
IND vs WI: ରାଞ୍ଚିରେ ୱେଷ୍ଟଇଣ୍ଡିଜର ଦମଦାର ବିଜୟ, ୬ ୱିକେଟରେ ହରାଇଲା ଭାରତକୁ
ରାଞ୍ଚିରେ ୱେଷ୍ଟଇଣ୍ଡିଜର ଦମଦାର ବିଜୟ । ଭାରତକୁ ୬ ୱିକେଟରେ ହରାଇଲା । ରାଞ୍ଚିରେ ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜର ଚମତ୍କାର ବିଜୟ । ଭାରତ ଦେଇଥିବା ୨୫୦ ରନର ବିଶାଳ ବିଜୟ ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ ମାତ୍ର ୧୮.୩ ଓଭରରେ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୪୯ ରନ୍ କରିଥିଲା ।
ଜବାବରେ ୱେଷ୍ଟଇଣ୍ଡିଜ ୪ ୱିକେଟ ହରାଇ ୨୫୨ ରନ୍ ସଂଗ୍ରହ କରି ୬ ୱିକେଟରେ ମ୍ୟାଚ୍ ଜିତିଛି। ଭାରତର ବିଶାଳ ସ୍କୋର ସତ୍ତ୍ୱେ ୱେଷ୍ଟଇଣ୍ଡିଜ ବ୍ୟାଟରଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦଳକୁ ବିଜୟୀ କରାଇଛି । ୱେଷ୍ଟଇଣ୍ଡିଜ ପକ୍ଷରୁ ଅଧିନାୟକ ସାଇ ହୋପ୍ ୪୫ ବଲ୍ ରେ ୧୦୨ ରନ୍ ଓ ଶେରଫେନ୍ ରଦରଫୋର୍ଡ ୩୭ ବଲ୍ ରେ ୮୪ ରନ୍ କରିଥିଲେ । ଭାରତ ପକ୍ଷରୁ ସଞ୍ଜୁ ସାମସନ ୪୧ ବଲ୍ ରେ ୮୨ ରନ୍ କରିଥିବା ବେଳେ ତିଳକ ବର୍ମା ଅପରାଜିତ ୪୪ ରନ୍ କରିଥିଲେ ।
ରବିବାର ଇନ୍ଦୋରରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍:
ପରାଜୟ ପରେ ଶୀଘ୍ର ନିଜକୁ ସମ୍ଭାଳିବାକୁ ପଡ଼ିବ ଭାରତକୁ । କାକର ଯୋଗୁଁ ଭାରତୀୟ ବୋଲିଂର ଦୁର୍ବଳତା ପଦାରେ ପଡ଼ିଛି । ସଞ୍ଜୁ ସାମସନଙ୍କ ଫର୍ମକୁ ଫେରିବା ଭାରତ ପାଇଁ ଆଶ୍ୱସ୍ତିର ବିଷୟ । ଏହା ଓପନିଂ ଯୋଡ଼ି ଉପରେ ଚାପ କମାଇବ । ଅନ୍ୟପଟେ, ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟ ହାସଲ କରି ବେଶ୍ ଆତ୍ମବିଶ୍ୱାସୀ ୱେଷ୍ଟଇଣ୍ଡିଜ୍ ।