
Cyclonic Circulation: ମଲ୍ଲାକା ସମୁଦ୍ରରେ ଘୂର୍ଣ୍ଣିବଳୟ, ନେବ କି ବାତ୍ୟାର ରୂପ ?
ମଲ୍ଲାକା ସମୁଦ୍ରରେ ଘୂର୍ଣ୍ଣିବଳୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ନେବ କି ବାତ୍ୟାର ରୂପ ? ମନରେ ପଶିଲାଣି ଅକ୍ଙୋବର ଛନକା । ଦକ୍ଷିଣ-ପୂର୍ବ ଏସିଆରୁ ଆଣ୍ଡାମାନ ସାଗର ଆଡ଼କୁ ଅଗ୍ରସର ହେଉଛି ଏକ ଘୂର୍ଣ୍ଣିବଳୟ। ଥାଇଲ୍ୟାଣ୍ଡ ଉପସାଗର ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ମାଲାକ୍କା ସମୁଦ୍ର ସନ୍ଧି ଅଞ୍ଚଳକୁ ଅଗ୍ରସର ହୋଇଛି । ଏହି ଘୂର୍ଣ୍ଣିବଳୟ ଆଜି ଆଣ୍ଡାମାନ ସାଗର ଅଞ୍ଚଳରେ ପହଞ୍ଚିପାରେ । ଅନୁକୂଳ ପରିସ୍ଥିତି ରହିଲେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
ବିଭିନ୍ନ ପାଣିପାଗ ମଡେଲ୍ ସମ୍ଭାବ୍ୟ ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ମୁଖ୍ୟତଃ ଲଘୁଚାପ କେବେ ସୃଷ୍ଟି ହେବ, କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ସେସବୁ ଉପରେ ମଡେଲ୍ ଗୁଡ଼ିକ ଏକମତ ନୁହନ୍ତି। ECMWF ବା ୟୁରୋପୀୟ ମଡେଲ୍ ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ । କିନ୍ତୁ ଏହା ଏକ ସପ୍ତାହ ପୂର୍ବର ପୁରୁଣା ଅକଳନ । ଆମେରିକାର ନେସନାଲ ସେଣ୍ଟର୍ସ ଫର୍ ଏନଭାରନମେଣ୍ଟାଲ ପ୍ରେଡିକ୍ସନ – NCEP ମଡେଲ୍ ଅବପାତ ସୃଷ୍ଟି ହେବାର ସଙ୍କେତ ଦେଇଛି ।
ଅନ୍ୟ ପାଣିପାଗ ମଡେଲ୍ ଗୁଡ଼ିକ ମଧ୍ୟରେ ଘୂର୍ଣ୍ଣିବଳୟର ଅବସ୍ଥିତି, ଲଘୁଚାପ ସୃଷ୍ଟି ହେବାର ସମୟ ଓ ସ୍ଥାନକୁ ନେଇ ମତଭେଦ ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୧୩ ଅକ୍ଟୋବର ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ଅବପାତ କିମ୍ବା ବାତ୍ୟାରେ ପରିଣତ ହେବ ବୋଲି ନିଶ୍ଚିତ କରାଯାଇନାହିଁ । ବର୍ତ୍ତମାନର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ । ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ତେବେ ଏହାର ଚୂଡ଼ାନ୍ତ ଗତିପଥ ଓ ତୀବ୍ରତା ସ୍ପଷ୍ଟ ହୋଇନାହିଁ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ ଅଞ୍ଚଳରେ, ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷାର ପରିମାଣ ବଢ଼ିପାରେ ।