
ରାଜନୀତି
ରାୟଗଡ଼ା ରାଜନୀତିରେ ନାଟକୀୟ ମୋଡ଼
ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଶ୍ରମିତା, କିନ୍ତୁ ଅଧ୍ୟକ୍ଷ ମହେଶଙ୍କ ସହ ବିଜେଡିରୁ ହେଲେ ନିଲମ୍ବିତ
ରାୟଗଡ଼ା,୨୯/୯(ଲୋକଙ୍କସ୍ୱର): ଗୋଟିଏ ଦିନରେ ରାୟଗଡ଼ା ପୌର ପରିଷଦ ରାଜନୀତିରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଆଜି ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ ପୌର ପରିଷଦର ନୂଆ ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ନିର୍ବାଚିତ ହେବାର କିଛି ସମୟ ପରେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଏବଂ ପୌର ପରିଷଦ ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ନିଲମ୍ବିତ କରାଯାଇଛି। ଏହି ଘଟଣା ପରେ ରାୟଗଡ଼ା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି।

ପ୍ରକାଶ ଥାଉକି, ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଆଜି ଶ୍ରମିତା ପାଢ଼ୀ ଏକାକୀ ନାମାଙ୍କନ ଦାଖଲ କରିଥିଲେ। ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇଛି।
ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଖୁସି କିଛି ସମୟ ନ ବିତୁଣୁ, ବିଜେଡି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା କାରଣରୁ ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଏବଂ କାଉନସିଲର ତଥା ନବନିର୍ବାଚିତ ଉପାଧ୍ୟକ୍ଷା ଶ୍ରମିତା ପାଢ଼ୀଙ୍କୁ ଦଳରୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଆଜି ୨୯ ସେପ୍ଟେମ୍ବର ୨୦୨୬ ତାରିଖରେ ଏକ ଅଫିସ୍ ଅର୍ଡର ଜାରି କରି ଏହି ସୂଚନା ଦେଇଛନ୍ତି।

ଏହି ଘଟଣାକ୍ରମକୁ ନେଇ ବରିଷ୍ଠ ନେତା ସୁଧୀର ଦାସ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ପୌର ଉପାଧ୍ୟକ୍ଷା ଉପନିର୍ବାଚନ ପାଇଁ ସୂଚନା ପାଇବା ପରେ ପୌର ଅଧ୍ୟକ୍ଷ ମହେଶ ପଟ୍ଟନାୟକ ଏନେଇ ଦଳକୁ କୌଣସି ସୂଚନା ନ ଦେଇ କିଭଳି ନିର୍ବାଚନରେ ସାମିଲ ହେଲେ। ଦଳକୁ ଅନ୍ଧାରରେ ରଖି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ହିଁ ନିଲମ୍ବନର ପ୍ରମୁଖ କାରଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆଜିର ଏହି ଆକସ୍ମିକ ରାଜନୈତିକ ଘଟଣାକ୍ରମ ପୂର୍ବରୁ ଲାଗି ରହିଥିବା ଟଣାଓଟରାର ଅନ୍ତ ଘଟାଇଛି ସତ, କିନ୍ତୁ ଭବିଷ୍ୟତ ପାଇଁ ଅନେକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି।
