
Dussehra 2026: କେବେ ପାଳିବେ ଦଶହରା ୨୦ ନା ୨୧? ଏଭଳି ଦ୍ୱନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ଜ୍ୟୋତିର୍ବିଦ
୨୦ ନା ୨୧ ? କେବେ ପାଳିବେ ଦଶହରା । ଦଶହରା ପାଳନକୁ ନେଇ ଦ୍ୱନ୍ଦରେ ଅଛନ୍ତି କି ? ପଞ୍ଜିକାରେ ପୀଠେ ଦଶହରା ୨୦ତାରିଖରେ ଉଲ୍ଲେଖ ରହିଥିବା ବେଳେ ଶ୍ରୀମନ୍ଦିରରେ ବିଜୟା ଦଶମୀ ଓ ଦଶହରା ଅକ୍ଟୋବର୨୧ରେ ଉଲ୍ଲେଖ ରହିଛି । ତେଣୁ ଏଭଳି ଦ୍ୱନ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜ୍ୟୋତିର୍ବିଦ ତଥା ପଞ୍ଜିକାର ହରିଶଙ୍କର ମିଶ୍ର ।
ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦିକ ପଞ୍ଜିକାରେ ପୀଠେ ଦଶହରା ଅକ୍ଟୋବର ୨୦ରେ ଉଲ୍ଲେଖ ଥିବାରୁ ସେହିଦିନ ଅଭିଜିତ ନକ୍ଷତ୍ର ଅନୁଯାୟୀ ଦଶହରା ପାଳନ ବିଧେୟ । ହେଲେ ଅକ୍ଟୋବର ୨୧ରେ ଶ୍ରୀମନ୍ଦିରରେ ଦଶହରା ନୁହେଁ ତାହା ହେଉଛି ବିଜୟା ଦଶମୀ ଓ ଆୟୁଧ ପୂଜା । ତେବେ ମା ବିମଳା ଶ୍ରୀମନ୍ଦିରରେ ରହୁଥିବାରୁ ତାଙ୍କର ପୀଠେ ଦଶହରା ୨୦ ତାରିଖରେ ବା ଆଶ୍ୱିନ ଶୁକ୍ଳ ଦଶମୀରେ ପାଳିତ ହେବ ।
ସେପଟେ ପୀଠ ପୂଜା ଅନୁଯାୟୀ ହେଉଥିବାରୁ ଦଶମୀରେ ଦଶହରା ପାଳନ ଓ ୨୧ରେ ମୃଣ୍ମୟ ମୂର୍ତ୍ତିଙ୍କର ବଙ୍ଗୀୟ ପଦ୍ଧତିରେ ପୂଜା ହେଉଥିବାରୁ ୨୧ ତାରିଖରେ ତାଙ୍କର ଦଶହରା ପାଳିତ ହେଉଛି । କିନ୍ତୁ ଏହା ଆମ ଉତ୍କଳୀୟ ଆଧାରରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଜ୍ୟୋତିର୍ବିଦ । ସେପଟେ ଆଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନ ପଞ୍ଜିକାରେ ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ବିଜୟା ଦଶମୀ ଲେଖିଲେ ଆଉ ଏଭଳି ବିଭ୍ରାନ୍ତ ଆସିବ ନାହିଁ ବୋଲି କହିଛନ୍ତି ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ।