ଦେଶ ବିଦେଶ

Amritsar Airport Drone Activity : ଅମୃତସର ବିମାନବନ୍ଦର ନିକଟରେ ସନ୍ଦିଗ୍ଧ ଡ୍ରୋନ୍ ଗତିବିଧି, ୩ଟି ବିମାନ ଡାଇଭର୍ଟ

ପଞ୍ଜାବର ଅମୃତସର ସ୍ଥିତ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରବିବାର ବିଳମ୍ବିତ ରାତିରେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଛି । ଏହା ପରେ ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ରନୱେରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା । ଅମୃତସରକୁ ଆସୁଥିବା ତିନୋଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ଏହି ଘଟଣାକୁ ନେଇ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୂଚନା ମୁତାବକ, ରବିବାର ରାତି ପ୍ରାୟ ୯ଟା ସମୟରେ ଏକ ଗାଁରେ ଡ୍ରୋନ୍ ଉଡ଼ୁଥିବା ଖବର ମିଳିଥିଲା । ପରେ ବିମାନବନ୍ଦର ପରିସର ଏବଂ ଏହାର ଆଖପାଖ ଆକାଶରେ ୨ରୁ ୩ଟି ସନ୍ଦିଗ୍ଧ ଡ୍ରୋନ୍ ଭଳି ବସ୍ତୁ ଉଡ଼ୁଥିବା ଦେଖାଯାଇଥିଲା । ସନ୍ଦିଗ୍ଧ ଡ୍ରୋନ୍ ଗତିବିଧି ଦେଖାଯିବା ପରେ ଅମୃତସରକୁ ଆସୁଥିବା ତିନୋଟି ବିମାନର ରୁଟ୍ ପରିବର୍ତ୍ତନ କରାଯାଇଥିଲା ।

ଦିଲ୍ଲୀରୁ ଅମୃତସର ଆସୁଥିବା AI-855 ବିମାନକୁ ପୁଣି ଦିଲ୍ଲୀ ଫେରାଇ ଦିଆଯାଇଥିଲା । ମୁମ୍ବାଇରୁ ଅମୃତସର ଆସୁଥିବା ଇଣ୍ଡିଗୋ 6E-5028 ବିମାନକୁ ଚଣ୍ଡୀଗଡ଼ ଡାଇଭର୍ଟ କରାଯାଇଥିଲା । ମାଲେସିଆ ଏୟାରଲାଇନ୍ସର କୁଆଲାଲମ୍ପୁରରୁ ଅମୃତସର ଆସୁଥିବା MH-118 ବିମାନକୁ ଦିଲ୍ଲୀ ଡାଇଭର୍ଟ କରାଯାଇଥିଲା ।

ରବିବାର ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ବିମାନବନ୍ଦରରେ ମୁତୟନ ଥିବା CISF ଯବାନମାନେ ବିମାନବନ୍ଦର ପରିସର ଏବଂ ବାହାର ଆକାଶରେ ୨ରୁ ୩ଟି ସନ୍ଦିଗ୍ଧ ବସ୍ତୁ ଉଡ଼ୁଥିବା ଦେଖିଥିଲେ । ଏହା ପରେ ତୁରନ୍ତ କଣ୍ଟ୍ରୋଲ୍ ରୁମ୍କୁ ସୂଚନା ଦିଆଯାଇଥିଲା । ସ୍ଥିତିର ସମୀକ୍ଷା ଏବଂ ସୁରକ୍ଷା ଯାଞ୍ଚ ପରେ ରାତି ପ୍ରାୟ ୧୦ଟା ୧୫ ମିନିଟ୍ରେ ବିମାନ ସେବା ପୁଣି ସ୍ୱାଭାବିକ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ମଧ୍ୟ ଅମୃତସରର ଏହି ବିମାନବନ୍ଦର ନିକଟରେ ସନ୍ଦିଗ୍ଧ ଡ୍ରୋନ୍ ଦେଖାଯାଇଥିଲା । ରନୱେ ନିକଟରେ ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଅମୃତସରକୁ ଆସୁଥିବା ୭ଟି ବିମାନକୁ ଦିଲ୍ଲୀ ଏବଂ ଚଣ୍ଡୀଗଡ଼କୁ ଡାଇଭର୍ଟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Back to top button