
OMC–Vedanta Dispute: ହାଇକୋର୍ଟଙ୍କ ରାୟ ପରେ ବେଦାନ୍ତର ପ୍ରତିକ୍ରିୟା; ବକ୍ସାଇଟ୍ ଯୋଗାଣରେ ପଡ଼ିବନି ପ୍ରଭାବ
OMC-ବେଦାନ୍ତ ବକ୍ସାଇଟ୍ ବିବାଦରେ ହାଇକୋର୍ଟଙ୍କ ରାୟର ସମୀକ୍ଷା କରୁଛି ବେଦାନ୍ତ । ଆଇନଗତ ବିକଳ୍ପ ଉପରେ ବିଚାର କରାଯାଉଛି । OMC-ବେଦାନ୍ତ ବକ୍ସାଇଟ୍ ବିବାଦରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛି ବେଦାନ୍ତ ଆଲୁମିନିୟମ୍ । କମ୍ପାନୀ କହିଛି, ହାଇକୋର୍ଟଙ୍କ ଆଦେଶର ସମୀକ୍ଷା କରାଯାଉଛି ଏବଂ ଏହା ବିରୋଧରେ ଉପଲବ୍ଧ ଆଇନଗତ ପଦକ୍ଷେପ ଉପରେ ବିଚାର କରାଯାଉଛି ।
ବେଦାନ୍ତ ଆଲୁମିନିୟମ୍ ର ମୁଖପାତ୍ରଙ୍କ କହିବା ଅନୁସାରେ, କମ୍ପାନୀ ଏହି ଆଦେଶର ସମୀକ୍ଷା କରୁଛି ଏବଂ ଏହା ବିରୋଧରେ ଉପଲବ୍ଧ ଆଇନଗତ ପଦକ୍ଷେପ ସମ୍ପର୍କରେ ବିଚାର କରୁଛି । ଏହି ଆଦେଶ ଯୋଗୁଁ ବେଦାନ୍ତ ଆଲୁମିନିୟମ୍ କୁ ବକ୍ସାଇଟ୍ ଯୋଗାଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଅର୍ଥାତ୍ ହାଇକୋର୍ଟଙ୍କ ରାୟ ପରେ ମଧ୍ୟ କମ୍ପାନୀର ବକ୍ସାଇଟ୍ ଯୋଗାଣ ପ୍ରଭାବିତ ହେବ ନାହିଁ ବୋଲି ବେଦାନ୍ତ ସ୍ପଷ୍ଟ କରିଛି ।
ଏଥିସହ ରାୟକୁ ନେଇ ପରବର୍ତ୍ତୀ ଆଇନଗତ ବିକଳ୍ପ ଖୋଲା ରଖିଛି କମ୍ପାନୀ । OMC ଓ ବେଦାନ୍ତ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ବକ୍ସାଇଟ୍ ବିବାଦରେ ବେଦାନ୍ତର ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଛନ୍ତି । ଏହାସହ ୨୦୧୫ରେ OMC ପକ୍ଷରୁ ଯୌଥ ଉଦ୍ୟୋଗ ବା Joint Venture ବାତିଲ କରାଯାଇଥିବା ନିଷ୍ପତ୍ତି କାଏମ ରହିଛି । ଏହି ବିବାଦର ମୂଳ ୨୦୦୪ ମସିହାର ଚୁକ୍ତି ସହ ଜଡ଼ିତ। ସେତେବେଳେ OMC ଓ ବେଦାନ୍ତର ତତ୍କାଳୀନ ସଂସ୍ଥା ଷ୍ଟର୍ଲାଇଟ୍ ମଧ୍ୟରେ ଯୌଥ ଖଣି ପ୍ରକଳ୍ପକୁ ନେଇ ବୁଝାମଣା ହୋଇଥିଲା । ପରେ ୨୦୧୫ରେ OMC ଏହି ଯୌଥ ଉଦ୍ୟୋଗ ବ୍ୟବସ୍ଥାକୁ ବାତିଲ କରିଥିଲା ।
ହାଇକୋର୍ଟରେ ବେଦାନ୍ତ ପୁରୁଣା ଚୁକ୍ତି ଏବଂ ପ୍ରତିଶ୍ରୁତି ଆଧାରରେ ନିଜର ଅଧିକାର ଦାବି କରିଥିଲା । ତେବେ କୋର୍ଟଙ୍କ ରାୟ ଅନୁସାରେ, ୨୦୧୫ର ବାତିଲ ନିଷ୍ପତ୍ତି ଚୂଡ଼ାନ୍ତ ହୋଇସାରିଥିବାରୁ ପୁରୁଣା ବ୍ୟବସ୍ଥା ଆଧାରରେ ଏବେ ଅଧିକାର ଦାବି କରାଯାଇପାରିବ ନାହିଁ । ଏବେ ଏହି ରାୟର ସମୀକ୍ଷା ପରେ ବେଦାନ୍ତ କେଉଁ ଆଇନଗତ ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିବ ।