ରାଜ୍ୟ

Deep Depression: ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ

ସ୍ଥଳଭାଗ ଅତିକ୍ରମ କଲା ‘ଗଭୀର ଅବପାତ’ । ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ, ଉପକୂଳରେ ହାଇଆଲର୍ଟ । ​ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟରେ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ୭୫ କିଲୋମିଟର ବେଗରେ ବହିଲା ପବନ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରେଡ୍ ଆଲର୍ଟ । ସମୁଦ୍ରକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ । ୨ ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରୁଛି ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ।

ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ବିଳମ୍ବିତ ରାତିରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା । ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ନିକଟରେ ଏହି ସ୍ଥଳଭାଗ ଛୁଇଁଥିଲା । ​ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିଲା । ୨୩ ସେପ୍ଟେମ୍ବର ରାତି ୧୧ଟା ୩୦ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ଠାରୁ ପ୍ରାୟ ୩୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ବିଶାଖାପାଟଣା ଠାରୁ ୮୦ କିମି ଉତ୍ତର-ପୂର୍ବ ଏବଂ ଓଡ଼ିଶାର ଗୋପାଳପୁର ଠାରୁ ୧୭୦ କିମି ଦକ୍ଷିଣ-ପଶ୍ଚିମ ଦୂରତାରେ କେନ୍ଦ୍ରୀଭୂତ ଥିଲା । ସ୍ଥଳଭାଗ ଛୁଇଁବା ପରେ ପରବର୍ତ୍ତୀ ୧୨ ଘଣ୍ଟା ଏହା ନିଜର ଗଭୀର ଅବପାତ ରୂପ ବଜାୟ ରଖି ପ୍ରାରମ୍ଭିକ ଭାବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ​ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବା ସହ କ୍ରମଶଃ ଦୁର୍ବଳ ହେବ ।

ଆଜି ପବନର ବେଗ ଘଣ୍ଟା ପ୍ରତି ୫୦-୬୦ କିମି ରହିବ, ଯାହା ଝଟକା ସହ ୭୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ​୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହୋଇ ସାଧାରଣ ‘ଅବପାତ’ ରେ ପରିଣତ ହେବ । ​୨୬ ସେପ୍ଟେମ୍ବର ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୪ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ରହିଛି ରେଡ ୱାର୍ଣ୍ଣିଂ । ସେହିପରି କାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନବରଙ୍ଗପୁରକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *

Back to top button