
Flood Threat: ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ବୈତରଣୀ-ସାଳନ୍ଦୀରେ ବଢ଼ୁଛି ଜଳସ୍ତର
ଲଗାଣ ବର୍ଷା ରେ ଫୁଲୁଛି ବୈତରଣୀ । ସକାଳ ୭ ଟା ସୁଦ୍ଧା ଆନନ୍ଦପୁର ଠାରେ ସତର୍କ ସୂଚନା ପାର କରିଛି ବୈତରଣୀ ନଦୀ । ଆନନ୍ଦପୁର ଠାରେ ସତର୍କ ସୂଚନା ୩୭.୪୪୫ ମିଟର ଥିବା ବେଳେ ନଦୀ ୩୭.୪୭୦ ମିଟର ରେ ପ୍ରବାହିତ ହେଉଛି । ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଂକେତ ୧୬ ଫୁଟ ଥିଲା ବେଳେ ଏବେ ସେଠାରେ ୧୫.୪୦ ଉପରେ ଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଯାଜପୁର ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ଥିଲା ବେଳେ ଏବେ ସେଠାରେ ୧୮.୪୨ରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଭୟଭୀତ ହୋଇ ରହିଛନ୍ତି ନଦୀ କୁଳିଆ ଲୋକେ । ବନ୍ୟା ଆସିବା ଫଳରେ ପୁଣି ଭାଙ୍ଗିଗଲା ମରାମତି ହୋଇଥିବା ନଦୀବନ୍ଧ ।
ପୂର୍ବବନ୍ୟାରେ ଯାଜପୁର ଦଶରଥପୁର ବ୍ଲକ ତରପଦା ପଂଚାୟତ ଡୋଭାବିଲ ପାଟଣାରେ ବୈତରଣୀର ଶାଖା କାଣୀ ନଦୀର ବନ୍ଧ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ସରିଯାଇଥିଲା । ପୁଣି ବନ୍ୟାଜଳ ବଢିବା ଫଳରେ ଆଜି ଭୋରୁ ଏହି ମରାମତି ହୋଇଥିବା ବନ୍ଧ ଉପରେ ବନ୍ୟାଜଳ ଚାଲି ଥିଲା । ବନ୍ୟା ଜଳର ସ୍ରୋତ ଅଧିକ ଥିବାରୁ ପରବର୍ତ୍ତୀ ସମୟରେ ଏହି ବନ୍ଧକୁ ପୁଣିଥରେ ଭାଙ୍ଗି ଦେଇଛି । ଫଳରେ ବନ୍ୟାପାଣି ସେହି ବାଟ ଦେଇ ଗାଁକୁ ପ୍ରବେଶ କରିଥିବା ବେଳେ ଦଶରଥପୁର ବ୍ଲକ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ।