ମନୋରଞ୍ଜନ

Hema Malini : ବହୁତ ପତଳା ଯୋଗୁଁ ପ୍ରଥମ ଫିଲ୍ମରୁ ରିଜେକ୍ଟ ହୋଇଥିଲେ ହେମା, ଜାଣନ୍ତୁ କେମିତି ହେଲେ ଡ୍ରିମ ଗର୍ଲ

ବଲିଉଡର ଡ୍ରିମ୍ ଗର୍ଲ ଭାବେ ପରିଚିତ ହେମା ୭୮ ବର୍ଷରେ ପାଦ ଥାପିଛନ୍ତି । ତାମିଲନାଡୁର ଅମ୍ମାନକୁଡ଼ିରେ ଜନ୍ମ ଗ୍ରହଣ କରିଥିବା ହେମା ମାଳିନୀ ନୃତ୍ୟଶିଳ୍ପୀରୁ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇଥିଲେ । ତେବେ ତାଙ୍କର ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ, ପରିଶ୍ରମ ଓ ମା’ଙ୍କ ଦୃଢ଼ ଇଚ୍ଛାଶକ୍ତି ।

ହେମା ମାଳିନୀଙ୍କୁ ଅଳ୍ପ ବୟସରୁ ହିଁ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଦିଆଯାଇଥିଲା । ମା’ ଜୟା ଲକ୍ଷ୍ମୀ ତାଙ୍କୁ ଡ୍ୟାନ୍ସ କ୍ଲାସରେ ନାମ ଲେଖାଇ ଦେଇଥିଲେ । ସ୍କୁଲରୁ ଫେରିବା ପରେ ହେମାଙ୍କୁ କେବେ ନୃତ୍ୟ ତ ଆଉ କେବେ ସଙ୍ଗୀତ ଶିକ୍ଷା ପାଇଁ ଯିବାକୁ ପଡ଼ୁଥିଲା । ଯଦି କୌଣସି ଶିକ୍ଷକ ଠିକ୍ ଭାବେ ଶିକ୍ଷା ଦେଉନଥିଲେ, ତେବେ ତାଙ୍କ ମା’ ତୁରନ୍ତ ଶିକ୍ଷକ ବଦଳାଇ ଦେଉଥିଲେ । ହେମାଙ୍କ ମା’ କେଶରେ ତେଲ ଲଗାଇ ବେଣୀ କରୁଥିଲେ, ଫୁଲ ଲଗାଉଥିଲେ ଏବଂ ତାଙ୍କୁ ପାରମ୍ପରିକ ଦକ୍ଷିଣ ଭାରତୀୟ ପୋଷାକ ପିନ୍ଧାଉଥିଲେ । ଦିଲ୍ଲୀର ରାସ୍ତାରେ ଏପରି ପୋଷାକ ପିନ୍ଧି ଯିବାବେଳେ କିଛି ଲୋକ ତାଙ୍କୁ ଥଟ୍ଟା କରୁଥିଲେ ।

ଏକ ଷ୍ଟେଜ୍ ଶୋ’ରେ ତାମିଲ ନିର୍ଦ୍ଦେଶକ ସି.ଭି. ଶ୍ରୀଧରଙ୍କ ନଜର ହେମାଙ୍କ ଉପରେ ପଡ଼ିଥିଲା । ସେ ତାଙ୍କୁ ନିଜର ଆଗାମୀ ଫିଲ୍ମରେ ସୁଯୋଗ ଦେଇଥିଲେ । କିନ୍ତୁ ତାଙ୍କୁ କୁହାଯାଇଥିଲା ଯେ, ସେ ଅତ୍ୟଧିକ ପତଳା ଏବଂ ଭବିଷ୍ୟତରେ ହିରୋଇନ୍ ହୋଇପାରିବେ ନାହିଁ । ମାତ୍ର ୧୩ ବର୍ଷ ବୟସରେ ଏଭଳି ପ୍ରତ୍ୟାଖ୍ୟାନ ହେମାଙ୍କୁ ଦୁଃଖ ଦେଇଥିଲା । କିନ୍ତୁ ମା’ ତାଙ୍କୁ ହତାଶ ନ ହେବାକୁ କହିଥିଲେ । ୧୯୬୩ ମସିହାରେ ହେମା ମାଳିନୀଙ୍କୁ ତାମିଲ ଫିଲ୍ମ ଇନ୍ଦୁ ସାଥିୟମର ଏକ ଗୀତରେ ନୃତ୍ୟ କରିବାର ସୁଯୋଗ ମିଳିଥିଲା ।

୧୯୬୦ ଦଶକରେ ହେମାଙ୍କୁ ସ୍କ୍ରିନ୍ ଟେଷ୍ଟ ପାଇଁ ରାଜ କପୁରଙ୍କ ଷ୍ଟୁଡିଓକୁ ନିଆଯାଇଥିଲା । ଗାଁର ଝିଅ ଭୂମିକା ପାଇଁ ତାଙ୍କର ଟେଷ୍ଟ ନିଆଯାଉଥିବା ବେଳେ ହେମା ସ୍ୱୀକାର କରିଥିଲେ ଯେ ତାଙ୍କୁ ଅଭିନୟ ବିଷୟରେ ବିଶେଷ ଜଣାନାହିଁ। ତଥାପି ସେ କିଛି ସଂଳାପ କହିଥିଲେ । ୧୯୬୮ ମସିହାରେ ମୁକ୍ତିଲାଭ କରିଥିବା ସପନୋ କା ସୌଦାଗର ଫିଲ୍ମରେ ହେମା ମାଳିନୀଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ବଲିଉଡ୍ ଯାତ୍ରା । ପରବର୍ତ୍ତୀ ସମୟରେ ସେ ନିଜର ଅଭିନୟ, ନୃତ୍ୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ବଳରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ଆଜି ମଧ୍ୟ ହେମା ମାଳିନୀ ଭାରତୀୟ ସିନେମାର ଜଣେ ପରିଚିତ ଓ ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ।

Leave a Reply

Your email address will not be published. Required fields are marked *

Back to top button