ଦେଶ ବିଦେଶ

Sudan Gold Mine Airstrike: ସୁଦାନ-ଇଜିପ୍ଟ ସୀମାରେ ମୃତ୍ୟୁର ତାଣ୍ଡବ, ଚାଲିଗଲା ୭୨ ଜୀବନ

ସୁଦାନ-ଇଜିପ୍ଟ ସୀମାରେ ଭୟଙ୍କର ହାୱାଇ ଆକ୍ରମଣ ହୋଇଛି । ସୁନା ଖଣି ଉପରେ ହୋଇଥିବା ଏହି ଆକ୍ରମଣରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ମାନବାଧିକାର ସଂଗଠନ ‘ଏମର୍ଜେନ୍ସି ଲୟର୍ସ’ ଦାବି କରିଛି । ଏହି ଆକ୍ରମଣ ପାଇଁ ଇଜିପ୍ଟର ବାୟୁସେନାକୁ ଦାୟୀ କରିଛି ସଂଗଠନ । ତେବେ ଏନେଇ ଇଜିପ୍ଟ ସରକାରଙ୍କ ପକ୍ଷରୁ କୌଣସି ଆଧିକାରିକ ବୟାନ ଆସିନାହିଁ ।

ସୂଚନାନୁଯାୟୀ, ସୁନା ଖଣି ଉପରେ ଆକାଶମାର୍ଗରୁ କରାଯାଇଥିଲା ଆକ୍ରମଣ । ସୁଦାନ ଏବଂ ଇଜିପ୍ଟ ସୀମା ନିକଟରେ ଥିବା ‘ଜବଲ୍ ଅଲ୍-ଉକାୟଦାତ୍’ ସୁନା ଖଣି ଉପରେ ଏହି ଭୟଙ୍କର ହାୱାଇ ଆକ୍ରମଣ ହୋଇଥିଲା । ଯେଉଁଥିରେ ୭୨ ଜଣ ଖଣି ଶ୍ରମିକଙ୍କ ଜୀବନ ଚାଲିଯାଇଛି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିବାର ଆଶଙ୍କା ରହିଛି । ଏଥିସହ ଘଟଣାସ୍ଥଳରେ ମୃତାହତଙ୍କ ସଠିକ୍ ସଂଖ୍ୟା ଜାଣିବା ସହ ତଥ୍ୟ ସଂଗ୍ରହ କରିବା କାର୍ଯ୍ୟ ଜାରି ରହିଛି। ଚଳିତ ବର୍ଷ ଏହି ସୁନା ଖଣି ଉପରେ ଏହା ଦ୍ୱିତୀୟ ଆକ୍ରମଣ । ଏହା ପୂର୍ବରୁ ଜୁନ୍ ମାସରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ମଧ୍ୟ ଇଜିପ୍ଟର ସେନା ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନଥିଲା । କିନ୍ତୁ ସେତେବେଳେ ଇଜିପ୍ଟ କହିଥିଲା ଯେ, “ଦେଶର ସୀମା ଭିତରେ ଅବୈଧ ସୁନା ଖୋଳିବା ବିରୋଧରେ ବଡ଼ ଧରଣର ଅଭିଯାନ କରାଯାଇଛି ।”

ଅନ୍ୟପଟେ, ଆକ୍ରମଣରୁ ବଞ୍ଚିଯାଇଥିବା ଦୁଇ ଜଣ ଶ୍ରମିକ ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି । ଶ୍ରମିକ ଅବଦେଲଅଜିଜ୍ ୟୁସୁଫ୍‌ଙ୍କ କହିବା ଅନୁସାରେ, ଶନିବାର ସକାଳ ପ୍ରାୟ ୮ଟା ସମୟରେ ଆକାଶରେ ଏକ ଯୁଦ୍ଧବିମାନ ଦେଖାଯାଇଥିଲା । ଏହା ପାଞ୍ଚ ଥର ଆକ୍ରମଣ କରିଥିଲା । ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିଲାବେଳେ ଭୟରେ ଆଉ କିଛି ଶ୍ରମିକମାନେ ପାହାଡ଼ ଉପରକୁ ଦୌଡ଼ି ପଳାଇଥିଲେ । ସେହିପରି ଅନ୍ୟଜଣେ ଶ୍ରମିକ ମଧ୍ୟ ତାଙ୍କ ଅନୁଭୂତିକୁ ପ୍ରକାଶ କରିଥିଲେ । ତେବେ ଏହି ଅଭିଯୋଗ ଉପରେ ଇଜିପ୍ଟ ସରକାରଙ୍କ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ । ଏବେ ସମସ୍ତଙ୍କ ନଜର ମୃତାହତଙ୍କ ପ୍ରକୃତ ସଂଖ୍ୟା ଏବଂ ଏହି ଆକ୍ରମଣର ତଦନ୍ତ ଉପରେ ରହିଛି ।

Leave a Reply

Your email address will not be published. Required fields are marked *

Back to top button