ରାଜ୍ୟ

DGP Hearing: ଆଜି ନିର୍ଣ୍ଣାୟକ ଡିଜିପି ଶୁଣାଣି, ଓଡ଼ିଶାର ପୋଲିସ ମୁଖ୍ୟ ଚୟନ ଉପରେ ସୁପ୍ରିମକୋର୍ଟଙ୍କ ନଜର

ଆଜି ନିର୍ଣ୍ଣାୟକ ଡିଜିପି ଶୁଣାଣି । ଓଡ଼ିଶାର ପୁଲିସ ମୁଖ୍ୟ ଚୟନ ଉପରେ ସୁପ୍ରିମକୋର୍ଟଙ୍କ ନଜର । ଓଡ଼ିଶାର ନୂଆ ଡିଜିପି ଚୟନକୁ ନେଇ ଚାଲିଥିବା ବିବାଦରେ ଆଜି ସୁପ୍ରିମକୋର୍ଟରେ ନିର୍ଣ୍ଣାୟକ ଶୁଣାଣି ହେବ । ମଙ୍ଗଳବାର ମାମଲା ଉଠିଥିଲେ ମଧ୍ୟ ଶୁଣାଣି ଶେଷ ହୋଇପାରିନଥିଲା । ଆଜି ପୁଣି ଏହାର ଶୁଣାଣି ହେବାକୁ ଥିବାରୁ ଅଦାଲତଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଡିଜିପି ଚୟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଯୋଗ୍ୟ ଆଇପିଏସ୍ ଅଧିକାରୀଙ୍କ ତାଲିକା, ବରିଷ୍ଠତା, ଚାକିରି ଅବଧି ଓ ଯୋଗ୍ୟତାକୁ ନେଇ ମାମଲାରେ ପ୍ରଶ୍ନ ଉଠିଛି । ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ ଚୟନ ପରିସରକୁ ଆଣିବା ପାଇଁ ତାଲିକାରେ ପରିବର୍ତ୍ତନ କରାଯାଇଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ଏହି ଅଭିଯୋଗର ଜବାବ ରଖିବେ । ସୁପ୍ରିମକୋର୍ଟଙ୍କ ୨୦୦୬ର ‘ପ୍ରକାଶ ସିଂହ’ ରାୟ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ଡିଜିପି ଚୟନ ପ୍ରକ୍ରିୟା ହୋଇଛି କି ନାହିଁ, ତାହା ହେଉଛି ମାମଲାର ମୁଖ୍ୟ ପ୍ରସଙ୍ଗ । ଏହି ନିୟମ ଅନୁସାରେ ୟୁପିଏସ୍ ସି ଯୋଗ୍ୟ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ସାଧାରଣତଃ ତିନିଜଣଙ୍କ ନାମ ନେଇ ପ୍ୟାନେଲ ପ୍ରସ୍ତୁତ କରିଥାଏ। ସେହି ପ୍ୟାନେଲରୁ ରାଜ୍ୟ ସରକାର ଜଣଙ୍କୁ ଡିଜିପି ଭାବେ ନିଯୁକ୍ତ କରନ୍ତି । ମାମଲାରେ ନିଯୁକ୍ତ ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ମଧ୍ୟ ନିଜ ରିପୋର୍ଟ ଦାଖଲ କରିଛନ୍ତି । ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା ପାଳନ ହୋଇନଥିବା ନେଇ ସେ ପ୍ରଶ୍ନ ଉଠାଇଥିବା ରିପୋର୍ଟ ରହିଛି । ଆଜି ଆବେଦନକାରୀ, ରାଜ୍ୟ ସରକାର, ୟୁପିଏସ୍ ସି ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ଯୁକ୍ତି ଶୁଣିପାରନ୍ତି ସର୍ବୋଚ୍ଚ ଅଦାଲତ । ଅଦାଲତ ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଅନୁମତି ଦେବେ, ତାଲିକାରେ ସଂଶୋଧନ ପାଇଁ କହିବେ ନା ଅନ୍ୟ କୌଣସି ନିର୍ଦ୍ଦେଶ ଦେବେ, ତାହା ଉପରେ ଓଡ଼ିଶାର ପରବର୍ତ୍ତୀ ଡିଜିପି ଚୟନର ଭବିଷ୍ୟତ ନିର୍ଭର କରିବ । ଏବେ କୋର୍ଟଙ୍କ ବିଚାର ପାଇଁ ତିନିଟି ପ୍ରମୁଖ ପ୍ରଶ୍ନ ରହିଛି । ଡିଜିପି ଚୟନ ପରିସର କେବଳ ପୂର୍ବରୁ ଥିବା ଦୁଇ ଡିଜିପି ପାହ୍ୟାର ଅଧିକାରୀଙ୍କ ମଧ୍ୟରେ ସୀମିତ ରହିବ କି? ସୁଶାନ୍ତ ନାଥଙ୍କ ଆବେଦନ ଗ୍ରହଣ ହେଲେ ତାଙ୍କୁ ପୁଣି ତାଲିକାରେ ସାମିଲ କରାଯିବ କି? ନା ପରେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ମଧ୍ୟ ଚୟନ ପରିସରରେ ରଖାଯିବ? ସୁପ୍ରିମକୋର୍ଟ ମଙ୍ଗଳବାର କୌଣସି ଚୂଡ଼ାନ୍ତ ରାୟ ଦେଇନାହାନ୍ତି । ମାମଲାର ଶୁଣାଣି ଆଜି ପୁଣି ଜାରି ରହିବ ।

ଓଡ଼ିଶା ପୋଲିସ ମୁଖ୍ୟାଳୟ ପ୍ରଥମେ ଡିଜିପି ପାହ୍ୟାର ତିନି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ କୁମାର ନାଥ ଏବଂ ଆର୍ .ପି. କୋଚେଙ୍କ ନାମ ରାଜ୍ୟ ସରକାରଙ୍କୁ ପଠାଇଥିଲା । ପରେ ରାଜ୍ୟ ସରକାର UPSCକୁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଏକ ବ୍ୟାପକ ତାଲିକା ପଠାଇଥିଲେ । ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଅଗଷ୍ଟରେ UPSCକୁ ଡିଜିପି ପଦ ପାଇଁ ତିନିଜଣିଆ ପ୍ୟାନେଲ୍ ପ୍ରସ୍ତୁତି ସ୍ଥଗିତ ରଖିବାକୁ କୁହାଯାଇଥିଲା । ନିୟମ ଅନୁସାରେ ରାଜ୍ୟ ସରକାର ଯୋଗ୍ୟ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ଓ ସେବା ରେକର୍ଡ UPSCକୁ ପଠାନ୍ତି । UPSC ସେଥିରୁ ସାଧାରଣତଃ ତିନିଜଣଙ୍କ ଏକ ପ୍ୟାନେଲ୍ ପ୍ରସ୍ତୁତ କରେ । ରାଜ୍ୟ ସରକାର ସେହି ପ୍ୟାନେଲ୍ ରୁ ଜଣଙ୍କୁ ଡିଜିପି ଭାବେ ନିଯୁକ୍ତ କରନ୍ତି ।

Leave a Reply

Your email address will not be published. Required fields are marked *

Back to top button