
Vijayendra Kumeria: ଭାଙ୍ଗିଲା ୧୪ ବର୍ଷର ବୈବାହିକ ସମ୍ପର୍କ ! ୪ ବର୍ଷ ପରେ ମୁହଁ ଖୋଲିଲେ ଅଭିନେତା
ଟିଭି ଅଭିନେତା ବିଜୟେନ୍ଦ୍ର କୁମେରିଆ ଶେଷରେ ନିଜ ବୈବାହିକ ଜୀବନରେ ଆସିଥିବା ସମସ୍ୟା ଓ ପତ୍ନୀଙ୍କଠାରୁ ଅଲଗା ହେବା ସମ୍ପର୍କରେ ମୁହଁ ଖୋଲିଛନ୍ତି । ନିକଟରେ ଏକ ଇଣ୍ଟେରଭ୍ୟୁରେ ସେ ପତ୍ନୀ ପ୍ରୀତି ଭାଟିଆଙ୍କଠାରୁ ଛାଡ଼ପତ୍ର ହୋଇଥିବାକୁ ନିଶ୍ଚିତ କରିଛନ୍ତି । ବିଜୟେନ୍ଦ୍ର ଓ ପ୍ରୀତିଙ୍କ ବିବାହ ୨୦୧୨ ଜାନୁଆରୀରେ ହୋଇଥିଲା । ଉଭୟଙ୍କର କିମାୟା ନାମକ ଏକ ଝିଅ ମଧ୍ୟ ଅଛି । ଦୀର୍ଘଦିନ ଧରି ଉଭୟଙ୍କ ଅଲଗା ହେବା ଖବର ଇଣ୍ଟରନେଟ୍ରେ ଚର୍ଚ୍ଚା ହେଉଥିଲା । ଏବେ ‘ନାଗିନ୍’ ଧାରାବାହିକର ଅଭିନେତା ବିଜୟେନ୍ଦ୍ର ଏହାକୁ ସ୍ପଷ୍ଟ କରିଛନ୍ତି । ଉଭୟ ପ୍ରାୟ ୪ ବର୍ଷ ଧରି ଅଲଗା ରହୁଥିଲେ । ନିକଟରେ ଏକ ଇଣ୍ଟେରଭ୍ୟୁରେ ବିଜୟେନ୍ଦ୍ର ପତ୍ନୀ ପ୍ରୀତିଙ୍କଠାରୁ ଛାଡ଼ପତ୍ର ବିଷୟରେ କହିଛନ୍ତି ।
୨୦୨୩ ମାର୍ଚ୍ଚରେ ପ୍ରଥମେ ଉଭୟଙ୍କ ଅଲଗା ହେବା ଖବର ସାମ୍ନାକୁ ଆସିଥିଲା । ସେହି ସମୟରେ ପ୍ରୀତି ନିଜ ଇନ୍ଷ୍ଟାଗ୍ରାମ୍ରେ ଝିଅ କିମାୟାଙ୍କ ସହ ଏକ ଫଟୋ ସେୟାର କରି ରହସ୍ୟମୟ ବାର୍ତ୍ତା ଲେଖିଥିଲେ । ସେ ଲେଖିଥିଲେ, “ତୁମେ ମୋତେ କହିଥିବା ସମସ୍ତ ମିଛ ମଧ୍ୟରୁ ‘ଆଇ ଲଭ୍ ୟୁ’ ମୋର ସବୁଠାରୁ ପସନ୍ଦର ଥିଲା । ଦ୍ୱିତୀୟ ପସନ୍ଦରେ ‘ଆଇ ମିସ୍ ୟୁ’ ଥିଲା । ତୁମ କଥା ବହୁତ ମନେ ପଡୁଛି ।” ହେଲେ ଇଣ୍ଟରଭ୍ୟୁରେ ବିଜୟେନ୍ଦ୍ର କହିଛନ୍ତି ଯେ, ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ପରିବର୍ତ୍ତନକୁ ବୁଝିବା ଓ ଗ୍ରହଣ କରିବା ପାଇଁ ତାଙ୍କୁ କିଛି ସମୟ ଲାଗିଥିଲା । ସେ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିବାକୁ ପସନ୍ଦ କରୁଥିବାରୁ ପ୍ରଥମେ ଏହି ପରିସ୍ଥିତି ବିଷୟରେ ସର୍ବସାଧାରଣରେ କହିନଥିଲେ । କିନ୍ତୁ ପରେ ଲୋକ ଅନୁମାନ କରିବା ପରିବର୍ତ୍ତେ ସତ କଥା ସ୍ପଷ୍ଟ କରିବା ଭଲ ବୋଲି ସେ ଭାବିଥିଲେ । ଏହାରି ମଧ୍ୟରେ ସେ ତାଙ୍କ ଅଲଗା ହେବାକୁ ନେଇ କହିଥିଲେ ଯେ, ଅଲଗା ହେବାର ନିଷ୍ପତ୍ତି ହଠାତ୍ ନିଆଯାଇନଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ଲାଗିରହିଥିଲା । ସେମାନେ ସମ୍ପର୍କ ଠିକ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଶେଷରେ ୨୦୨୨ରେ ଉଭୟ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ । ଏହା ଉଭୟଙ୍କ ସହମତିରେ ୨୦୨୫ରେ ସେମାନଙ୍କୁ ଛାଡ଼ପତ୍ରର ଆଇନଗତ ଆଦେଶ ମିଳିଥିଲା । ଅଭିନେତା ଆହୁରି କହିଛନ୍ତି ଯେ, ଏହି ନିଷ୍ପତ୍ତି ନେବା କଷ୍ଟକର ଥିଲା । କାରଣ ସେମାନଙ୍କର ୧୦ ବର୍ଷୀୟ ଝିଅ କିମାୟା ଅଛି । ଝିଅ ପାଇଁ ସମ୍ପର୍କକୁ ବଞ୍ଚାଇ ରଖିବା ଲାଗି ଉଭୟ ଦୀର୍ଘଦିନ ଧରି ଚେଷ୍ଟା କରିଥିଲେ । କିନ୍ତୁ ପରେ ସେମାନେ ଅନୁଭବ କରିଥିଲେ ଯେ ଅଲଗା ରହିଲେ ଝିଅକୁ ଅଧିକ ଭଲ ପରିବେଶ ମିଳିପାରିବ ।
ଯଦି ଅଭିନେତାଙ୍କ କ୍ୟାରିୟର କଥା କୁହାଯାଏ ତେବେ ବିଜୟେନ୍ଦ୍ର କୁମେରିଆ ଟେଲିଭିଜନ୍ ଧାରାବାହିକ ‘ଛୋଟି ବହୁ’ ମାଧ୍ୟମରେ ଅଭିନୟ ଜଗତରେ ପାଦ ରଖିଥିଲେ । ୨୦୧୪ରେ କଲର୍ସ ଟିଭିର ‘ଶାସ୍ତ୍ରୀ ସିଷ୍ଟର୍ସ’ରେ ତାଙ୍କୁ ମୁଖ୍ୟ ଭୂମିକା ମିଳିଥିଲା, ଯେଉଁଥିରେ ସେ ଇଶିତା ଗାଙ୍ଗୁଲିଙ୍କ ସହ କାମ କରିଥିଲେ । ‘ଉଡ଼ାନ୍’ ଧାରାବାହିକ ତାଙ୍କୁ ବିଶେଷ ଲୋକପ୍ରିୟତା ଦେଇଥିଲା । ଏହା ବ୍ୟତୀତ ସେ ‘ନାଗିନ୍ ୪’, ‘ଆପକି ନଜରୋଁ ନେ ସମଝା’, ‘ମୋସେ ଛଲ କିଏ ଜାଏ’, ‘ତେରି ମେରି ଡୋରିୟାଁ’, ‘ଦିୱାନିୟତ’ ଓ ‘ଜାଗୃତି: ଏକ ନଇ ସୁବହ’ ଭଳି ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଶେଷ ଥର ପାଇଁ ‘ଜୁହି ମୁଇ’ ଟିଭି ସିରିଜ୍ରେ ଇନ୍ସପେକ୍ଟର ସଂଯମ ସିଂହ ଭୂମିକାରେ ନଜର ଆସିଥିଲେ ।