ମନୋରଞ୍ଜନ

Thalapathy Vijay: ଥାଲପତି ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ପୁଣି ଚର୍ଚ୍ଚାରେ । ନିଜ ଆଗାମୀ ଫିଲ୍ମ ‘ରଣବାଲି’ର ପ୍ରମୋସନ ପାଇଁ ଚେନ୍ନାଇରେ ପହଞ୍ଚିଥିବା ଏହି ଯୋଡ଼ି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲପତି ବିଜୟଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ପରେ ବିଜୟ ଦେବରକୋଣ୍ଡା ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି ।

ବିଜୟ ଦେବରକୋଣ୍ଡାଙ୍କ ପାଇଁ ଥାଲପତି ବିଜୟଙ୍କ ସହ ଏହା ପ୍ରଥମ ସାକ୍ଷାତ ଥିଲା । ପ୍ରଥମ ଦେଖାରେ ହିଁ ଥାଲପତି ବିଜୟଙ୍କ ବ୍ୟକ୍ତିତ୍ୱ ଓ ଆତିଥ୍ୟରେ ସେ ଖୁବ୍ ପ୍ରଭାବିତ ହୋଇଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଦୀର୍ଘ ଦିନର କାମ ପରେ ମଧ୍ୟ ବିଜୟ ତାଙ୍କୁ ଅତ୍ୟନ୍ତ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ । ଏହା ସହ ଜୀବନ, କାମ ଓ ଦୁନିଆ ବିଷୟରେ ଅନେକ ମୂଲ୍ୟବାନ ଅନୁଭୂତି ବାଣ୍ଟିଥିଲେ । ଅଭିନେତା ଲେଖିଛନ୍ତି, “ଥାଲପତି ବିଜୟ ସାରଙ୍କ ସହ ବହୁତ ସୁନ୍ଦର ସମୟ ବିତାଇଲି । ଏକମାତ୍ର ସାକ୍ଷାତରେ ହିଁ ସେ ମୋର ପ୍ରିୟ ହୋଇଗଲେ । ତାଙ୍କ ପ୍ରତି ମୋର ଭଲପାଇବା ଓ ସମ୍ମାନ ସବୁବେଳେ ରହିବ ।

ଅନ୍ୟପଟେ ରଶ୍ମିକା ମନ୍ଦାନା ମଧ୍ୟ ଏହି ସାକ୍ଷାତର ଫଟୋ ସେୟାର କରି ଥଲପତି ବିଜୟଙ୍କ ପ୍ରତି ନିଜର ପ୍ରଶଂସା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ସେ ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ । ପରେ ତାଙ୍କ ସହ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖି ସେ ଗର୍ବ ଅନୁଭବ କରୁଥିବା କହିଛନ୍ତି । ଥାଲପତି ବିଜୟଙ୍କ ଯାତ୍ରାକୁ ସେ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ, ରଶ୍ମିକା ମନ୍ଦାନା ପୂର୍ବରୁ ୨୦୨୩ରେ ରିଲିଜ୍ ହୋଇଥିବା ଥାଲପତି ବିଜୟଙ୍କ ଫିଲ୍ମ ‘ବାରିସୁ’ରେ ତାଙ୍କ ସହ ଅଭିନୟ କରିଥିଲେ । ବଂଶୀ ପୈଡିପଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦିଲ୍ ରାଜୁ ଓ ଶିରିଷ ପ୍ରଯୋଜନା କରିଥିଲେ । ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ରଣବାଲି’ ଅକ୍ଟୋବର ୧୬, ୨୦୨୬ରେ ପ୍ରେକ୍ଷାଳୟକୁ ଆସିବ । ରାହୁଲ ସାଙ୍କୃତ୍ୟାୟନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୧୮୭୦ ଦଶକର ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ।

ଫିଲ୍ମର କାହାଣୀ ୧୮୭୬ ରୁ ୧୮୭୮ ମଧ୍ୟରେ ଘଟିଥିବା ଭୟଙ୍କର ମାଡ୍ରାସ ଦୁର୍ଭିକ୍ଷକୁ କେନ୍ଦ୍ର କରି ଗତିଶୀଳ ହୋଇଛି । ଏଥିରେ ରାୟଲସୀମା ଅଞ୍ଚଳର ଜଣେ ଲୋକକଥାର ଯୋଦ୍ଧା ଓ ତାଙ୍କ ଗାଁର ଲୋକମାନେ ବ୍ରିଟିଶ ଶାସନ ବିରୋଧରେ କିପରି ସଂଘର୍ଷ କରୁଛନ୍ତି, ତାହା ଦର୍ଶାଯାଇଛି । ବ୍ରିଟିଶମାନଙ୍କ ଶୋଷଣମୂଳକ କର ବ୍ୟବସ୍ଥା ଓ ଶସ୍ୟ ନୀତି ବିରୋଧରେ ଲୋକଙ୍କ ପ୍ରତିରୋଧ ଫିଲ୍ମର ମୁଖ୍ୟ ଆକର୍ଷଣ ରହିବ । ଫିଲ୍ମର ରିଲିଜ୍ ପୂର୍ବରୁ ଉଭୟ କଳାକାର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ଥାଲପତି ବିଜୟଙ୍କ ସହ ଏହି ସାକ୍ଷାତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦର୍ଶକଙ୍କ ମଧ୍ୟରେ ‘ରଣବାଲି’କୁ ନେଇ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *

Back to top button