
Apple’s Home Devices: AI ଫିଚର୍ ସହ ଆସିଲା Appleର ୩ଟି ନୂଆ ଡିଭାଇସ୍, ଜାଣନ୍ତୁ ଦାମ୍ ଓ ଲଞ୍ଚ୍ ଡିଟେଲ୍ସ
ଆପଲ୍ ନିଜର ‘Welcome Home’ ଇଭେଣ୍ଟରେ AI ଫିଚରଯୁକ୍ତ ଅନେକ ସ୍ମାର୍ଟ ହୋମ୍ ଡିଭାଇସ୍ ଉପସ୍ଥାପନ କରିଛି । ଅକ୍ଟୋବର ୧୩ ତାରିଖରେ ନ୍ୟୁୟର୍କରେ ଆୟୋଜିତ ଏହି ଇଭେଣ୍ଟରେ କ୍ୟୁପର୍ଟିନୋସ୍ଥିତ କମ୍ପାନୀ Apple TV 4K (2026), HomePod Mini 2 ସହିତ ନିଜର ପ୍ରଥମ ସ୍ମାର୍ଟ ଡିସପ୍ଲେ HomeView ମଧ୍ୟ ଉପସ୍ଥାପନ କରିଛି । ଆପର ଏହି ଡିଭାଇସଗୁଡ଼ିକ ଭାରତ ସମେତ ଅନ୍ୟାନ୍ୟ ବିଶ୍ୱ ବଜାରରେ ଆସନ୍ତା ମାସରୁ Apple Store ମାଧ୍ୟମରେ ବିକ୍ରି ପାଇଁ ଉପଲବ୍ଧ ହେବ ।
Apple TV 4K ହେଉଛି ଏହାର ଚତୁର୍ଥ ପିଢ଼ିର ଡିଭାଇସ୍, ଯେଉଁଥିରେ A19 Bionic ଚିପ୍ ଦିଆଯାଇଛି । କମ୍ପାନୀର ଦାବି ଅନୁସାରେ, ଏହାର CPU ପୂର୍ବ ପିଢ଼ି ତୁଳନାରେ ୫୦ ପ୍ରତିଶତ ଅଧିକ ଭଲ କାମ କରିବ । ସେହିପରି, ଏହାର GPU ପ୍ରଦର୍ଶନ କ୍ଷମତା ମଧ୍ୟ ପ୍ରାୟ ଦୁଇଗୁଣ ଉନ୍ନତ ହେବ । ଏଥିରେ ଏକ ସ୍ୱତନ୍ତ୍ର AV1 ଡିକୋଡର୍ ଦିଆଯାଇଛି, ଯାହା ଭିଡିଓ ଷ୍ଟ୍ରିମିଂକୁ ଆହୁରି ଉନ୍ନତ କରିବ । ଆପଲର ଏହି ସ୍ମାର୍ଟ ଟିଭିରେ Siri AI ଇଣ୍ଟିଗ୍ରେଟ୍ କରାଯାଇଛି । ଏହାଦ୍ୱାରା ବ୍ୟବହାରକାରୀମାନେ ଭଏସ୍ କଣ୍ଟ୍ରୋଲ୍ ମାଧ୍ୟମରେ ନିଜ ପସନ୍ଦର ଟିଭି କାର୍ଯ୍ୟକ୍ରମ ଓ ଶୋ’ ଦେଖିପାରିବେ । ଏହା ସହିତ ଏକ ନୂଆ ବ୍ଲୁଟୁଥ୍ ରିମୋଟ୍ ମଧ୍ୟ ଦିଆଯାଇଛି । ଏଥିରେ ୪ଟି ସ୍ପିକର୍ ରହିଛି ଏବଂ ଏହାକୁ HomePod Mini ସହିତ ପେୟାର୍ କରାଯାଇପାରିବ। Apple TV 4K (4th Gen)ର ମୂଲ୍ୟ ୩୯,୯୦୦ ଟଙ୍କା ରହିଛି । ଏହା ନଭେମ୍ବର ୧୩ ତାରିଖରୁ ସେଲ୍ ପାଇଁ ଉପଲବ୍ଧ ହେବ ।
Apple HomePod Mini 2ରେ କମ୍ପାନୀ ନିଜସ୍ୱ S10 ଚିପ୍ ବ୍ୟବହାର କରିଛି । ଏଥିରେ Computational Audio ଫିଚର୍ ରହିଛି, ଯାହା ଡିଜିଟାଲ୍ ପ୍ରକ୍ରିୟା ମାଧ୍ୟମରେ ଶବ୍ଦର ଗୁଣବତ୍ତାକୁ ଉନ୍ନତ କରେ । ଏହା ବ୍ୟତୀତ ଏଥିରେ Sound Glow ନାମକ ଏକ ନୂଆ ଫିଚର୍ ମଧ୍ୟ ଦିଆଯାଇଛି । ଉନ୍ନତ ଓ ବ୍ୟକ୍ତିଗତ ସଙ୍ଗୀତ ଅନୁଭୂତି ପାଇଁ ଏଥିରେ Siri AIର ସମର୍ଥନ ମିଳିବ । ଏହା ସହିତ ବ୍ୟବହାରକାରୀମାନେ ଅନ୍ୟ କମ୍ପାଟିବଲ୍ ଆପଲ୍ ଡିଭାଇସ୍ଗୁଡ଼ିକୁ ମଧ୍ୟ ସଂଯୋଗ କରିପାରିବେ। ଭାରତରେ ଏହି ସ୍ମାର୍ଟ ହୋମ୍ ଡିଭାଇସ୍ର ପ୍ରାରମ୍ଭିକ ମୂଲ୍ୟ ୧୮,୯୦୦ ଟଙ୍କା ରହିଛି । ଏହା ପିଙ୍କ୍, ଗ୍ରୀନ୍, ବ୍ଲୁ, ହ୍ୱାଇଟ୍ ଓ ମିଡ୍ନାଇଟ୍ ରଙ୍ଗରେ ଉପଲବ୍ଧ ହେବ। ଏହାର ବିକ୍ରି ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହେବ । Apple HomeView ହେଉଛି ଆପଲର ପ୍ରଥମ ସ୍ମାର୍ଟ ଡିସପ୍ଲେ, ଯେଉଁଥିରେ Siri AI ଫିଚର୍ ଦିଆଯାଇଛି । ଏଥିରେ ୭ ଇଞ୍ଚର Liquid Retina ଡିସପ୍ଲେ ବ୍ୟବହାର କରାଯାଇଛି ।
ଏହାର ସର୍ବାଧିକ ଉଜ୍ଜ୍ୱଳତା ୫୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଏହି ସ୍ମାର୍ଟ ଡିଭାଇସରେ ଘରର ୬ ଜଣ ସଦସ୍ୟଙ୍କ ମୁହଁ ପଞ୍ଜୀକୃତ କରିବାର ସୁବିଧା ରହିଛି । ଅପରିଚିତ ବ୍ୟକ୍ତିଙ୍କ ମୁହଁ ଚିହ୍ନଟ ହେଲେ ଏହା ଆଲର୍ଟ ପଠାଇବ । ଏହି ଡିଭାଇସରେ AI-ଆଧାରିତ ସୁରକ୍ଷା ଫିଚର୍ ଦିଆଯାଇଛି । ଏଥିସହିତ Messages, Calendar ଭଳି ଜରୁରୀ ଆପଗୁଡ଼ିକ ମଧ୍ୟ ରହିଛି, ଯାହା ବ୍ୟବହାରକାରୀଙ୍କୁ ଦୈନନ୍ଦିନ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେବ । ଏଥିରେ A18 ଚିପ୍ ବ୍ୟବହାର କରାଯାଇଛି ଏବଂ ଏହା ନୂଆ iOS 27 ଅପରେଟିଂ ସିଷ୍ଟମରେ କାମ କରିବ । ଏହା ସହିତ କମ୍ପାନୀ ଏକ ୱାଲ୍ ମାଉଣ୍ଟ୍ ମଧ୍ୟ ଦେଉଛି, ଯାହା ସାହାଯ୍ୟରେ ଏହି ଡିସପ୍ଲେ ଘରର କାନ୍ଥରେ ଲଗାଯାଇପାରିବ । Apple HomeViewର ମୂଲ୍ୟ ୩୯,୯୦୦ ଟଙ୍କା ରହିଛି । ଏହା Silver, Starlight, Rose Pink ଓ Space Gray ଭଳି ଚାରୋଟି କଲରରେ ଉପଲବ୍ଧ ହେବ । ଏହାର ବିକ୍ରି ଆସନ୍ତା ମାସ ନଭେମ୍ବର ୧୩ ତାରିଖରୁ Apple Storeରେ ଆରମ୍ଭ ହେବ ।