ରାଜ୍ୟ

Gandhi Jayanti 2026: ଆଜି ୧୫୭ତମ ଗାନ୍ଧୀ ଜୟନ୍ତୀ, ଓଡ଼ିଶା ସହ ଥିଲା ବାପୁଙ୍କ ଗଭୀର ସମ୍ପର୍କ

ବାପୁଙ୍କୁ ମନେ ପକାଉଛି ଦେଶ । ଆଜି ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ। ଦେଶବ୍ୟାପୀ ବାପୁଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରାଯାଉଛି । ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଆଜି ପୁଣି ମନେ ପକାଉଛି ସାରା ଦେଶ ।

୧୮୬୯ ମସିହା ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମକୁ ସେ ସତ୍ୟାଗ୍ରହ ଓ ଅହିଂସାର ଏକ ନୂଆ ଦିଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନ, ଦାଣ୍ଡି ଯାତ୍ରା ଓ ଭାରତ ଛାଡ଼ ଆନ୍ଦୋଳନ ଭଳି ଐତିହାସିକ ଆନ୍ଦୋଳନ ସହ ତାଙ୍କ ନେତୃତ୍ୱ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଗାନ୍ଧୀଙ୍କ ପାଇଁ ସ୍ୱାଧୀନତା କେବଳ ବ୍ରିଟିଶ ଶାସନରୁ ମୁକ୍ତି ନଥିଲା। ସ୍ୱଚ୍ଛତା, ସ୍ୱାବଲମ୍ବନ, ଗ୍ରାମ ସ୍ୱରାଜ, ସାମାଜିକ ସମାନତା ଓ ସାମ୍ପ୍ରଦାୟିକ ସଦ୍ ଭାବକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।

ଚରଖା ଓ ଖଦି ମାଧ୍ୟମରେ ସ୍ୱଦେଶୀ ଓ ଆତ୍ମନିର୍ଭରତାର ବାର୍ତ୍ତା ଦେଇଥିଲେ ବାପୁ। ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଗଭୀର ସମ୍ପର୍କ ରହିଥିଲା । ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଏକାଧିକ ଥର ଓଡ଼ିଶା ଗସ୍ତ କରିଥିଲେ । ଓଡ଼ିଶାର ଦାରିଦ୍ର୍ୟ, ଗ୍ରାମୀଣ ଜୀବନ ଓ ସାମାଜିକ ସମସ୍ୟା ତାଙ୍କୁ ପ୍ରଭାବିତ କରିଥିଲା । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ଓଡ଼ିଶାର ଅନେକ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ।

ଗାନ୍ଧୀଙ୍କ ଅହିଂସା ଦର୍ଶନର ବିଶ୍ୱବ୍ୟାପୀ ଗୁରୁତ୍ୱକୁ ସ୍ୱୀକୃତି ଦେଇ ଜାତିସଂଘ ଅକ୍ଟୋବର ୨କୁ International Day of Non-Violence ଭାବେ ପାଳନ କରୁଛି । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀର ରାଜଘାଟ ସମେତ ଦେଶର ବିଭିନ୍ନ ସ୍ଥାନରେ ବାପୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି, ପ୍ରାର୍ଥନା ସଭା ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସତ୍ୟ ଓ ଅହିଂସାର ମାର୍ଗରେ ସମାଜ ପରିବର୍ତ୍ତନର ଯେଉଁ ବାର୍ତ୍ତା ଗାନ୍ଧୀ ଦେଇଯାଇଛନ୍ତି, ତାହା ଆଜି ବି ତାଙ୍କ ଉତ୍ତରାଧିକାରର ମୂଳ ଅଂଶ ।

Leave a Reply

Your email address will not be published. Required fields are marked *

Back to top button