
Actor Imran Khan : ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ, ମୁମ୍ବାଇ ପୋଲିସ ଦେଲା ନୋଟିସ
ବଲିଉଡର ଷ୍ଟାର ଅଭିନେତା ତଥା ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ମୁମ୍ବାଇର କ୍ରାନ୍ତି ମଇଦାନରେ ସିଇସିଙ୍କ ଇସ୍ତଫାକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନରେ ଭାଗ ନେଇଥିବା ଯୋଗୁଁ ଇମ୍ରାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ଅକ୍ଟୋବର ୨୮ ସୁଦ୍ଧା ତାଙ୍କୁ ଭାରତରୁ ବାହାରି ଯିବାକୁ କୁହାଯାଇଛି । ଏଥିପାଇଁ ନୋଟିସ ଜାରି ହୋଇଛି । ଇମ୍ରାନଙ୍କୁ ଏହି ନୋଟିସ ମୁମ୍ବାଇ ପୋଲିସ ପକ୍ଷରୁ ଦିଆଯାଇଛି । ନୋଟିସକୁ ରିସିଭ କରିଛନ୍ତି ଅଭିନେତା ।
ମୁମ୍ବାଇ ପୋଲିସ ଅନୁସାରେ, ଇମ୍ରାନ୍ ଇମିଗ୍ରେସନ୍ ଆକ୍ଟ ଅନୁସାରେ ଭାରତର ନାଗରିକ ନୁହଁନ୍ତି । ତଥାପି ସେ ଦେଶରେ ଏକ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟ ଦିଗରେ ଇମ୍ରାନ ମୁମ୍ବାଇ ପୋଲିସ ପକ୍ଷରୁ ଜାରି ନୋଟିସକୁ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରେ ସିଜେପିର ଏକ ଆନ୍ଦୋଳନ ହୋଇଥିଲା । ଏଥିରେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା । ଆନ୍ଦୋଳନରେ ଇମ୍ରାନ୍ ଖାନ୍ ସାମିଲ ହୋଇଥିଲେ । ଏହି ଘଟଣାରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା । ତାଙ୍କ ସହ ୪୦୦ରୁ ଅଧିକ ଆନ୍ଦୋଳନକାରୀଙ୍କ ବିରୋଧରେ ଏଫଆଇଆର ହୋଇଥିଲା ।
ଇମ୍ରାନଙ୍କ ପାଖରେ ଭାରତର ନାଗରିକତା ନାହିଁ । ସେ ଆମେରିକାର ନାଗରିକ ଅଟନ୍ତି । ୧୯୮୩ ଜାନୁଆରୀ ୧୩ରେ ସେ ଆମେରିକାର ମାଡିସନରେ ଜନ୍ମ ହୋଇଥିଲେ । ତାଙ୍କ ପାଖରେ ୟୁଏସ୍ ପାସପୋର୍ଟ ସହ ଭାରତର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ କାର୍ଡ ମଧ୍ୟ ରହିଛି ।
ପୂର୍ବତନ ବିଜେପି ସାଂସଦ କିରିଟ୍ ସୋମେୟା ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁମ୍ବାଇ ପୋଲିସକୁ ଚିଠି ଲେଖିଛନ୍ତି । କକରୋଚ୍ ଜନତା ପାର୍ଟିର ସମର୍ଥନରେ ଶନିବାର ମୁମ୍ବାଇରେ ହୋଇଥିବା ବିରୋଧ ପ୍ରଦର୍ଶନରେ ଇମ୍ରାନ ସାମିଲ ହୋଇଥିବା ଅଭିଯୋଗ ହୋଇଛି । ସେ ଜଣେ ବିଦେଶୀ ନାଗରିକ ହୋଇଥିବାରୁ ଏଭଳି ପ୍ରଦର୍ଶନରେ ଯୋଗଦେବାକୁ ତାଙ୍କୁ ଆଇନଗତ ଅନୁମତି ମିଳିଥିଲା କି ନାହିଁ, ତାହା ନେଇ ପ୍ରଶ୍ନ ଉଠାଇଥିଲେ ସୋମେୟା ।