
Papankusha Ekadashi : ପାପାଙ୍କୁଶ ଏକାଦଶୀ ବ୍ରତ, ଭଗବାନ ବିଷ୍ଓୁଙ୍କ ପଦ୍ମନାଭ ସ୍ୱରୂପ ପ୍ରତିମାକୁ କରାଯାଏ ପୂଜା
ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ପାପାଙ୍କୁଶ ଏକାଦଶୀ ବ୍ରତ ପାଳନ କରାଯାଏ । ଆଶ୍ୱିନ ଏକାଦଶୀରେ ଏହି ବ୍ରତ କରିବା ଦ୍ୱାରା ସମସ୍ତଙ୍କର କଲ୍ୟାଣ ହୋଇଥାଏ । ଏହି ଦିନ ଭଗବାନ ଶ୍ରୀ ହରିଙ୍କୁ ଶ୍ରଦ୍ଧା ଏବଂ ଭକ୍ତିର ସହ ସେବା କରିବା ଉଚିତ । ଏହି ଏକାଦଶୀ ୨୧ ଅକ୍ଟୋବର ୨.୧୧ରୁ ଆରମ୍ଭ ହୋଇ ୨୨ ଅକ୍ଟୋବର ୨.୪୭ ମିନିଟରେ ଶେଷ ହେବ । ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ଭଗବାନ ବିଷ୍ଓୁଙ୍କର ପଦ୍ମନାଭ ସ୍ୱରୂପ ପ୍ରତିମା ପୂଜା କରିଥାନ୍ତି । ପ୍ରତ୍ୟେକ ଏକାଦଶୀର ଭିନ୍ନ ଭିନ୍ନ ମହତ୍ୱ ରହିଥାଏ କିନ୍ତୁ ପାପାଙ୍କୁଶ ଏକାଦଶୀ କରୁଥିବା ବ୍ୟକ୍ତିଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ ସମସ୍ତ ପାପର ପ୍ରାୟଶ୍ଚିତ ହୋଇଥାଏ । ଏହି ବ୍ରତ କରିବା ଦ୍ୱାରା ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ ।
ପାପାଙ୍କୁଶ ଏକାଦଶୀ କରିବା ଦ୍ୱାରା ଏକ ହଜାର ଅଶ୍ୱମେଧ ଏବଂ ଶହେ ସୂର୍ଯ୍ୟ ଯଜ୍ଞ କରିବାର ଫଳ ପ୍ରାପ୍ତି ହୋଇଥାଏ । ଏହି ଏକାଦଶୀ ଦିନ ଯେଉଁ ବ୍ୟକ୍ତି ଉଜାଗର ରହିଥାନ୍ତି ସେ ସ୍ୱର୍ଗର ଅଧିକାରୀ ହୋଇଥାନ୍ତି । ଆଜିର ଦିନରେ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ପଦ୍ମ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ସୁନା, ତେଲ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଏବଂ ଛତା ଦାନ କରିଥାନ୍ତି ସେହି ବ୍ୟକ୍ତିମାନେ ଯମରାଜଙ୍କ ଦର୍ଶନ କରିନଥାନ୍ତି ।
ଏକାଦଶୀ ବ୍ରତ ରଖିବାର ନିୟମ :
ଏକାଦଶୀ ବ୍ରତ ପାଳନ କରିବା ପାଇଁ ସକାଳୁ ସ୍ନାନ କରିବା ପରେ ପରିସ୍କାର ବସ୍ତ୍ର ପିନ୍ଧି ବ୍ରତ ରଖିବା ସଂକଳ୍ପ କରନ୍ତୁ । ଭଗବାନଙ୍କ ବ୍ରତ ସଙ୍କଳ ନେବା ପରେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନରେ ରଖି ମନ୍ତ୍ର ଜପ କରନ୍ତୁ । ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରିବା ସହିତ ଦ୍ୱାଦଶୀ ତିଥିରେ ବ୍ରତ ପାରଣ କରିବେ । ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଚଢାଇବା ଦ୍ୱାରା ଭଗବାନଙ୍କ କୃପା ଶୀଘ୍ର ମିଳିଥାଏ ।
ଭଗବାନ ପଦ୍ମନାଭ ହୋଇଥାନ୍ତି ପ୍ରସନ୍ନ :
ପାପାଙ୍କୁଶ ଏକାଦଶୀ ଦିନ ଗରୁଡ ଉପରେ ବରାଜମାନ କରିଥିବା ଭଗବାନ ବିଷ୍ଣୁଙ୍କ ଦିବ୍ୟ ରୂପ ପୂଜା କରାଯାଇଥାଏ । ଏକାଦଶୀ ଦିନ ସକାଳୁ ଉଠି ସ୍ନାନ କାର୍ଯ୍ୟ ସାରିବା ପରେ ବ୍ରତ ସଂକଳ୍ପ କରିବା ଉଚିତ । ଭଗବାନ ବିଷ୍ଣୁଙ୍କୁ ଚନ୍ଦନ, ଅକ୍ଷତ, ଫଳ, ଫୁଲ ଆଦି ଅର୍ପଣ କରନ୍ତୁ । ଏହାପରେ ଏକାଦଶୀ ବ୍ରତ କଥା ଶୁଣିବା ଉଚିତ । ଏଥିସହ ‘ଓଁ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ ।