
Putin And Zelenskyy: ବୈଠକ ନେଇ ବଢ଼ିଲା ଚର୍ଚ୍ଚା, ଆମେରିକାରେ ମୁହାଁମୁହିଁ ହେବେ ପୁଟିନ୍-ଜେଲେନସ୍କି
ଆମେରିକାରେ ମୁହାଁମୁହିଁ ହୋଇପାରନ୍ତି ପୁଟିନ୍ ଓ ଜେଲେନସ୍କି । ଜି-୨୦ ସମ୍ମିଳନୀ ଅବସରରେ ହୋଇପାରେ ବଡ଼ ବୈଠକ, ତ୍ରିପାକ୍ଷିକ ଆଲୋଚନା ପ୍ରସ୍ତାବ ଉପରେ ବିଚାର କରୁଛି ୱାଶିଂଟନ । ରୁଷ୍ -ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଶାନ୍ତି ଆଲୋଚନାକୁ ନେଇ ଆସିଛି ଏକ ନୂଆ ସମ୍ଭାବନା । ଆମେରିକାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ସହ ବୈଠକ ହୋଇପାରେ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତେବେ ଏହି ବୈଠକକୁ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।
ଜେଲେନସ୍କିଙ୍କ ସୂଚନା ଅନୁସାରେ, ୟୁକ୍ରେନ୍, ଆମେରିକା ଓ ରୁଷକୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଆୟୋଜନ ପ୍ରସ୍ତାବ ଉପରେ ୱାଶିଂଟନ୍ ବିଚାର କରୁଛି । ଏହି ଆଲୋଚନାରେ ତିନି ଦେଶର ପ୍ରତିନିଧି ଏକାଠି ବସି ଯୁଦ୍ଧ ସମାପ୍ତି ଓ ଶାନ୍ତି ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିପାରନ୍ତି । ଏହାକୁ କୂଟନୈତିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଇପାରେ। ପ୍ରସ୍ତାବିତ ବୈଠକ ପାଇଁ କେବଳ ଆମେରିକା ନୁହେଁ, ଅନ୍ୟ କେତେକ ଦେଶର ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ସମ୍ଭାବ୍ୟ ସ୍ଥାନ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇ, ସାଉଦି ଆରବ ଏବଂ ୟୁରୋପର କୌଣସି ଦେଶ ରହିଛି। ତେବେ କେଉଁଠି ଓ କେବେ ବୈଠକ ହେବ, ସେନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ୨୦୨୨ ଫେବ୍ରୁଆରୀରେ ରୁଷ୍ ର ପୂର୍ଣ୍ଣାଙ୍ଗ ଆକ୍ରମଣ ପରଠାରୁ ୟୁକ୍ରେନ୍ ରେ ଯୁଦ୍ଧ ଜାରି ରହିଛି। ଏହି ସଂଘର୍ଷରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଛି । ଯୁଦ୍ଧବିରତି, ୟୁକ୍ରେନ୍ ର ସୁରକ୍ଷା, ଅଧିକୃତ ଅଞ୍ଚଳର ଭବିଷ୍ୟତ ଏବଂ ଦୀର୍ଘସ୍ଥାୟୀ ଶାନ୍ତି ବ୍ୟବସ୍ଥା ଭଳି ପ୍ରସଙ୍ଗ ଯେକୌଣସି ଭବିଷ୍ୟତ ଆଲୋଚନାରେ ଗୁରୁତ୍ୱ ପାଇପାରେ ।
ୟୁକ୍ରେନ୍ ନିଜର ସାର୍ବଭୌମତ୍ୱ ଓ ଭୌଗୋଳିକ ଅଖଣ୍ଡତା ଉପରେ ଗୁରୁତ୍ୱ ଦେଇଆସୁଥିବା ବେଳେ ରୁଷ୍ ନିଜର ସୁରକ୍ଷା ଦାବି ଓ ଅଞ୍ଚଳଗତ ସର୍ତ୍ତ ଉପସ୍ଥାପନ କରିଆସିଛି। ଏହି ମତଭେଦ ଶାନ୍ତି ଆଲୋଚନାରେ ପ୍ରମୁଖ ପ୍ରତିବନ୍ଧକ ହୋଇରହିଛି । ତ୍ରିପାକ୍ଷିକ ବୈଠକ ପ୍ରସ୍ତାବକୁ ଆମେରିକା କିଭଳି ଆଗକୁ ନେଉଛି, ତାହା ଉପରେ ନଜର ରହିବ। ବିଶେଷକରି ପୁଟିନ୍ ଓ ଜେଲେନସ୍କିଙ୍କ ସିଧାସଳଖ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହେଉଛନ୍ତି କି ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ।
ଯଦି ଏହି ବୈଠକ ଆୟୋଜିତ ହୁଏ, ତେବେ ଯୁଦ୍ଧ ସମାପ୍ତି ଦିଗରେ ଆଲୋଚନା ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇପାରେ। କିନ୍ତୁ ବୈଠକ ଆୟୋଜନ ହେବା ଅର୍ଥ ଯୁଦ୍ଧ ଶେଷ ହେବା ନୁହେଁ। ଏଥିପାଇଁ ଉଭୟ ଦେଶ ମଧ୍ୟରେ ମୂଳ ବିବାଦୀୟ ପ୍ରସଙ୍ଗଗୁଡ଼ିକରେ ସହମତି ଆବଶ୍ୟକ ।