
Emotional Reunion: ୩୫ ବର୍ଷ ପରେ ହିମାଚଳରୁ ଘରକୁ ବାହୁଡ଼ିଲେ ନିଖୋଜ ମହିଳା, ତାଙ୍କ ଦେଢ଼ ବର୍ଷର ଶିଶୁ ଆଜି ୩୭ ବର୍ଷର ଯୁବକ
୩୫ ବର୍ଷ ପରେ ଫେରିଲେ ମାଆ । ଦେଢ଼ ବର୍ଷର ଶିଶୁ ଆଜି ୩୭ ବର୍ଷର ଯୁବକ । ହିମାଚଳରୁ ଘରକୁ ବାହୁଡ଼ିଲେ ନିଖୋଜ ମହିଳା । ମା’ ନିଖୋଜ ହୋଇଯିବା ବେଳେ ପୁଅକୁ ମାତ୍ର ଦେଢ଼ ବର୍ଷ । ତା’ପରେ ବିତିଗଲା ୩୫ ବର୍ଷ । ଭିନ୍ନକ୍ଷମ ପୁଅ ଦିନ ପରେ ଦିନ ମା’ଙ୍କ ଫେରିବା ବାଟ ଚାହିଁ ରହିଥିଲେ । ଶେଷରେ ୩୫ ବର୍ଷ ପରେ ମା’ ଫେରିଛନ୍ତି ଘରକୁ ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା କଲୁରିଆ ପଞ୍ଚାୟତ ଅଳପୁଆ ଗାଁର ପ୍ରମିଳା ମଲ୍ଲିକ । ମାନସିକ ଅସୁସ୍ଥତାରେ ପୀଡ଼ିତ ପ୍ରମିଳା ପ୍ରାୟ ୩୫ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ । ତାଙ୍କର କୌଣସି ଖୋଜଖବର ମିଳିନଥିଲା । ପରେ ଓଡ଼ିଶାରେ ଆସିଥିଲା ୧୯୯୯ ର ପ୍ରଳୟଙ୍କରୀ ମହାବାତ୍ୟା । ପରିବାର ଲୋକ ଭାବିଥିଲେ ଏହି ମହାବାତ୍ୟାରେ ବୋଧେ ପ୍ରମିଳା ମରି ହଜି ଗଲେ ।
କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର । ହିମାଚଳ ପ୍ରଦେଶର ଏକ ଆଶ୍ରୟସ୍ଥଳୀରେ ରମକାଲି ନାମରେ ରହୁଥିଲେ ପ୍ରମିଳା । ବାହୁରେ ଥିବା ଟାଟୁ, କିଛି ପୁରୁଣା ସ୍ମୃତି ଓ ମନେ ରହିଯାଇଥିବା କେତେକ ଗାଁର ନାମ ହିଁ ଥିଲା ତାଙ୍କ ଅତୀତର ଏକମାତ୍ର ସୂତ୍ର । ଏହି ସୂତ୍ରକୁ ଧରି ଆରମ୍ଭ ହୋଇଥିଲା ପରିବାରର ସନ୍ଧାନ । ଓଡ଼ିଶା ପୋଲିସର ଅପରେସନ୍ ଅନ୍ୱେଷଣ ଓ ଇଣ୍ଡିଆ କେୟାର୍ସର ଉଦ୍ୟମରେ ଶେଷରେ ମିଳିଥିଲା ପ୍ରମିଳାଙ୍କ ପରିଚୟ । ଓଡ଼ିଶା ପୋଲିସର ଅମିୟ କୁମାର ମଲିକ, ଦିଲ୍ଲୀର ପ୍ରଣୟ ରାଉତ ଓ ହାଇଦ୍ରାବାଦର ରଞ୍ଜନ ମଲିକଙ୍କ ସହଯୋଗରେ ଖୋଜାଯାଇଥିଲା ପ୍ରମିଳାଙ୍କ ପରିବାର ।
କିଛି ଦିନ ପୂର୍ବରୁ ଭିଡିଓ କଲ୍ ରେ ୩୫ ବର୍ଷ ପରେ ପୁଅକୁ ଓ ପରିବାରକୁ ଦେଖିଥିଲେ ପ୍ରମିଳା । ଆଉ ଆଜି ସେହି ମା’ ପହଞ୍ଚିଛନ୍ତି ପୁଅ ପାଖରେ । ଇଣ୍ଡିଆ କେୟାର୍ସ ପକ୍ଷରୁ ଓଡିଶା ପୋଲିସକୁ ଯୋଗାଯୋଗ କରିବା ପରେ ପ୍ରମିଳାଙ୍କୁ ଆଣିବା ପାଇଁ ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଥାନାର ସବଇନିସ୍ପେକ୍ଟର ସଞ୍ଜୟ ସିଂ ଓ ମହିଳା କନେଷ୍ଟବଳ ମମତାରାଣୀ ମଲ୍ଲିକ ପ୍ରମିଳାଙ୍କ ଦିଅର ଭୀମସେନଙ୍କୁ ଧରି ହିମାଚଳ ପ୍ରଦେଶ ଅଭିମୁଖେ ବାହାରି ଥିଲେ । ସେଠାରେ ଆବଶ୍ୟକୀୟ କାଗଜପତ୍ର କରିବା ପରେ ପ୍ରମିଳାଙ୍କୁ ସାଙ୍ଗରେ ଧରି ଫେରିଥିଲେ । ହିମାଚଳ ପ୍ରଦେଶରୁ ଦିଲ୍ଲୀ ଓ ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସରେ କଟକରେ ପହଞ୍ଚିବା ପରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ପରିବାର ଲୋକେ । ଦେଢ଼ ବର୍ଷର ପୁଅ ଆଜି ୩୭ ବର୍ଷର । ମା’ଙ୍କୁ ଖୋଜିବାରେ ବିତିଗଲା ତାଙ୍କ ଜୀବନର ୩୫ ବର୍ଷ ।