
Food Containers: କଳା ପ୍ଲାଷ୍ଟିକ୍ ଡବାରେ ଖାଉଛନ୍ତି କି ଖାଦ୍ୟ? ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କ’ଣ ପଡ଼ିପାରେ ପ୍ରଭାବ
ଧାଁ ଦଉଡ଼ର ଏହି ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ । ସକାଳୁ ରାତି ପର୍ଯ୍ୟନ୍ତ କାମର ଚାପ ଭିତରେ ଲୋକେ ନିଜ ଖାଦ୍ୟପେୟ ପ୍ରତି ମଧ୍ୟ ଠିକରେ ଧ୍ୟାନ ଦେଇପାରୁନାହାନ୍ତି । ତେଣୁ ସମୟ ବଞ୍ଚାଇବା ପାଇଁ ସର୍ଟକଟ୍ ବାଟକୁ ଆପଣାଇଲେ ଲୋକ । ଆଉ ସମସ୍ତେ ଜାଣନ୍ତି ଯେ ସର୍ଟକଟ୍ ବାଟ ସିନା ଦେଖିବାକୁ ସୁନ୍ଦର ହେଲେ ଆଗକୁ କେତେ ବିପଦ ଆଣିଦେବ ତାହା କିଏ ଜାଣେ । ଏହି ସର୍ଟକଟ୍ ବାଟରୁ ଅନେକ ଖାଦ୍ୟ ପଦାର୍ଥର ଆବିଷ୍କାର ମଧ୍ୟ ହେଲା ଯେମିତିକି ଫାଷ୍ଟ୍ ଫୁଡ୍,୨ ମିନିଟରେ ତିଆରି ହେଉଥିବା ନୁଡଲ୍ସ ଆଉ ଖାଦ୍ୟ ତିଆରି କରିବାକୁ ଇଚ୍ଛା ନହେଲେ ମୋବାଇଲରୁ ଫୁଡ୍ ଅର୍ଡର । କିଛି ଟଙ୍କା ଦେଇଦେଲେ ଘରକୁ ଡେଲିଭରି ବୟ ଆସି ଖାଦ୍ୟ ପୁଡ଼ିଆ ଦେଇ ଚାଲିଯିବେ । ପଲିଥିନ୍ ଭିତରେ ଗୋଟିଏ କଳାଡ଼ବାରେ ସୁଆଦିଆ ଗରମାଗରମ ଖାଦ୍ୟ ବାହାର କରି ଆମେ ବଡ଼ ମଜାରେ ଖାଇଥାଉ ।
କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଆପଣ ଖାଦ୍ୟ ନୁହେଁ ଜହର ଖାଉଛନ୍ତି ? ଆଜ୍ଞା ହଁ , ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ରୂପେ ସତ । ସାଧାରଣତଃ ଖାଦ୍ୟ ପ୍ୟାକେଜିଂ ପାଇଁ ବ୍ୟବହୃତ ପ୍ଲାଷ୍ଟିକ୍ ବାକ୍ସଗୁଡ଼ିକ ପ୍ଲାଷ୍ଟିକ୍ ରେଜିନରେ କାର୍ବନ କଳା ରଙ୍ଗ ମିଶ୍ରଣ କରି ତିଆରି କରାଯାଏ । ଏହି ରଙ୍ଗ ପ୍ଲାଷ୍ଟିକକୁ କଳା ରଙ୍ଗ ଦେଇଥାଏ । ତେଣୁ ଯେତେବେଳେ ଆମେ ଏହି ପାତ୍ରରେ ଖାଦ୍ୟ ଖାଉ, ସେତେବେଳେ ଏଥିରେ ଥିବା କିଛି ରାସାୟନିକ ପଦାର୍ଥ ଖାଦ୍ୟ ସହିତ ମିଶିଯାଏ ଏବଂ ଶରୀରରେ ପ୍ରବେଶ କରେ , ଯାହା ପରେ କ୍ଷତିକାରକ ହୋଇଥାଏ । ଏହି ପ୍ଲାଷ୍ଟିକ୍ ଡବା ରେ ଅତ୍ୟଧିକ ଗରମ ଖାଦ୍ୟ ସଂରକ୍ଷଣ କରିବା କିମ୍ବା ମାଇକ୍ରୋୱେଭରେ ଗରମ କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ିଯାଏ । କିନ୍ତୁ ଏହି ଖାଦ୍ୟ ପ୍ୟାକେଜିଂରେ ବ୍ୟବହୃତ କଳା ପ୍ଲାଷ୍ଟିକ୍ ଡବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ, ତାହା କେବେ ଭାବିଛନ୍ତି କି?
କିଛି ଗବେଷଣାରେ କଳା ପ୍ଲାଷ୍ଟିକରେ ବ୍ୟବହୃତ ରାସାୟନିକ ପଦାର୍ଥକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି । ବିଶେଷକରି ନିମ୍ନମାନର ପ୍ଲାଷ୍ଟିକରେ ଥିବା କିଛି ରାସାୟନିକ ଉପାଦାନ ଖାଦ୍ୟ ସହ ମିଶିବାର ଆଶଙ୍କା ରହିଛି । ଏହା ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଖାଦ୍ୟ ପ୍ୟାକେଜିଂରେ ବ୍ୟବହୃତ କଳା ପ୍ଲାଷ୍ଟିକ୍ ଡବାକୁ କଳା ରଙ୍ଗ ଦେବା ପାଇଁ କାର୍ବନ ବ୍ଲାକ୍ ସମେତ ବିଭିନ୍ନ ରଙ୍ଗ ଓ ଯୋଗକ ପଦାର୍ଥ ବ୍ୟବହାର କରାଯାଇପାରେ । କିଛି ପ୍ଲାଷ୍ଟିକ୍ ଉତ୍ପାଦରେ ପୁନଃଚକ୍ରୀକରଣ କରାଯାଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀରୁ ଆସିଥିବା ରାସାୟନିକ ପଦାର୍ଥ ମଧ୍ୟ ରହିପାରେ । ଏହି ପଦାର୍ଥଗୁଡ଼ିକ ମଧ୍ୟରୁ କେତେକ ଶରୀରର ହରମୋନ୍ ସନ୍ତୁଳନକୁ ପ୍ରଭାବିତ କରିପାରନ୍ତି ।
ବିଶେଷଜ୍ଞଙ୍କ ମତରେ, ପ୍ଲାଷ୍ଟିକ୍ ପାତ୍ରରେ ଅତ୍ୟଧିକ ଗରମ ଖାଦ୍ୟ ରଖିବା କିମ୍ବା ଉପଯୁକ୍ତ ଅନୁମୋଦନ ନଥିବା ପାତ୍ରକୁ ମାଇକ୍ରୋୱେଭରେ ଗରମ କରିବା ଠିକ୍ ନୁହେଁ । ତାପମାତ୍ରା, ପ୍ଲାଷ୍ଟିକର ଗୁଣବତ୍ତା ଏବଂ ଖାଦ୍ୟର ପ୍ରକାର ଅନୁସାରେ ରାସାୟନିକ ପଦାର୍ଥ ଖାଦ୍ୟକୁ ସ୍ଥାନାନ୍ତରିତ ହେବାର ଆଶଙ୍କା ବଦଳିପାରେ । କେତେକ ପ୍ଲାଷ୍ଟିକ୍ ଉତ୍ପାଦରେ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ୍ (PAHs) ଏବଂ ଅନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ଥାଇପାରେ । ଏହି ଗୋଷ୍ଠୀର କେତେକ ରାସାୟନିକ ପଦାର୍ଥ କର୍କଟ ସହ ସମ୍ପର୍କିତ ବୋଲି ଗବେଷଣାରୁ ଜଣାପଡ଼ିଛି । ସେହିପରି କେତେକ ରାସାୟନିକ ପଦାର୍ଥ ଅନ୍ତଃସ୍ରାବୀ ବ୍ୟବସ୍ଥା ବା ହରମୋନର କାର୍ଯ୍ୟକୁ ପ୍ରଭାବିତ କରିପାରନ୍ତି । ତେବେ ସବୁ କଳା ପ୍ଲାଷ୍ଟିକ୍ ଡବା କର୍କଟ ସୃଷ୍ଟି କରେ ବୋଲି କହିବା ଠିକ୍ ନୁହେଁ । ଏହାର ବିପଦ ନିର୍ଭର କରେ ପ୍ଲାଷ୍ଟିକ୍ର ଗଠନ, ଏଥିରେ ଥିବା ରାସାୟନିକ ପଦାର୍ଥ ଏବଂ ବ୍ୟବହାର ପ୍ରଣାଳୀ ଉପରେ ।
କିପରି ରହିବେ ସୁରକ୍ଷିତ?
ଖାଦ୍ୟ ରଖିବା ପାଇଁ ଷ୍ଟିଲ୍, କାଚ କିମ୍ବା ଖାଦ୍ୟ ପାଇଁ ଅନୁମୋଦିତ ପାତ୍ର ବ୍ୟବହାର କରନ୍ତୁ । ଗରମ ଖାଦ୍ୟକୁ ସମ୍ଭବ ହେଲେ ପ୍ଲାଷ୍ଟିକ୍ ଡବାରୁ ବାହାର କରି କାଚ କିମ୍ବା ଷ୍ଟିଲ୍ ପାତ୍ରରେ ରଖନ୍ତୁ । ମାଇକ୍ରୋୱେଭରେ କେବଳ ଉପଯୁକ୍ତ ପାତ୍ର ବ୍ୟବହାର କରନ୍ତୁ । ଫାଟିଯାଇଥିବା, ବିକୃତ ହୋଇଥିବା କିମ୍ବା ଅଜଣା ଉତ୍ସରୁ ଆସିଥିବା ପ୍ଲାଷ୍ଟିକ୍ ପାତ୍ରରେ ଖାଦ୍ୟ ରଖନ୍ତୁ ନାହିଁ । ତେଣୁ ସୁବିଧା ପାଇଁ ଅନଲାଇନ୍ ଖାଦ୍ୟ ଅର୍ଡର କରିବା ସମୟରେ କେବଳ ଖାଦ୍ୟର ସ୍ୱାଦ ନୁହେଁ, ଏହା କେଉଁ ପାତ୍ରରେ ଆସୁଛି ତାହା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । ସଚେତନତା ହିଁ ସୁସ୍ଥ ଜୀବନର ପ୍ରଥମ ପଦକ୍ଷେପ ।