
Student Union Elections: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଅଶାନ୍ତି, ଏକାଧିକ କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଅଶାନ୍ତି । ଏକାଧିକ କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବା ବେଳେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଉତ୍ତେଜନା । ପ୍ରାର୍ଥିପତ୍ର ନାକଚ, ନିର୍ବାଚନ ବାତିଲ ଓ ରାଜନୈତିକ ହସ୍ତକ୍ଷେପ ଅଭିଯୋଗକୁ ନେଇ ଛାତ୍ର ଅଶାନ୍ତି ବଢ଼ିଛି । କେତେକ ସ୍ଥାନରେ ଆନ୍ଦୋଳନ ଓ ଗଣ୍ଡଗୋଳ ଯୋଗୁଁ କଲେଜ କର୍ତ୍ତୃପକ୍ଷ ସାଇନ୍ ଡାଏ ଘୋଷଣା କରିଛନ୍ତି ।
ଆସନ୍ତା ଅକ୍ଟୋବର ୧୫ରେ ମତଦାନ ହେବାକୁ ଥିବା ବେଳେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପୋଲିସ ପାଇଁ ବଡ଼ ଆହ୍ୱାନ ହୋଇଛି । ରାଜ୍ୟରେ ଏକ ହଜାରରୁ ଅଧିକ ପ୍ରାର୍ଥିପତ୍ର ନାକଚ ହୋଇଛି । ଅକ୍ଟୋବର ୧୧ରେ ପ୍ରକାଶିତ ରିପୋର୍ଟ ଅନୁସାରେ ମୋଟ ୧୨୪୫ଟି ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ୪୩୯ ଜଣ ପ୍ରାର୍ଥିତ୍ୱ ପ୍ରତ୍ୟାହାର କରିଛନ୍ତି । ୩୪୭ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ୬ହଜାର ୬୪୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ଥିବା ସୂଚନା ମିଳିଛି ।
ପୁରୀ ଜିଲ୍ଲାର ଗୋପ କଲେଜରେ ଛାତ୍ର ଅଶାନ୍ତି ଓ ସୁରକ୍ଷା ସମସ୍ୟା ଯୋଗୁଁ ନିର୍ବାଚନ ବାତିଲ ସହ ସାଇନ୍ ଡାଏ ଘୋଷଣା କରାଯାଇଛି । କଲେଜ ଫାଟକରେ ତାଲା ପକାଇବା, ସ୍ଲୋଗାନ ଦେବା ଓ ଅଧ୍ୟକ୍ଷଙ୍କୁ ଧମକ ଦିଆଯିବା ଭଳି ଅଭିଯୋଗ ମଧ୍ୟ ଉଠିଛି । ଦେବଗଡ଼ କଲେଜରେ ପ୍ରାର୍ଥିପତ୍ର ନାକଚ ଓ ସଭାପତି ପଦ ପାଇଁ ଜଣେ ପ୍ରାର୍ଥୀଙ୍କ ପ୍ରତ୍ୟାହାର ପରେ ଉତ୍ତେଜନା ବଢ଼ିଥିଲା । ଛାତ୍ରମାନେ କଲେଜ ବାହାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ପରିସ୍ଥିତିକୁ ଦେଖି କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ସେହିପରି ପଟ୍ଟାମୁଣ୍ଡାଇର ୟୁ.କେ. ମହାବୀର କଲେଜରେ ମଧ୍ୟ ନିର୍ବାଚନକୁ ନେଇ ବିବାଦ ଦେଖାଦେଇଛି । ନବରଙ୍ଗପୁର ସରକାରୀ ମଡେଲ ଡିଗ୍ରୀ କଲେଜରେ ଯୋଗ୍ୟ ପ୍ରାର୍ଥୀ ନଥିବା ଦର୍ଶାଇ ନିର୍ବାଚନ ବାତିଲ କରାଯିବା ପରେ ଅଶାନ୍ତି ସୃଷ୍ଟି ହୋଇଥିଲା । ଏହାପରେ କଲେଜରେ ସାଇନ୍ ଡାଏ ଘୋଷଣା କରାଯାଇଛି ।
ଅନ୍ୟପକ୍ଷରେ ବିଜୁ ଛାତ୍ର ଜନତା ଦଳ ଅଭିଯୋଗ କରିଛି ଯେ ଏହି କଲେଜରେ ସେମାନଙ୍କ ସମର୍ଥିତ ଦୁଇ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଫଳାଫଳକୁ ସ୍ୱୀକୃତି ଦେଇନାହାନ୍ତି । ଏପଟେ ଛାତ୍ର ନିର୍ବାଚନକୁ ନେଇ ଉମରକୋଟ ସହରରେ ଗୋଷ୍ଠୀ ସଂଘର୍ଷ ଗୁରୁତର ରୂପ ନେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ୪୨ ବର୍ଷୀୟ ଦୀପ କମଳ ମହାପାତ୍ରଙ୍କୁ ଛୁରାମାଡ଼ କରାଯାଇଛି। ତାଙ୍କ ଛାତି ଓ ପେଟରେ ଗୁରୁତର ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ସଂଘର୍ଷରେ ଆଉ ଦୁଇଜଣ ଆହତ ହୋଇଥିବା ବେଳେ ଗୋଟିଏ ମୋଟରସାଇକେଲ ପୋଡ଼ି ଦିଆଯାଇଛି । ପୋଲିସ ତିନିଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ରିପୋର୍ଟ ମିଳିଛି । ସମ୍ବେଦନଶୀଳ କଲେଜ ଉପରେ ନଜର ରଖିବା ସହ ଆବଶ୍ୟକସ୍ଥଳେ ପୋଲିସ ମୁତୟନ କରିବାକୁ କୁହାଯାଇଛି ।
ଅନ୍ୟପକ୍ଷରେ ଛାତ୍ର ନିର୍ବାଚନକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ତୀବ୍ର ହୋଇଛି । ବିଜୁ ଛାତ୍ର ଜନତା ଦଳ ଅଭିଯୋଗ କରିଛି ଯେ ବିରୋଧୀ ସମର୍ଥିତ ପ୍ରାର୍ଥୀଙ୍କୁ ନିର୍ବାଚନରୁ ବାଦ୍ ଦେବା ପାଇଁ ନିୟମର ଅପବ୍ୟବହାର କରାଯାଉଛି । ଉତ୍କଳ, ରମାଦେବୀ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀଙ୍କ ଉପସ୍ଥାନ ସମ୍ପର୍କିତ ନିୟମକୁ ନେଇ ରାଜନୈତିକ ହସ୍ତକ୍ଷେପ ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି । ତେବେ ଏହି ଅଭିଯୋଗଗୁଡ଼ିକ ସ୍ୱାଧୀନ ଭାବେ ପ୍ରମାଣିତ ହୋଇନାହିଁ । କେତେକ କଲେଜ କର୍ତ୍ତୃପକ୍ଷ ପ୍ରାର୍ଥିପତ୍ର ଯାଞ୍ଚରେ ପକ୍ଷପାତ ଅଭିଯୋଗକୁ ଖଣ୍ଡନ କରି ନିୟମ ଅନୁସାରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି । ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ହେବ । ଏହା ପୂର୍ବରୁ ଅଶାନ୍ତ କ୍ୟାମ୍ପସଗୁଡ଼ିକରେ କିପରି ସ୍ୱାଭାବିକ ପରିସ୍ଥିତି ଫେରିବ ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସମ୍ପନ୍ନ ହେବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।