
Monsoon Season: ମୌସୁମୀ ଋତୁ ଶେଷ, ସ୍ୱାଭାବିକଠାରୁ ୨୯% ଅଧିକ ବର୍ଷା ରେକର୍ଡ଼
ଓଡ଼ିଶାରେ ସରିଲା ୨୦୨୬ ମୌସୁମୀ ବର୍ଷା ଋତୁ । ଚଳିତ ବର୍ଷ ଓଡ଼ିଶା ପାଇଁ ଭଲ ରହିଛି ମୌସୁମୀ ବର୍ଷା । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଏହି ସମୟରେ ଓଡ଼ିଶାର ସ୍ୱାଭାବିକ ବର୍ଷା ପରିମାଣ ୧ ହଜାର ୧୫୦ ଦଶମିକ ୨ ମିଲିମିଟର ଥିବାବେଳେ ପ୍ରକୃତରେ ବର୍ଷା ହୋଇଛି ୧ ହଜାର ୪୮୪ ଦଶମିକ ୩ ମିଲିମିଟର । ମୌସୁମୀ ଋତୁର ଶେଷ ଦିନରେ କିନ୍ତୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିଥିଲା । କେବଳ ନବରଙ୍ଗପୁର ଜିଲ୍ଲାର ଗୋଟିଏ ସ୍ଥାନରେ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲା ଭିତ୍ତିକ ହିସାବରେ ବୌଦ୍ଧରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଜିଲ୍ଲାରେ ସ୍ୱାଭାବିକଠାରୁ ୭୦ ପ୍ରତିଶତ ଅଧିକ ବର୍ଷା ହୋଇଥିବାରୁ ବୌଦ୍ଧ ‘ଲାର୍ଜ ଏକ୍ସେସ୍’ ବର୍ଗରେ ରହିଛି ।
ସେହିପରି ୨୨ଟି ଜିଲ୍ଲାରେ ‘ଏକ୍ସେସ୍’ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅନ୍ୟ ୭ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ଝାରସୁଗୁଡ଼ା ଏହି ସ୍ୱାଭାବିକ ବର୍ଷା ବର୍ଗରେ ରହିଛି । ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ପାଣିପାଗ ପ୍ରଣାଳୀ ଯୋଗୁଁ ରାଜ୍ୟରେ ଅଧିକ ବର୍ଷା ଦେଇଛି । ପାଣିପାଗ ବିଭାଗ ଅନୁଯାୟୀ, ମୌସୁମୀ ଋତୁରେ ମୋଟ ୧୦ଟି ପାଣିପାଗଜନିତ ବ୍ୟବସ୍ଥା ସୃଷ୍ଟି ହୋଇଥିଲା । ଏଥିମଧ୍ୟରେ ୬ଟି ଲଘୁଚାପ କ୍ଷେତ୍ର, ୩ଟି ଡିପ୍ରେସନ୍ ଏବଂ ଗୋଟିଏ ଡିପ୍ ଡିପ୍ରେସନ୍ ରହିଥିଲା । ଜୁନ୍ ଶେଷ ବେଳକୁ ଓଡ଼ିଶାରେ ପ୍ରାୟ ୪୭ ପ୍ରତିଶତ ବର୍ଷା ନିଅଣ୍ଟ ରହିଥିଲା । ପରେ ଜୁଲାଇ ଓ ଅଗଷ୍ଟରେ ଲଗାତାର ବର୍ଷା ଏହି ନିଅଣ୍ଟକୁ ପୂରଣ କରିଦେଇଥିଲା । ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ମୌସୁମୀ ଋତୁର ସ୍ୱାଭାବିକ ବର୍ଷା ପରିମାଣକୁ ଅତିକ୍ରମ କରିସାରିଥିଲା ।