ରାଜ୍ୟ

Clash: ବିସର୍ଜନ ନହୋଇ ପାଖାପାଖି ୩୦ ଘଣ୍ଟା ଧରି ଗାଁ ଦାଣ୍ଡରେ ଅଟକି ରହିଛି ବିଘ୍ନରାଜ ଗଣେଶଙ୍କ ମୂର୍ତ୍ତି, ଜଗିଛି ପୋଲିସ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗଣ୍ଡଗୋଳ । ରାସ୍ତା ମଝିରେ ଠାକୁରଙ୍କୁ ଛାଡ଼ି ପଳାଇଲେ କ୍ଲବ ପିଲା । ବିସର୍ଜନ ନ ହୋଇ ପାଖାପାଖି ୩୦ ଘଣ୍ଟା ଧରି ଗାଁ ଦାଣ୍ଡରେ ଅଟକି ରହିଛି ବିଘ୍ନରାଜ ଗଣେଶ ମୂର୍ତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଲକ୍ ଥାନା ଅନ୍ତର୍ଗତ ନିମିଢି ଗାଁରେ ।

ସୂଚନା ମୁତାବକ ନିମିଢ଼ି ଗାଁର ନିତାଇ ଗୌର ୟୁଥ କ୍ଲବ ପକ୍ଷରୁ ଦୀର୍ଘ ୩୦ ବର୍ଷ ଧରି ପୂଜା କରୁଛନ୍ତି । ଚଳିତ ବର୍ଷ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଗତକାଲି ଥିଲା ଗଣେଶଙ୍କ ବିସର୍ଜନ । ଦିନ ୩ଟା ଠାରୁ ଆରମ୍ଭ ହୋଇଥିବା ବିସର୍ଜନ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ଲାଇଟ ସାଙ୍ଗକୁ ବାଦ୍ୟର ତାଳେତାଳେ କ୍ଲବର ପିଲାମାନେ ନୃତ୍ୟ କରୁଥିଲେ ।

ଗଣେଶଙ୍କୁ ବିସର୍ଜନ ଚାଲିଥିବା ବେଳେ ସେହି ଗାଁର କିଛି ଯୁବକ ହଠାତ ପହଁଚି ନିତାଇ ଗୌର କ୍ଲବର ପିଲାମାନଙ୍କୁ ଗାଳିଗୁଲଜ କରିବା ସହିତ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରୁ କ୍ଲବର ପିଲାମାନେ ଦଉଡ଼ି ପଳାଇଥିଲେ । ଯାହାଫଳରେ ଗଣେଶ ରାସ୍ତା ମଝିରେ ଅଟକି ରହିଥିଲେ । ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଁଚି ଅଟକି ରହିଥିବା ଗଣେଶଙ୍କୁ ଜଗି ରହିଥିବା ବେଳେ ନିମିଢ଼ି ର୍ଗାରେ ଚାପା ଉତ୍ତେଜନା ଲାଗି ରହିଛି । ତୁରନ୍ତ କୌଣସି ସମସ୍ୟାର ସମାଧାନ ନହେଲେ ଥାନା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button