
Curd and Jalebi: ସକାଳୁ ଦହି ସହ ଜିଲାପି ଖାଉଛନ୍ତି କି? ଜାଣନ୍ତୁ ଏହାର ଫାଇଦା ଓ କ୍ଷତି
ଦହି-ଜିଲାପି ନାଁ ଶୁଣିଲେ ଅନେକଙ୍କ ପାଟିରେ ପାଣି ଆସିଯାଏ । ବିଶେଷକରି ଉତ୍ତର ଭାରତରେ ଏହା ଏକ ଲୋକପ୍ରିୟ ଜଳଖିଆ । ତେବେ ଦହି-ଜିଲାପି କେବଳ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହାର କିଛି ପୁଷ୍ଟିଗତ ଲାଭ ମଧ୍ୟ ରହିଛି । ତେବେ ଏହା ଖାଇବା ଦ୍ୱାରା କେଉଁ ଫାଇଦା ମିଳେ ଏବଂ କେଉଁମାନେ ଏଥିରୁ ଦୂରେଇ ରହିବା ଉଚିତ, ଆସନ୍ତୁ ଜାଣିବା ।
ମାଇଗ୍ରେନ୍ ବା ଅଧକପାଳି ବିନ୍ଧା :
ଦହି-ଜିଲାପି ଖାଇବାର ସବୁଠାରୁ ବଡ଼ ଫାଇଦା ମାଇଗ୍ରେନ୍ ସମସ୍ୟାରେ ଦେଖିବାକୁ ମିଳେ। ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଆୟୁର୍ବେଦ ଅନୁଯାୟୀ, ଯେଉଁମାନଙ୍କର ପ୍ରବଳ ମୁଣ୍ଡବିନ୍ଧା ବା ଅଧକପାଳି ସମସ୍ୟା ଥାଏ, ସେମାନେ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ଖାଲି ପେଟରେ ଦହି ସହିତ ଗରମ ଜିଲାପି ଖାଇଲେ ଏଥିରୁ ବହୁତ ଆରାମ ମିଳିଥାଏ। ଏହା ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରି ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ।
ମାନସିକ ଚାପ ଏବଂ ଚିନ୍ତା :
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଷ୍ଟ୍ରେସ୍ ବା ଚାପ ଏକ ସାଧାରଣ ସମସ୍ୟା । ଜିଲାପି ଏକ ମିଠା ଖାଦ୍ୟ ହୋଇଥିବାରୁ ଏହା ଶରୀରରେ ‘ହାପି ହର୍ମୋନ୍’ ବା ସେରୋଟୋନିନ୍ ସୃଷ୍ଟି କରିବାରେ ସାହାଯ୍ୟ କରେ । ଦହି ସହିତ ଏହାକୁ ଖାଇବା ଦ୍ୱାରା ମନ ଶାନ୍ତ ରହେ ଏବଂ ଉତ୍କଣ୍ଠା କମିଥାଏ । ଏହାର ସ୍ୱାଦ ମନକୁ ପ୍ରସନ୍ନ କରିବା ସହ ଏକାଗ୍ରତା ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ ।
ଓଜନ ବଢ଼ାଇବାରେ ସହାୟକ :
ଯେଉଁମାନେ ଶାରୀରିକ ଭାବେ ବହୁତ ଦୁର୍ବଳ କିମ୍ବା ପତଳା ଏବଂ ନିଜର ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଦହି-ଜିଲାପି ଏକ ଉତ୍ତମ ଖାଦ୍ୟ । ଜିଲାପିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ ଏବଂ ଦହିରେ ପ୍ରୋଟିନ୍ ଓ ହେଲଦି ଫ୍ୟାଟ୍ ଥାଏ। ସକାଳ ଜଳଖିଆରେ ଏହାକୁ ସାମିଲ କଲେ ଶରୀରକୁ ପର୍ଯ୍ୟାପ୍ତ କ୍ୟାଲୋରୀ ମିଳିଥାଏ, ଯାହା ଓଜନ ବୃଦ୍ଧିରେ ସହାୟକ ହୁଏ।
ପାଚନ ପ୍ରକ୍ରିୟାରେ ଉନ୍ନତି :
ଦହିରେ ପ୍ରୋବାୟୋଟିକ୍ସ ଥାଏ, ଯାହା ପେଟରେ ଥିବା ଭଲ ବ୍ୟାକ୍ଟେରିଆ ବଢ଼ାଇବାରେ ସାହାଯ୍ୟ କରେ । ଏହା ହଜମ ପ୍ରକ୍ରିୟାକୁ ସୁଧାରିଥାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ତ୍ୱଚାର ଚମକ :
ଦହିରେ ଥିବା ଲାକ୍ଟିକ୍ ଏସିଡ୍ ଏବଂ ଜିଲାପିରୁ ମିଳୁଥିବା ଶକ୍ତି ଶରୀରର ମେଟାବୋଲିଜିମ୍ ବଢ଼ାଏ। ଏହା ଶରୀରର ବିଷାକ୍ତ ପଦାର୍ଥ ଦୂର କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ।
ଏହିମାନଙ୍କ ପାଇଁ କ୍ଷତିକାରକ :
ମଧୁମେହ : ଜିଲାପିରେ ପ୍ରଚୁର ମାତ୍ରାରେ ଚିନି ବା ଶର୍କରା ଥାଏ । ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ସମ୍ପୂର୍ଣ୍ଣ ଅନୁଚିତ ।
ହୃଦରୋଗ ଓ କୋଲେଷ୍ଟ୍ରଲ: ଜିଲାପିକୁ ତେଲ ବା ଘିଅରେ ଛଣା ଯାଉଥିବାରୁ ଏହା ହାଇ କୋଲେଷ୍ଟ୍ରଲ ଏବଂ ହୃଦରୋଗୀଙ୍କ ପାଇଁ କ୍ଷତିକାରକ।
ମୋଟାପଣ : ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ଏହି ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।