କ୍ରୀଡା

India vs Brazil: ସଲ୍ଟଲେକ୍‌ରେ ଚମକିଲେ ସାମୁଏଲ ଲିନୋ, ଭାରତକୁ ୪-୦ରେ ହରାଇଲା ବ୍ରାଜିଲ

ବ୍ରାଜିଲଠାରୁ ୪-୦ରେ ହାରିଲା ଭାରତ । କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନ ବା ସଲ୍ଟଲେକ୍ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ୫ ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲ ଭାରତକୁ ୪-୦ ଗୋଲ୍ ରେ ପରାସ୍ତ କରିଛି । ବିଶ୍ୱ ରାଙ୍କିଙ୍ଗରେ ୫ ନମ୍ବର ବ୍ରାଜିଲ ଏବଂ ୧୩୮ ନମ୍ବର ଭାରତ ମଧ୍ୟରେ ରାଙ୍କିଙ୍ଗ ବ୍ୟବଧାନ ବହୁତ ବଡ଼ ଥିଲା । ତଥାପି ଖାଲି ରକ୍ଷଣାତ୍ମକ ଫୁଟବଲ ଖେଳିବା ପରିବର୍ତ୍ତେ ଖାଲି ସ୍ଥାନ ମିଳିଲେ ବ୍ରାଜିଲ ଗୋଲ୍ ପୋଷ୍ଟ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲା ଭାରତ । ମ୍ୟାଚ୍ ରେ ଭାରତ ୭ଟି ସଟ୍ ନେଇଥିବା ବେଳେ ସେଥିରୁ ୨ଟି ଟାର୍ଗେଟରେ ଥିଲା। ବ୍ରାଜିଲ ୨୧ଟି ସଟ୍ ନେଇଥିଲା । ମ୍ୟାଚ୍ ର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ କିଛି ଭଲ ମୁଭ୍ କରିଥିଲା । ଲାଲେଙ୍ଗମାୱିଆ ରାଲ୍ ତେ ବା ଆପୁଇଆଙ୍କ ଏକ ପ୍ରୟାସ ଅଳ୍ପକେ ଗୋଲ୍ ପୋଷ୍ଟ ବାହାରକୁ ଚାଲିଯାଇଥିଲା ।

ଅନ୍ୟପଟେ ବ୍ରାଜିଲ ଲଗାତାର ଆକ୍ରମଣ କରିଥିଲେ ମଧ୍ୟ ଅଧିନାୟକ ତଥା ଗୋଲକିପର ଗୁରପ୍ରୀତ ସିଂ ସାନ୍ଧୁ କିଛି ଭଲ ସେଭ୍ କରିଥିଲେ । ଶେଷରେ ୨୮ତମ ମିନିଟ୍ ରେ ଭାରତୀୟ ଡିଫେନ୍ସକୁ ଭେଦ କରିଥିଲା ବ୍ରାଜିଲ। ମାଥେଉଜିନ୍ହୋଙ୍କ ପାସ୍ ରୁ ଏଷ୍ଟେଭାଓ ଗୋଲ୍ କରି ବ୍ରାଜିଲକୁ ୧-୦ରେ ଆଗୁଆ କରିଥିଲେ । ୩୬ତମ ମିନିଟରେ ପେଡ୍ରୋଙ୍କ ହେଡର ପୋଷ୍ଟରେ ବାଜି ଫେରିଆସିଥିଲା । କିନ୍ତୁ ୪୨ତମ ମିନିଟ୍ ରେ ସେ ଆଉ ଭୁଲ କରିନଥିଲେ। ଏଷ୍ଟେଭାଓଙ୍କ ପାସ୍ କୁ ଗୋଲ୍ ରେ ପରିଣତ କରି ପେଡ୍ରୋ ବ୍ରାଜିଲକୁ ୨-୦ରେ ଆଗୁଆ କରିଥିଲେ । ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ବ୍ରାଜିଲ ୨-୦ରେ ଆଗରେ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବ୍ରାଜିଲର ଆକ୍ରମଣ ଜାରି ରହିଥିଲା। ବଦଳ ଖେଳାଳି ଭାବେ ମଇଦାନକୁ ଆସିଥିବା ସାମୁଏଲ ଲିନୋ ୫୮ତମ ମିନିଟ୍ ରେ ପେଡ୍ରୋଙ୍କ ପାସ୍ ରୁ ବ୍ରାଜିଲ ପାଇଁ ତୃତୀୟ ଗୋଲ୍ କରିଥିଲେ । ୩-୦ରେ ପଛୁଆ ଥିଲେ ମଧ୍ୟ ଭାରତ ଆକ୍ରମଣ କରିବାର ଉଦ୍ୟମ ଛାଡ଼ିନଥିଲା । ଦ୍ୱିତୀୟାର୍ଦ୍ଧରେ ଭାରତ କିଛି ସୁଯୋଗ ସୃଷ୍ଟି କରିଥିଲା । କିନ୍ତୁ ବ୍ରାଜିଲ ଗୋଲକିପର ପେଡ୍ରୋ ମୋରିସ୍କୋ ଭାରତକୁ ଗୋଲ୍ କରିବାର ସୁଯୋଗ ଦେଇନଥିଲେ ।

ମ୍ୟାଚ୍ ର ଇଞ୍ଜୁରି ଟାଇମ୍ ରେ ପୁଣି ଚମକିଥିଲେ ସାମୁଏଲ ଲିନୋ । ୯୦+୫ ମିନିଟ୍ ରେ ନିଜର ଦ୍ୱିତୀୟ ଏବଂ ବ୍ରାଜିଲର ଚତୁର୍ଥ ଗୋଲ୍ କରି ୪-୦ର ବିଜୟ ନିଶ୍ଚିତ କରିଥିଲେ । ସ୍କୋରଲାଇନ୍ ୪-୦ ହୋଇଥିଲେ ମଧ୍ୟ ବ୍ରାଜିଲର ଆଉ କିଛି ଗୋଲ୍ ସୁଯୋଗକୁ ରୋକିଥିଲେ ଭାରତୀୟ ଅଧିନାୟକ ଗୁରପ୍ରୀତ ସିଂ ସାନ୍ଧୁ । ଭିନିସିଅସ୍ ଜୁନିଅରଙ୍କ ଏକାଧିକ ପ୍ରୟାସକୁ ସେ ରୋକିଥିଲେ । ମ୍ୟାଚ୍ ରେ ବ୍ରାଜିଲର ବଲ୍ ପଜେସନ୍ ପ୍ରାୟ ୬୫ ପ୍ରତିଶତ ଥିବା ବେଳେ ଭାରତ ପାଖରେ ୩୫ ପ୍ରତିଶତ ବଲ୍ ରହିଥିଲା । ଫଳାଫଳ ଭାରତ ସପକ୍ଷରେ ନଥିଲେ ମଧ୍ୟ ଏହି ମ୍ୟାଚ୍ ଭାରତୀୟ ଫୁଟବଲ ପାଇଁ ଐତିହାସିକ ଥିଲା । ସିନିୟର ପୁରୁଷ ଫୁଟବଲରେ ପ୍ରଥମଥର ପାଇଁ ଭାରତ ଓ ବ୍ରାଜିଲ ପରସ୍ପରକୁ ଭେଟିଥିଲେ । FIFA ରାଙ୍କିଂ ଆରମ୍ଭ ହେବା ପରଠାରୁ ଭାରତ ସାମ୍ନା କରିଥିବା ସର୍ବୋଚ୍ଚ ରାଙ୍କିଂର ପ୍ରତିଦ୍ୱନ୍ଦ୍ୱୀ ଥିଲା ବ୍ରାଜିଲ । ପାଞ୍ଚଥରର ବିଶ୍ୱ ଚାମ୍ପିଅନ୍ ଓ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ଭାରତୀୟ ଖେଳାଳିଙ୍କ ପାଇଁ ବଡ଼ ଅନୁଭବ ହୋଇଛି । ୪-୦ର ପରାଜୟ ସତ୍ତ୍ୱେ କିଛି ସମୟରେ ଭାରତର ଆକ୍ରମଣାତ୍ମକ ଉଦ୍ୟମ ଏବଂ ଗୁରପ୍ରୀତଙ୍କ ସେଭ୍ ଦଳ ପାଇଁ ସକାରାତ୍ମକ ଦିଗ ଥିଲା ।

Leave a Reply

Your email address will not be published. Required fields are marked *

Back to top button