ରାଜ୍ୟ

Emotional Tribute: ରାୟଗଡ଼ାରେ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ୨ ମାସ ପରେ ଗଢ଼ିଥାନ୍ତେ ସଂସାର, ଅଙ୍ଗଦାନ କରି ହେଲେ ଅମର

କର୍ତ୍ତବ୍ୟ ପଥରେ ସର୍ବୋଚ୍ଚ ବଳିଦାନ। ନିମିଷକରେ ସବୁ ଛଡ଼ାଇ ନେଲା ନିୟତି । ରାୟଗଡ଼ାରେ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ନାଗାଲାଣ୍ଡରେ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ସ୍ୱତନ୍ତ୍ର ହେଲିକପ୍ଟର ଓ ବିମାନ ଯୋଗେ ହାଇଦ୍ରାବାଦ ଦେଇ ବିଶାଖାପାଟଣା ଏବଂ ସେଠାରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ରାୟଗଡ଼ା ଅଣାଯାଇଥିଲା । ସହର ଠାରୁ ପ୍ରାୟ ୧୦ କିଲୋମିଟର ପୂର୍ବରୁ ହଜାର ହଜାର ଯୁବକ ଏକତ୍ରିତ ହୋଇ ଏକ ବିଶାଳ ବାଇକ୍ ରାଲି ମାଧ୍ୟମରେ ମରଶରୀରକୁ ପାଛୋଟି ଆଣିଥିଲେ ।

ସହିଦ ଭି. ତେଜା ଅମର ରହେ” ଏବଂ ଭାରତ ମାତା କି ଜୟ ଧ୍ୱନିରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଲୁହରେ ଭିଜିଥିଲା ଜନ୍ମମାଟି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଏସପି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲା । ରାୟଗଡ଼ାର ବାସିନ୍ଦା ଭି. ତେଜା ୨୦୨୨ ମସିହାରେ ସେନା ବାହିନୀରେ ଯୋଗ ଦେଇଥିଲେ ଏବଂ ଆସାମ ରାଇଫଲ୍ସରେ ନିୟୋଜିତ ଥିଲେ । ସୋମବାର ନାଗାଲାଣ୍ଡରେ ନିଜ ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ସେ ହଠାତ୍ ଗୁଳି ବିଦ୍ଧ ହୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ​

ସବୁଠାରୁ ହୃଦୟବିଦାରକ କଥା ହେଉଛି, ଆଜି ଅକ୍ଟୋବର ୭ ତାରିଖରେ ତେଜା ୩୧ ବର୍ଷରେ ପାଦ ଦେଇଥାନ୍ତେ । କେବଳ ସେତିକି ନୁହେଁ, ଆସନ୍ତା ଡିସେମ୍ବର ୧୦ ତାରିଖରେ ତାଙ୍କର ବିବାହ ହେବା ପାଇଁ ସ୍ଥିର ହୋଇଥିଲା। ବିବାହ ପାଇଁ ତାଙ୍କୁ ୫୦ ଦିନର ଛୁଟି ମଧ୍ୟ ମଞ୍ଜୁର ହୋଇସାରିଥିଲା ଏବଂ ଦୀପାବଳି ଅବସରରେ ସେ ଘରକୁ ଫେରିବାର ଥିଲା ।

ଘରେ ବିବାହର ପ୍ରସ୍ତୁତି ଚାଲିଥିବା ବେଳେ ଶାହାନାଇ ବାଜିବା ପୂର୍ବରୁ ବୀର ଯବାନଙ୍କ ମରଶରୀର ଘରେ ପହଞ୍ଚିବା ଘଟଣା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି । ​ଜୀବିତ ଥିବା ସମୟରେ ଦେଶର ସୁରକ୍ଷା ପାଇଁ ଲଢ଼ିବା ସହ ମୃତ୍ୟୁ ପରେ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ତେଜା । ତାଙ୍କ ସାନଭାଇଙ୍କ କହିବା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ପୂର୍ବେ ସେ ମରଣୋତ୍ତର ଅଙ୍ଗଦାନ ପାଇଁ ସଂକଳ୍ପ ପତ୍ରରେ ସ୍ୱାକ୍ଷର କରିଥିଲେ। ତାଙ୍କର ଏହି ମହତ ଇଚ୍ଛାକୁ ସମ୍ମାନ ଜଣାଇ ନାଗାଲାଣ୍ଡର ସ୍ଥାନୀୟ ଡାକ୍ତରଖାନାରେ ତାଙ୍କ ଅଙ୍ଗଗୁଡ଼ିକୁ ସୁରକ୍ଷିତ ଭାବେ କାଢ଼ି ସଂରକ୍ଷଣ କରାଯାଇଛି, ଯାହା ଅନ୍ୟ ରୋଗୀଙ୍କୁ ନୂତନ ଜୀବନଦାନ ଦେବ ।

Leave a Reply

Your email address will not be published. Required fields are marked *

Back to top button