
Biju Chhatra Janata Dal: ବିଜୁ ଛାତ୍ର ଜନତା ଦଳ ସଭାପତି ହରେକୃଷ୍ଣ ପ୍ରଧାନଙ୍କୁ ଛାଡିଲା ବାଲେଶ୍ଵର ଟାଉନ ଥାନା ପୋଲିସ
ହୋ ହଲ୍ଲା ପରେ ଅଟକଙ୍କୁ ଛାଡିଲା ପୋଲିସ । ବିଜୁ ଛାତ୍ର ଜନତା ଦଳ ସଭାପତି ହରେକୃଷ୍ଣ ପ୍ରଧାନଙ୍କୁ ବାଲେଶ୍ଵର ଟାଉନ ଥାନା ପୋଲିସ ଛାଡିଦେଇଛି । ସନ୍ଧ୍ୟାରେ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ କ୍ୟାମ୍ପେନିଂ ବେଳେ ଯୁବନେତା ହରେକୃଷ୍ଣ ପ୍ରଧାନଙ୍କୁ ବଳପୂର୍ବକ ଟାଉନ ଥାନା ପୋଲିସ ଉଠାଇ ଆଣିଥିଲା । ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା ।
ବାଲେଶ୍ଵର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପୋଲିସ ପ୍ରଶାସନର ଏକତରଫା କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହା ପ୍ରତିବାଦରେ ଥନା ଭିତରେ ଧାରଣାରେ ବସିଥିଲେ ବିଜୁ ଯୁବ ଓ ଛାତ୍ର ସଂଗଠନର ସଦସ୍ୟ । ଶେଷରେ ଆପୋଷ ଆଲୋଚନା ପରେ ବିଜୁ ଛାତ୍ର ଜନତା ଦଳର ସଭାପତି ହରେକୃଷ୍ଣ ପ୍ରଧାନଙ୍କୁ ପୋଲିସ ଛାଡିଥିଲା ।
ଏପଟେ ପଟ୍ଟାମୁଣ୍ଡାଇ ୟୁ କେ ମହାବୀର କଲେଜରେ ନିର୍ବାଚନ ବାତିଲ । ସାଇନ୍ ଡାଏ ଘୋଷଣା । ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ଘୋଷଣା କଲେ ସାଇନ୍ ଡାଏ । ଗତକାଲି ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା ।
ବିଜୁ ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ବିବାଦ ଦେଖାଦେଇଥିଲା । ବିସିଜେଡି ସମର୍ଥୀତ ଛାତ୍ରଛାତ୍ରୀ ମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ ଏହାପରେ ଦୀପଙ୍କର ଅସୁସ୍ଥ ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲ ରେ ଚିକିତ୍ସା ହେଉଥିବା ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ପରେ ରାଜନଗର ବିଧାୟକ ଧୃବ ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଦୀପଙ୍କର ଙ୍କ ସୁରକ୍ଷା ଦାବିକରି ସମର୍ଥକ ମାନଙ୍କ ସହିତ ଧାରଣାରେ ବସିଥିଲେ । ଫଳରେ ଛାତ୍ର ଅଶାନ୍ତି କୁ ନଜରରେ ରଖି କଲେଜ ଅଧ୍ୟକ୍ଷ ନିର୍ବାଚନ ବାତିଲ ସହିତ କଲେଜ କୁ ସାଇନ୍ ଡାଏ ଘୋଷଣା କରିଛନ୍ତି ।