
Puja In Shaktipitha : ବିଭିନ୍ନ ଶକ୍ତିପୀଠରେ ମାଆ ମହାମାୟାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି ଶ୍ରଦ୍ଧାଳୁ
କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ଭକ୍ତମାନଙ୍କୁ ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ମାଆଙ୍କର ଏହି ଦିବ୍ୟ ବେଶ ଦର୍ଶନ ପାଇଁ ପୀଠରେ ଭକ୍ତମାନଙ୍କର ସମାଗମ ହୋଇଛି। ମାଆଙ୍କ ଦର୍ଶନ କରି ଭକ୍ତମାନେ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି। ପୂଜାର୍ଚ୍ଚନା ଓ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଛି ସମଗ୍ର ଭଟ୍ଟାରିକା ପୀଠ। ମାଆଙ୍କ ଏହି ବେଶ ଭକ୍ତମାନଙ୍କ ମନରେ ଭକ୍ତି ଓ ଆସ୍ଥା ଭରି ଦେଇଛି।
ପୁରୀ : ଶାରଦୀୟ ପୂଜା ଅବସରରେ ଶ୍ରୀ କ୍ଷେତ୍ର ପୁରୀ ବେଶ ଉତ୍ସବମୁଖର l ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବୀ ପୀଠରେ ମାଆ ମହାମାୟାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି l ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ନୀତିକାନ୍ତି ଅନୁଯାୟୀ ସମସ୍ତ ଦେବୀ ପୀଠରେ ପୂଜା ପାଠ ଅନୁଷ୍ଠିତ ହେଉଛି l ଶ୍ରୀମନ୍ଦିର ନିକଟରେ ମାଆ ବିମଳାଙ୍କ ପ୍ରତିନିଧି ଭାବେ ମାଆ କାକୁଡି ଖାଇ ପୂଜା ପାଉଛନ୍ତି l ଆଜି ମାଆ କାକୁଡି ଖାଇଙ୍କ ନିକଟରେ ମହା ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି l
ଏହି ଷୋଡଶ ଦିନାତ୍ମକ ପୂଜା ସମୟରେ ମାଆ ବିମଳାଙ୍କ ମନ୍ଦିରକୁ ମହିଳାଙ୍କ ଦର୍ଶନ ବାରଣ କରାଯାଇଥାଏ l ମାଆ ବିମଳାଙ୍କ ପ୍ରତିନିଧି ହେଉଛନ୍ତି ମାଆ କାକୁଡି ଖାଇ । ଶ୍ରଦ୍ଧାଳୁମାନେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି l ଆଜି ମଧ୍ୟ ରାତ୍ରରେ ବେଲବାରଣ, ଆବାହନ, କଳସ ପୂଜା ଆଦି କରାଯିବ l ଆଜି ମହାସପ୍ତମୀ ଆସନ୍ତା କାଲି ମାଆ କାକୁଡି ଖାଇଙ୍କ ନିକଟରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେବା ସହ ବିଜୟା ଦଶମୀରେ ମାଆ ମେଲାଣି ନେଇଥାନ୍ତି l
କାକଟପୁର : ଆଜି ସପ୍ତମୀ ତିଥିରେ କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ। ଆଜି ମାଆ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ବର୍ଷା। କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ମନ୍ଦିରରେ ଆଜି ସପ୍ତମୀ ଅବସରରେ ମାଆଙ୍କର ଆରମ୍ଭ ହେବ ପ୍ରସିଦ୍ଧ ସିଂହବାହିନୀ ବେଶ । ଆଜି ରାତି ୭ଟା ବେଳେଏହି ବେଶ ଅନୁଷ୍ଠିତ ହେବ। ମଙ୍ଗଳାଙ୍କ ସେବାୟତ ଏବଂ ଟ୍ରଷ୍ଟବୋର୍ଡ ଅଧିକାରୀ କଣ କହୁଛନ୍ତି ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କାକଟପୁର ପ୍ରତିନିଧି ଲୋକନାଥସ୍ଵାଇଁ।