
Fire On Tent House Store Room: ହୁ ହୁ ହୋଇ ଜଳିଗଲା ଟେଣ୍ଟ ହାଉସ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
ଭୟାବହ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଟେଣ୍ଟ ହାଉସ୍ର ଷ୍ଟୋର ରୁମ୍ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଟେଣ୍ଟ ସାମଗ୍ରୀ ।
ଭୁବନେଶ୍ୱର ପାଇକରାପୁର ଅଞ୍ଚଳରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତିରେ ଏକ ଟେଣ୍ଟ ହାଉସ୍ର ଷ୍ଟୋର ରୁମ୍ରେ ହଠାତ୍ ନିଆଁ ଲାଗିଯାଇଥିଲା । ଷ୍ଟୋର ରୁମ୍ ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ତମାଣ୍ଡୋ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଷ୍ଟୋର ରୁମ୍ ଭିତରେ ଟେଣ୍ଟ ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିଯାଇଥିଲା । ଫଳରେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା ।
ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଷ୍ଟୋର ରୁମ୍ରେ ଥିବା ଅନେକ ଟେଣ୍ଟ ସାମଗ୍ରୀ ଜଳି ନଷ୍ଟ ହୋଇସାରିଥିଲା । ପ୍ରାଥମିକ ଭାବେ ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ । ନିଆଁ କେଉଁ ପରିସ୍ଥିତିରେ ଲାଗିଲା, ସେନେଇ ତଦନ୍ତ ଜାରି ରହିଛି ।