
Jana Sampark Padayatra: ଆଜିଠୁ ବିଜେଡିର ଜନସଂପର୍କ ପଦଯାତ୍ରା, ସମସ୍ତ ନିର୍ବାଚନମଣ୍ଡଳୀରେ ଚାଲିବ ଏହି ଅଭିଯାନ
ଆଜିଠୁ ବିଜେଡିର ଜନସଂପର୍କ ପଦଯାତ୍ରା । ମାସେବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବ ବିଜୁ ଜନତା ଦଳ । ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଚାଲିବ ଏହି ଅଭିଯାନ । ପାର୍ବଣ ସମୟକୁ ବାଦ୍ ଦେଇ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ ଜନସମ୍ପର୍କ କାର୍ଯ୍ୟକ୍ରମ କରାଯିବ ।
ପଦଯାତ୍ରା ବେଳେ ବିଜେଡି ସରକାର ସମୟରେ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ବର୍ତ୍ତମାନର ବିଜେପି ସରକାରକୁ ଟାର୍ଗେଟ୍ କରି ଏକାଧିକ ପ୍ରସଙ୍ଗ ଲୋକଙ୍କ ପାଖରେ ଉଠାଇବାକୁ ଦଳ ନିଷ୍ପତ୍ତି ନେଇଛି । ବିଶେଷକରି ସରକାରଙ୍କ ପ୍ରତିଶ୍ରୁତି ପାଳନ, ମହିଳାଙ୍କ ସୁରକ୍ଷା ଓ ଅଧିକାର, ଆଇନଶୃଙ୍ଖଳା, ଚାଷୀଙ୍କ ସମସ୍ୟା, ଯୁବ ଓ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗ, ଦରଦାମ ବୃଦ୍ଧି, ସାମାଜିକ ସୁରକ୍ଷା ଭତ୍ତା ଏବଂ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ସମସ୍ୟାକୁ ପଦଯାତ୍ରାରେ ପ୍ରମୁଖ ପ୍ରସଙ୍ଗ କରିବ ବିଜେଡି । ଏସବୁ କ୍ଷେତ୍ରରେ ବର୍ତ୍ତମାନ ସରକାର ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି ।
ସେହିପରି ସଂଶୋଧିତ MMDR ଆଇନକୁ ମଧ୍ୟ ପଦଯାତ୍ରାରେ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ କରିବ । ଏହି ଆଇନ ରାଜ୍ୟର ଖଣିଜ ସମ୍ପଦ ଓ ଜମି ଉପରେ ଓଡ଼ିଶାର ଅଧିକାରକୁ ପ୍ରଭାବିତ କରୁଥିବା ବିଜେଡି ଅଭିଯୋଗ କରିଆସୁଛି । ପାଠ୍ୟପୁସ୍ତକରେ ତ୍ରୁଟି, ସ୍ୱାସ୍ଥ୍ୟସେବା, ଲଘୁ ଖଣିଜ ସମ୍ପଦର କଥିତ ଲୁଟ୍ ଓ ଦୁର୍ନୀତି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ନେଇ ମଧ୍ୟ ଲୋକଙ୍କ ପାଖକୁ ଯିବ । ପ୍ରତ୍ୟେକ ବ୍ଲକ୍ ଓ ନଗର କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରି ସ୍ଥାନୀୟ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯିବ ।
ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଏବଂ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ କରିବାକୁ ମଧ୍ୟ ବିଜେଡି କହିଛି । ସ୍ଥାନୀୟ ନିର୍ବାଚନମଣ୍ଡଳୀ ନେତୃତ୍ୱ ପଦଯାତ୍ରାର ପ୍ରତ୍ୟକ୍ଷ ପରିଚାଳନା କରିବେ । ଜିଲ୍ଲା ସଭାପତି ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏହାର ତଦାରଖ କରିବେ ।