ରାଜ୍ୟ

Durga Puja: ରାଜଧାନୀରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର, କେଉଁଠି ଭାଟିକାନ୍ ସିଟି ତ ଆଉ କେଉଁଠି ଦୁବାଇର ଝଲକ

ଚାରିଆଡ଼େ ପାର୍ବଣର ଉତ୍ସାହ । ମା’ଙ୍କ ଆଗମନକୁ ନେଇ ଉତ୍ସବମୁଖର ହେବାକୁ ଯାଉଛି ସାରା ରାଜଧାନୀ । ମା’ଙ୍କ ଦର୍ଶନ ସହ ବିଶାଳ ତୋରଣର ଝଲକ ଦେଖିବା ପାଇଁ ଏବେଠାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଢ଼ିଲାଣି ଉତ୍କଣ୍ଠା । ତା ଭିତରୁ ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ପୂଜାମଣ୍ଡପ ହେଉଛି ରସୁଲଗଡ଼ ପୂଜାମଣ୍ଡପ ।

ରସୁଲଗଡ଼ : ଚଳିତବର୍ଷ ଏହି ପୂଜା ୩୪ ବର୍ଷରେ ପଦାର୍ପଣ କରିଛି । ଏଥର ରସୁଲଗଡ଼ରେ ବିଶ୍ୱପ୍ରସିଦ୍ଧ ‘ଭାଟିକାନ୍ ସିଟି’ର ସ୍ଥାପତ୍ୟ ଶୈଳୀ ଆଧାରରେ ନିର୍ମାଣ ହେଉଛି ଏକ ବିଶାଳକାୟ ତୋରଣ । ୮୦ ଫୁଟ୍ ଉଚ୍ଚତା ଓ ୧୪୦ ଫୁଟ୍ ଓସାର ବିଶିଷ୍ଟ ଏହି ତୋରଣରେ ରହିଛି ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟ । ଏହା ସହିତ ଆକର୍ଷଣୀୟ ଆଲୋକସଜ୍ଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ ।

ସହିଦ ନଗର: ଏପଟେ ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଦେଖିବାକୁ ମିଳିବ ଖାଣ୍ଟି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ । ମା’ଙ୍କ ସୁନା ମୁକୁଟ ଓ ଚାନ୍ଦି ମେଢ଼ ସାଙ୍ଗକୁ ୮୦ ଫୁଟ୍ ଉଚ୍ଚ ଏବଂ ୧୨୦ ଫୁଟ୍ ଚଉଡ଼ାର ବିଶାଳ ତୋରଣ ହେବ ଏଥରର ପ୍ରମୁଖ ଆକର୍ଷଣ । ସ୍ଥାନୀୟ କାରିଗରଙ୍କ କଳାକୃତିକୁ ପ୍ରାଥମିକତା ଦେଇ ଏହି ତୋରଣ ନିର୍ମାଣ କରାଯାଉଛି । କେବଳ ଭବ୍ୟ ସାଜସଜ୍ଜା ନୁହେଁ, ପୂଜାର ବିଧିବିଧାନ ଓ ଶୃଙ୍ଖଳାକୁ ମଧ୍ୟ କମିଟି ସର୍ବାଧିକ ଗୁରୁତ୍ୱ ଦେଉଛି। ମା’ଙ୍କ ଷୋଡ଼ଶ ଉପଚାର ପୂଜା ଯେପରି ନିଷ୍ଠାର ସହ ସମ୍ପନ୍ନ ହେବ, ସେଥିପାଇଁ ବରିଷ୍ଠ ସଦସ୍ୟମାନେ ସମ୍ପୂର୍ଣ୍ଣ ତଦାରଖ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସିସିଟିଭି, ମହିଳା ଓ ପୁରୁଷ ସୁରକ୍ଷାକର୍ମୀ, ସ୍ୱେଚ୍ଛାସେବୀଙ୍କ ସହ ଏନ୍ ସିସି ଏବଂ ସ୍କାଉଟ୍ ଟିମ୍ ନିୟୋଜିତ ରହିବେ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ଯେପରି ସହଜରେ ଦର୍ଶନ କରିପାରିବେ, ସେଥିପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ନୟାପଲ୍ଲୀ: ପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଚାଲିଥିବା ବେଳେ ମଣ୍ଡପରେ ଏବେ ପ୍ରସ୍ତୁତି ଚରମ ସୀମାରେ । ଚଳିତବର୍ଷ ନୟାପଲ୍ଲୀ ପୂଜାମଣ୍ଡପରେ ଦେଖିବାକୁ ମିଳିବ ଆଦିବାସୀ କଳା ଓ ସଂସ୍କୃତିର ଏକ ନିଆରା ସମନ୍ୱୟ। ଏଠାରେ ମା’ଙ୍କ ପ୍ରାୟ ୨୫ କିଲୋଗ୍ରାମ ଓଜନର ରୁପା ମୁକୁଟ ଓ ବିଭିନ୍ନ ଅଳଙ୍କାର ଶ୍ରଦ୍ଧାଳୁଙ୍କ ମୁଖ୍ୟ ଆକର୍ଷଣ ସାଜିବ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୬ ଫୁଟ୍ ଥିବାବେଳେ ମେଢ଼ର ଉଚ୍ଚତା ରହିଛି ପ୍ରାୟ ୨୩ ଫୁଟ୍। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆୟୋଜକ ଏହି ପ୍ରୟାସ କରିଛନ୍ତି ।

ବମିଖାଲ: ସେହିପରି ବମିଖାଲ ପୂଜାମଣ୍ଡପରେ ଏଥର ଝଲସିବ ବିଶ୍ୱପ୍ରସିଦ୍ଧ ‘ଦୁବାଇ ସିଟି’ର ଭବ୍ୟ ରୂପ । ଆଧୁନିକ ସ୍ଥାପତ୍ୟ ଶୈଳୀକୁ ଆଧାର କରି ନିର୍ମାଣ ହେଉଛି ମା’ଙ୍କ ବିଶାଳ ତୋରଣ । ଆଧୁନିକ କାରୁକାର୍ଯ୍ୟ ସହ ଆଧ୍ୟାତ୍ମିକତାର ଏହି ଅପୂର୍ବ ସଙ୍ଗମ ପୂଜାମଣ୍ଡପର ଆକର୍ଷଣକୁ ଦ୍ୱିଗୁଣିତ କରିବ । କାରିଗରଙ୍କ ନିଖୁଣ କାରିଗରୀରେ ଧୀରେ ଧୀରେ ପୂର୍ଣ୍ଣାଙ୍ଗ ରୂପ ନେଉଛି ତୋରଣ । ମା’ଙ୍କ ଦର୍ଶନ ସହ ଏହି ଅତ୍ୟାଧୁନିକ ସାଜସଜ୍ଜା ଦେଖିବା ପାଇଁ ଭକ୍ତଙ୍କ ମନରେ ଏବେଠାରୁ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।

କାରିଗରଙ୍କ ହାତର ଯାଦୁକରୀ ସ୍ପର୍ଶରେ ଏବେ ରୂପ ନେଉଛି ଗୋଟିଏ ପରେ ଗୋଟିଏ ସ୍ୱପ୍ନ। ଆଉ ସେହି ଅପୂର୍ବ ଦୃଶ୍ୟକୁ ନିଜ ଆଖିରେ ସାଉଁଟି ନେବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ରାଜଧାନୀବାସୀ । କେଉଁଠି ବିଦେଶୀ ସ୍ଥାପତ୍ୟର ଝଲକ, ତ ଆଉ କେଉଁଠି ଉତ୍କଳୀୟ ପରମ୍ପରା ଓ ଜନଜାତି କଳାର ପରିଚୟ । ଭିନ୍ନ ଭିନ୍ନ ଥିମ୍, ଆକାଶଛୁଆଁ ତୋରଣ ଓ ଆଖିଝଲସା ଆଲୋକମାଳାରେ ପୁଣିଥରେ ଝଲସି ଉଠିବ ରାଜଧାନୀ ଭୁବନେଶ୍ୱର । ବାସ୍, ଏବେ ଆଉ କିଛି ଦିନର ଅପେକ୍ଷା, ଧରାପୃଷ୍ଠରେ ବିଜେ କରିବେ ଜଗତଜନନୀ ମା’ ଦୁର୍ଗା ।

Leave a Reply

Your email address will not be published. Required fields are marked *

Back to top button