ଦେଶ ବିଦେଶ

Muzaffarnagar Accident : ସ୍କର୍ପିଓକୁ ପିଟିଲା ଡମ୍ପର, ୪ ମୃତ, ୩ ଗୁରୁତର

ଉତ୍ତରପ୍ରଦେଶର ମୁଜଫରନଗରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ପୁରକାଜୀ ଥାନା ଅଞ୍ଚଳର ଲକ୍ସର ରୋଡ୍ରେ ଏକ ଦ୍ରୁତଗାମୀ ଡମ୍ପର ଏକ ସ୍କର୍ପିଓକୁ ପାର୍ଶ୍ୱରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟା ୧୫ ମିନିଟରେ ଲକ୍ସର ଦିଗରୁ ଆସୁଥିବା ସ୍କର୍ପିଓକୁ ସାମ୍ନା ପଟୁ ଆସୁଥିବା ଡମ୍ପର ସାଇଡରୁ ଧକ୍କା ଦେଇଥିଲା । ଭୟଙ୍କର ଧକ୍କାରେ ସ୍କର୍ପିଓଟି ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଗାଡ଼ି ଭିତରେ ଥିବା ଲୋକମାନେ ଫସି ରହିଥିଲେ । ଫଳରେ ଗାଡ଼ିରେ ଥିବା ଲୋକଙ୍କ ମଧ୍ୟରୁ ୨ ଜଣ ଘଟଣା ସ୍ଥଳରେ ଜୀବନ ହାରିଥିଲେ ।

ଦୁର୍ଘଟଣା ସମୟରେ ସ୍କର୍ପିଓରେ ମୋଟ ୭ ଜଣ ଯାତ୍ରା କରୁଥିଲେ । ପ୍ରାୟ ୫୦ ବର୍ଷୀୟ ଚାଳକ ଆଦେଶ କୁମାର ଏବଂ ୩୫ ବର୍ଷୀୟ ନିଶାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହାଛଡ଼ା ରାଖୀ (୪୮), ଗୋନୀ (୧୧), କୁସୁମ (୭୦), ରୁବୀ (୪୮) ଏବଂ ବୈଷ୍ଣବୀ (୭) ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ମେସିନ୍ ସହାୟତାରେ ସ୍କର୍ପିଓ ଭିତରେ ଫସିଥିବା ଲୋକଙ୍କୁ ବାହାର କରାଯାଇଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା । ଦୁର୍ଘଟଣାର ଖବର ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ପୋଲିସ ଡମ୍ପର ଚାଳକଙ୍କୁ ଅଟକ ରଖିଛି । ମୃତକ ଓ ଆହତଙ୍କ ପରିବାରକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ଘଟଣାରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Back to top button