ୟ ଜମିଯାଇଥିବା ଜଣାପଡିଛି ।
ଉତ୍ତରାଖଣ୍ଡ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୪ଟି ଜିଲ୍ଲାରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଏଥିସହ କେଦାରନାଥ ଧାମରେ ଆଗାମୀ ୨ ଦିନ ଧରି ତୁଷାରପାତ ହେବାର ଆଶଙ୍କା ରହିଛି । ପାଣିପାଗରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀଙ୍କୁ ସତର୍କ ରହିବା ସହ ଆବଶ୍ୟକ ପ୍ରସ୍ତୁତି କରି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି ।
ଚଳିତ ବର୍ଷ ଏଯାଏଁ ୧୭ ଲକ୍ଷ ୮୪ ହଜାର ୬୬୦ ଜଣ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ କରିସାରିଛନ୍ତି । ଧାମର କବାଟ ବନ୍ଦ ହେବାକୁ ଆଉ କିଛି ଦିନ ବାକିଥିବାରୁ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତଥାପି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ଚଳିତ ବର୍ଷ ନଭେମ୍ବର ୧୧ ତାରିଖରେ ଶୀତକାଳ ପାଇଁ ବାବା କେଦାରଙ୍କ ଧାମର କବାଟ ବନ୍ଦ କରାଯିବ। ତେଣୁ ଶ୍ରଦ୍ଧାଳୁମାନେ ଯାତ୍ରା ପୂର୍ବରୁ ପାଣିପାଗର ସଦ୍ୟତମ ସୂଚନା ନେବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି ।
ଜିଲ୍ଲାପାଳ ବିଶାଳ ମିଶ୍ରଙ୍କ କହିବା ଅନୁସାରେ, ଗତ ଏକ ସପ୍ତାହ ଧରି ପାଗ ଅନୁକୂଳ ରହିଥିବାରୁ ଯାତ୍ରା ବ୍ୟବସ୍ଥା ସ୍ୱାଭାବିକ ରହିଛି । ହେଲିକପ୍ଟର ସେବା ମଧ୍ୟ ସୁଚାରୁ ରୂପେ ଚାଲିଛି । ଯାତ୍ରାର ଅବଶିଷ୍ଟ ଦିନଗୁଡ଼ିକରେ ଶ୍ରଦ୍ଧାଳୁଙ୍କୁ ଉନ୍ନତ ସୁବିଧା ଯୋଗାଇଦେବା ସହ ସେମାନଙ୍କ ଯାତ୍ରାକୁ ସୁରକ୍ଷିତ ଓ ସୁଗମ କରିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି ।