ରାଜ୍ୟ

SC-ST Protection: ବଢିଚାଲିଛି ମାମଲା, ରାଜ୍ୟରେ ଖୋଲିବ ୨୧ ଏସ୍‌ସି-ଏସ୍‌ଟି ସୁରକ୍ଷା ଥାନା

ରାଜ୍ୟରେ ୨୧ଟି ଅନୁସୂଚିତ ଜାତି/ଜନଜାତି ସୁରକ୍ଷା ଥାନା ପ୍ରତିଷ୍ଠା ହେବାକୁ ଯାଉଛି । ଏ ସଂକ୍ରାନ୍ତ ଦସ୍ତାବିଜ ଗୃହ ବିଭାଗକୁ ପଠାଯାଇଛି । କାହିଁକିନ ରାଜ୍ୟରେ ଗତ ୪ ବର୍ଷ ଭିତରେ ପ୍ରାୟ ୧୧ ହଜାର ୯୯୬ଟି ଅନୁସୂଚିତ ଜାତି ଓ ଜନଜାତି ସଂକ୍ରାନ୍ତ ମାମଲା ରୁଜୁ ହୋଇଛି । ଏହି ଆପରାଧିକ ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବାକୁ ରାଜ୍ୟ ପୋଲିସର ମାନବାଧିକାର ସେଲ୍‌ ଏହି ବଡ଼ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ଏଚ୍‌ଆର୍‌ପିସି ଏସ୍‌ସି-ଏସ୍‌ଟି ସଂକ୍ରାନ୍ତ ମାମଲାର ନୋଡାଲ୍‌ ମେକାନିଜିମ୍‌ ଭାବେ କାମ କରୁଛି । ଏଚ୍‌ଆର୍‌ପିସିରେ ସ୍ୱତନ୍ତ୍ର ପୋଲିସ ଷ୍ଟେସନ୍‌ ଏସ୍‌ସି-ଏସ୍‌ଟି ଏବଂ ମାନବାଧିକାର ସଂକ୍ରାନ୍ତ ମାମଲାର ତଦନ୍ତ ପାଇଁ ୨୦୧୬ରେ ଗଠନ କରାଯାଇଥିଲା । ମାମଲା ବଢ଼ିବାରୁ ରାଜ୍ୟରେ ୨୧ଟି ଅନୁସୂଚିତ ଜାତି ସୁରକ୍ଷା ଥାନା ଗଠନ ପାଇଁ ନିଷ୍ପତ୍ତି ହୋଇଛି । ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକ ରାଜ୍ୟରେ ଏଭଳି ସ୍ୱତନ୍ତ୍ର ଥାନା ଖୋଲାଯାଇଛି । ସେହି ଢାଞ୍ଚାରେ ଭୁବନେଶ୍ୱର ସହିତ ଯାଜପୁର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗୀର, ଭଦ୍ରକ, ଜଗତସିଂହପୁର, ଗଞ୍ଜାମ, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, ଭୁବନେଶ୍ୱର କମିସନରେଟ୍‌, ବରଗଡ଼, କେନ୍ଦୁଝର, କଳାହାଣ୍ଡି, ବାଲେଶ୍ୱର, କଟକ କମିସନରେଟ୍‌, ଅନୁଗୋଳ, ସମ୍ବଲପୁର, ବ୍ରହ୍ମପୁର, ସୁନ୍ଦରଗଡ଼ରେ ଖୋଲିବ ।

ଅନ୍ୟପଟେ ଏହି ବର୍ଗ ଉପରେ ଘଟୁଥିବା ହିଂସା ମାମଲାର ତଦନ୍ତ କ୍ଷମତା ପୂର୍ବରୁ କେବଳ ଡିଏସ୍‌ପିଙ୍କ ହାତରେ ଥିବାବେଳେ ଏବେ ଏହି ମାମଲାର ତଦନ୍ତ ଇନ୍‌ସ୍‌ପେକ୍ଟର ଓ ଏସ୍‌ଆଇମାନେ ବି କରିପାରିବେ । ମାମଲାର ଗୁରୁତ୍ୱକୁ ଦେଖି ଏହାକୁ ଡିଏସ୍‌ପି, ଇନ୍‌ସ୍‌ପେକ୍ଟର କିମ୍ବା ଏସ୍‌ଆଇଙ୍କୁ ଏସ୍‌ପି ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ମାମଲାର ତଦନ୍ତ ସହିତ ଇନ୍‌ସ୍‌ପେକ୍ଟର ଓ ଏସ୍‌ଆଇମାନେ ଗିରଫଦାରୀ ମଧ୍ୟ କରିପାରିବେ ।

ଖବର ମୁତାବକ, ଏସ୍‌ସି ଓ ଏସ୍‌ଟି ମାମଲାର ଶୁଣାଣି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୧୨ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ନିଷ୍ପତ୍ତି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି କୋର୍ଟ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିସାରିଛି । ଏହି କୋର୍ଟଗୁଡ଼ିକ ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ସୂଚନା ମୁତାବକ, ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋର୍ଟରେ ଏସ୍‌ସି ଓ ଏସ୍‌ଟି ସଂକ୍ରାନ୍ତ ୧୯ ହଜାର ମାମଲା ପଡ଼ି ରହିଛି  । କଟକ, ବାଲେଶ୍ୱର ଓ ବଲାଙ୍ଗୀରରେ ସ୍ୱତନ୍ତ୍ର କୋର୍ଟ ଏବେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *

Back to top button